ଟୋକିଓ ଟକ୍କର : ସୁନା ଆଶା ମଉଳିଲା, ବେଲାଋଷର ଭାନେସାଙ୍କଠୁ ୯-୩ରେ ପରାସ୍ତ ହେଲେ ଭିନେଶ

Published By : Prameya-News7 Bureau | August 05, 2021 IST

ଟୋକିଓ, ୦୫/୦୮ :  ଟୋକିଓ ଅଲିମ୍ପିକ୍ସର ୧୪ତମ ଦିନରେ ଭାରତୀୟ ହକି ଦଳ ପଦକ ଜିତି ଇତିହାସ ରଚିଛି । ଅନ୍ୟପଟେ କିନ୍ତୁ ଭାରତୀୟ ମହିଳା କୁସ୍ତିଯୋଦ୍ଧା ତଥା ସୁନା ଜିତିବା ପାଇଁ ଦାବିଦାର ଥିବା ଭିନେଶ ଫୋଗାଟ ପରାସ୍ତ ହୋଇଛନ୍ତି । ସେ କ୍ୱାର୍ଟର ଫାଇନାଲରେ ବେଲାରୁଷର ଭାନେସା କାଲାଜିନ୍ସକାୟାଙ୍କଠାରୁ ୯-୩ ପଏଣ୍ଟରେ ହାରିଛନ୍ତି ।

କ୍ୱାର୍ଟର ଫାଇନାଲରେ ମିଳିଥିବା ପରାଜୟ ପରେ ଭିନେଶ ସୁନା ପଦକ ରେସରୁ ବାଦ୍ ପଡିଛନ୍ତି । ସେ ୫୩ କେଜି ଫ୍ରି ଷ୍ଟାଇଲ ବର୍ଗରେ ସବୁଠାରୁ ବଡ ଦାବିଦାର ଥିଲେ । କିନ୍ତୁ ବେଲାରୁଷ ଖେଳାଳି ନିଜ ଡିଫେନ୍ସରେ ବିନେଶଙ୍କୁ ମାତ୍ ଦେଇଥିଲେ ।

ବେଲାଋଷର ଭାନେସା ପ୍ରଥମ ରାଉଣ୍ଡରୁ ହିଁ ବିନେଶଙ୍କ ଉପରେ ଭାରି ପଡିଥିଲେ । ପ୍ରଥମ ରାଉଣ୍ଡରେ ଭାନେସା ମଜବୁତ ଡିଫେନ୍ସ କରି ବିନେଶଙ୍କୁ କାଉଣ୍ଟରର ସୁଯୋଗ ଦେଇନଥିଲେ । ଏହାସହ ୩-୧ରେ ଆଗୁଆ ରହିଥିଲେ ।ଦ୍ୱିତୀୟ ରାଉଣ୍ଡରେ ଫୋଗାଟ ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର କସରତ କରି ୫-୩କୁ ଆଣିଥିଲେ । କିନ୍ତୁ ସେତେବେଳେ ବେନେସା ପିନ୍ ପଏଣ୍ଟ ହାସଲ କରି ୧ ମିନିଟ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ । ଏହାସହ ମୁକାବିଲାକୁ ୯-୩ରେ ଜିତି ସେମିଫାଇନାଲରେ ସ୍ଥାନ ପକା କରିଥିଲେ ।

ଏବେବି ଭିନେଶଙ୍କ ପଦକ ଆଶା ମରିନି । ଯଦି ଭାନେସା ଫାଇନାଲରେ ସ୍ଥାନ ପାଉଛନ୍ତି ତେବେ ଭିନେଶଙ୍କୁ କାଂସ୍ୟ ପାଇଁ ଲଢିବାକୁ ସୁଯୋଗ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.