ରାତିରେ ଜଳୁଛି ତିନିକୋଶିଆ ଓ କୁଳଡିହା ଅଭୟାରଣ୍ୟ, ବିପଦରେ ଜୀବଜନ୍ତୁ ଏବଂ ସୀମାନ୍ତ ଗାଁ

Published By : Prameya-News7 Bureau | March 06, 2021 IST

ନୀଳଗିରି,୦୬/୩: ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଓ କୁଳଡିହା ଅଭୟାରଣ୍ୟ ଜଳୁଛି।ଆଉ ଜଙ୍ଗଲ ସୀମାନ୍ତ ଗାଁ ଗୁଡିକ ଏବେ ବିପଦରେ ଥିବା ଜଣାପଡିଛି।କିଛିଦିନ ଧରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗୁଥିବା ଦେଖାଯାଇଛି।ସଜନାଗଡ଼ ,ଭାଲୁକାଶୁଣି,ନରଣପୁର,ତେରଲଡ଼ିହି, ବୈଷ୍ଣବବନ୍ଦ ଅଞ୍ଚଳରେ ଏକର ଏକର ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି।

ବନବିଭାଗ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ବେଶ ନାକେଦମ ହେବାକୁ ପଡୁଛି।ଫାୟାର ବ୍ଲୋର ମେସିନ ସାହାଯ୍ୟରେ ଶୁଖିଲା ପତ୍ରକୁ ଅଲଗା କରି ନିଆଁ କିପରି ଆଗକୁ ମାଡିପାରିବ ନାହିଁ ଏନେଇ ବନକର୍ମଚାରୀ ନିୟୋଜିତ ହୋଇଛନ୍ତି।ହାତୀ ଓ ଭାଲୁ ନିଆଁ ଭୟରେ ଗାଁ ମୁହାଁ ହେଉଥିବା ବେଳେ ଛୋଟ ବଡ଼ ସରୀସୃପ ପ୍ରାଣୀ, ଠେକୁଆ, ବିଲୁଆ,କଟାସ ଓ ଛୋଟ ଜୀବଜନ୍ତୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଇଛି।

ଶୁକ୍ରବାର ରାତ୍ର ୮ଟା ସମୟରେ ଗରାଡ଼ିହି ପଞ୍ଚାୟତ ସାପବଣିଆ,କିରିକିଚିଆ,କୁଞ୍ଚିବଣିଆ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିବା ଦେଖାଦେଇଥିଲା।ନିଆଁ ପ୍ରକୋପରେ ପାଖ ଗାଁରେ ଝାଞ୍ଜି ପବନରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ନିଆଁ ଝୁଲ ପଡି ଚାଳ ଘରେ ନିଆଁ ଲାଗିବା ନେଇ ଆଶଙ୍କା ଘାରିଛି ।ଜଙ୍ଗଲରେ ଜାଣିଶୁଣି ଏଭଳି ନିଆଁ ଲଗାଯାଉଥିବା ବେଳେ ଏହାର ଅପକାରିତା ନେଇ ଶନିବାର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହେବ ବୋଲି ନୀଳଗିରି ରେଞ୍ଜର ମନଓ୍ୱାର ଖାଁ ସୂଚନା ଦେଇଛନ୍ତି।

ସେହିପରି କୁଳଡିହା ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଥିବା ସୂଚନା ମିଳିଛି।ତେଲିପାଳ,ଗରଡ଼ିହି, ଝରଣାଘାଟି, ତେଣ୍ଡା, ପଂଚଲିଙ୍ଗେଶ୍ୱର ଅଂଚଳରେ ନିଆଁ  ଲାଗି ଅଭୟାରଣ୍ୟ ଭିତରକୁ ମାଡି ଚାଲିଛି।କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ୫୦ରୁ ଉର୍ଦ୍ଧ୍ବ ବନକର୍ମଚାରୀଙ୍କୁ ନେଇ ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ଜଣାଯାଇଛି।ନିଆଁ ବ୍ୟାପିବା କାରଣରୁ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.