ବକେୟା ମଜୁରୀ ପାଇଁ ଠିକାଦାରଙ୍କ ପୁଅ ପୁଅକୁ ଅପହରଣ କଲେ ଶ୍ରମିକ, ଅଭିଯୋଗ ପରେ ଥାନାରେ ଆଣି ଛାଡିଲେ
29/02/2020 at 2:11 PM

ବାରଙ୍ଗ ୨୯।୨: ବକେୟା ମଜୁରୀ ପାଇଁ ଠିକାଦାରଙ୍କ ପୁଅ ପୁଅକୁ ଅପହରଣ କରିନେଇଥିଲେ ଶ୍ରମିକ । ରଘୁନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ କରାଯାଇଥିଲା ଅପହରଣ । ଶନିବାର ସକାଳ ୯ଟା ସମୟରେ ସ୍କୁଲକୁ ପଢିବାକୁ ଆସିଥିଲା ୭ ବର୍ଷର ପୁଅ । ପିଲାଟିକୁ ଦେଖି ଚକୋଲେଟ୍ ଦେଇ ନିଜ ସାଥିରେ ନେଇ ଫେରାର ହୋଇଯାଇଥିଲେ ସଂପୃକ୍ତ ଶ୍ରମିକ । ପରେ ଠିକାଦାରଙ୍କୁ ଫୋନ୍ କରି କହିଥିଲା ଟଙ୍କା ଦେଇ ପୁଅକୁ ନେଇଯାଅ । ପରିବାର ଲୋକେ ଏହା ଶୁଣି ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ହସ୍ତକ୍ଷେପ ପରେ ଅଭିଯୁକ୍ତ ଅପହୃତ ଛାତ୍ରଙ୍କୁ ଥାନାରେ ଫେରସ୍ତ ଦେଇଛି ।
ସୂଚନାଯୋଗ୍ୟ ଯେ, ପାରିଶ୍ରମିକ ନପାଇ ଠିକାଦାର ପୁଅକୁ ଅପହରଣ କରିନେଲା ଶ୍ରମିକ । ଅପହୃତ ବାଳକଙ୍କର ବାପା ପବନ ପରିଡା ଜଣେ ଶ୍ରମିକ ଠିକାଦାର । ଗତବର୍ଷ ଠାରୁ ରଘୁନାଥପୁର ଅଂଚଳରେ ଏକ ଆପର୍ଟମେଣ୍ଟରେ ୪୦ଜଣ ଶ୍ରମିକଙ୍କୁ କାମରେ ଲଗାଇଥାନ୍ତି ପବନ । ସେମାନଙ୍କ ପାରିଶ୍ରମିକ ବାବଦକୁ ଦୁଇ ଲକ୍ଷ ଟଙ୍କା ବକେୟା ରଖି ଠିକାଦାର ପବନ ପରିଡା ଧରାଛୁଆଁ ଦେଉ ନଥିଲେ । ଅପହରଣକାରୀ ଶ୍ରୀକୃଷ୍ଣ ପୃଷ୍ଟି ନିଜ ସହ ଅନ୍ୟ ୪୦ଜଣ ଶ୍ରମିକମାନଙ୍କ ପାରିଶ୍ରମିକ ମାଗିବାରୁ ଠିକାଦାର ଶୁଣୁ ନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରମିକ ଶ୍ରୀକୃଷ୍ଣ ପୃଷ୍ଟି ଶନିବାର ସକାଳେ ଏଭଳି କାଣ୍ଡ ଘଟାଇଥିବା କଥା ଜଣାପଡିଛି । ନନ୍ଦନକାନନ ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।