୬ ଦଫା ଦାବି ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ବିକ୍ଷୋଭ
29/11/2022 at 4:32 PM

ଫୁଲବାଣୀ,୨୯/୧୧: କୁଇ ସମାଜ ସେବା ସମିତି ଫୁଲବାଣୀ ଶାଖା ପକ୍ଷରୁ ଏହାର ୬୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ଅବସରରେ ୬ ଦଫା ଦାବିରେ ସମିତି ପକ୍ଷରୁ ଫୁଲବାଣୀ ସହରରେ ବିରାଟ ଶୋଭାଯାତ୍ରା କରାଯାଇଥିଲା । ଏଥିସହିତ କରୋନେସନ ପଡ଼ିଆରେ ସାଧାରଣ ସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି ।
ସମିତିର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ଏସଡିସି, ଅଧ୍ୟକ୍ଷ ରୋଦନ ମଲ୍ଲିକ, ଟ୍ରାଇଫେଡ଼ ଅଧ୍ୟକ୍ଷ ପବିତ୍ର କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁରଙ୍କ ସମେତ ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନାଚି ନାଚି ସ୍ଥାନୀୟ ମାଦିକୁନ୍ଦା ଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ମୁଖ୍ୟ ରାସ୍ତାଦେଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିକ୍ଷୋଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ଭଳିତ ଦାବି ପତ୍ର ପ୍ରଦାନ କରିଥିଲେ ।
ଏହାପରେ କରୋନେସନ ପଡ଼ିଆରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲ୍ଲାରେ ପେସା ଆଇନ ଲାଗୁ କରିବା, ଜବର ଦଖଲ ଜମି ମାଫିଆମାନଙ୍କ କବଳରୁ ଜମି ଉଦ୍ଧାର କରି ଭୂମିହୀନ କୁଇ ମାନଙ୍କୁ ଆବଣ୍ଟନ, ଫୁଲବାଣୀ ସହର ସ୍ଥିତ ହାଟପଦା ଜାଗାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ସ୍ଥାନୀୟ ଚାଷୀ ମାନଙ୍କ ପାଇଁ ସଂରକ୍ଷିତରଖିବା, କଳିଙ୍ଗା ବି. ଏଡ଼ କଲେଜକୁ ପୁନଃ କାର୍ଯ୍ୟକାରୀ କରିବା, କୁଇ ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଯୋଗାଯୋଗ ଏବଂ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରିବା ପାଇଁ କୁଇ ସମାଜ ସେବା ସମିତିର ନେତାମାନେ ଦାବି କରିଥିଲେ ।