କୁସୁମଲତାଙ୍କ ମହତ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ ମାସର ପେନ୍ସନ ଟଙ୍କା କଲେ ଦାନ
30/04/2020 at 3:39 PM

ଭଦ୍ରକ ୩୦/୪: କରୋନା ଯୋଗୁଁ ସାରା ଦେଶ ଲକ୍ଡାଉନ୍। ଜୀବନ-ଜୀବିକାକୁ ପ୍ରଭାବିତ କରିଛି କରୋନା। ତେଣୁ ଅସହାୟ ଲୋକମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସହଯୋଗର ହାତ ବଢ଼ାଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇଛନ୍ତି ଜଣେ ଅବସରପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ। ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ୍ ପାଣ୍ଠିକୁ ସେ ୫୦ ହଜାର ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଗାଁରେ ଘରେ ଘରେ ବୁଲି ବୁଲି ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି। ଏହି ସହୃଦୟ ମହିଳା ହେଲେ ଭଦ୍ରକ ଜିଲ୍ଲା ଖପରପଦା ଗ୍ରାମପଞ୍ଚାୟତର ଲୁଣିଆ ଗ୍ରାମର କୁସୁମଲତା ସାହୁ । ସେ ୩୧.୦୩.୨୦୧୮ ମସିହା ରେ ଏଏନ୍ ଏମ୍ ଚାକିରୀରୁ ଅବସର ନେଇଥିଲେ। ଗଞ୍ଜାମ ଜିଲ୍ଲାର ସେରଗଡ଼ ବ୍ଲକ ରେ ଏଏନଏମ ଭାବେ କାର୍ଯ୍ୟ କରୁଥିଲେ । ଅବସର ପରେ ନିଜ ଗ୍ରାମ ଲୁଣିଆରେ କୁସୁମଲତା ରହୁଛନ୍ତି । କରୋନା ପାଇଁ ସେ ଗାଁ ରେ ବୁଲି ବୁଲି ଗ୍ରାମର ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ଧାମନଗର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ କୁସୁମଲତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି।