ହୁତୁ ହୁତୁ ହୋଇ ଜଳୁଛି ଅଭୟାରଣ୍ୟ, ୩ ଦିନରୁ ଅଧିକ ଦିନ ହେବ ଲାଗିଛି ନିଆଁ
13/03/2023 at 10:14 AM

ନୀଳଗିରି ୧୩/୦୩: ବାଲେଶ୍ଵର ଜିଲ୍ଲାର କୁଳଡିହା ଅଭ୍ୟାରଣ୍ୟ ଏବେ ହୁତୁ ହୁତୁ ହୋଇ ଜଳୁଛି।ବିଭିନ୍ନ ସ୍ଥାନରେ ୩ଦିନରୁ ଅଧିକ ଧରି ନିଆଁ ଲାଗି ଜଙ୍ଗଲର ମୂଲ୍ୟବାନ ଗଛ ଜଳିଚାଲିଛି।ବନ କର୍ମଚାରୀ ନିଆଁକୁ ଆୟତ୍ତ ପାଇଁ ପ୍ରଚେଷ୍ଟା ପରେବି ନିଆଁ ଆୟତ୍ତ ମୁସ୍କିଲ ହୋଇପଡୁଛି । ହେଲେ ରେଞ୍ଜର ଜଣକ ବେଫିକର ଥିବା ଜଣାପଡିଛି । ଆଉ ଗଣମାଧ୍ୟମକୁ ମିଛ ସୂଚନା ଦେଇ ନିଜ ପାରିବା ପଣିଆ ପଦାରେ ପକାଇଛନ୍ତି ।
ସୂଚନାଯୋଗ୍ୟ ନୀଳଗିରି କୁଳଡିହା ଅଭୟାରଣ୍ୟ ଏବେ ବିପଦରେ । ଚାରିଆଡ଼େ ଏବେ ନିଆଁ ବ୍ୟାପିଯାଇଥିବା ବେଳେ ମୁଲ୍ୟବାନ ଗଛ ପୋଡି ପାଉଁଶ ହୋଇ ଯାଇଛି । ଗତକାଲି କୁଳଡିହା ଓ ଜଡ଼ାଚୁଆ ବିଟ ଅଧିନ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ବେଳେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ପୁଣି ଆଜି ତେଲିପାଳ ପଞ୍ଚାୟତ ଅଧିନ ରଙ୍ଗାମାଟିଆ ଓ ପୁଟିବନ୍ଧ ପାହାଡ଼ ଉପରେ ନିଆଁ ବ୍ୟାପକ ପରିମାଣରେ ଲାଗିଥିବା ଦେଖାଯାଇଛି । ବନବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡିଥିବା ବେଳେ ରାତିରେ ନିଆଁ ହୁହୁ ହୋଇ ଆଗକୁ ବଢି ଚାଲିଛି । ହେଲେ ରେଞ୍ଜର ଅନନ୍ତ କୁମାର ଜେନା ଗଣମାଧ୍ୟମକୁ ମିଛ ସୂଚନା ଦେଇ ନିଆଁ ଲିଭି ଯାଇଥିବା କହି ଅଡ଼ୁଆରେ ପଡ଼ିଛନ୍ତି ।
ଖବର ସଂଗ୍ରହ ପାଇଁ ନୀଳଗିରି ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ ଯାଇଥିବା ବେଳେ ନିଆଁର ସ୍ଥିତି ଏତେ ଦୁଃଖଦାୟକ ଥିଲା ଯେ ଖବର ସଂଗ୍ରହ ସହ ନିଆଁକୁ ଆୟତ୍ତ ପାଇଁ ପ୍ରଚେଷ୍ଟା କରି ବିଫଳ ହୋଇଥିଲେ । ଅଞ୍ଚଳର ବହୁସ୍ଥାନରେ ନିଆଁକୁ କିଛି ପରିମାଣରେ ଆୟତ୍ତ କରିପାରିଥିଲେ ସତ ହେଲେ ନିଆଁର ପ୍ରକୋପ ଏତେ ପରିମାଣରେ ଥିଲା ଯେ ଶେଷରେ ସେମାନେ ମଧ୍ୟ ଅସହାୟ ପ୍ରକାଶ କରି ଏଭଳି ଘଟଣାରୁ ବର୍ତ୍ତିବା ପାଇଁ ବନବିଭାଗର ସଚେତନ ଜରୁରୀ ବୋଲି କହିଥିଲେ । ତେବେ ରେଞ୍ଜର ଜଣକ ଏଭଳି ମିଥ୍ୟା ସୁଚନା ଦେବା ନେଇ ତାଙ୍କୁ ଏବେ ସମାଲୋଚନା ର ଶିକାର ହେଉଥିବା ଜଣାପଡିଛି ।