କଂଗ୍ରେସରୁ ବହିସ୍କୃତ ପରେ କୃଷ୍ଣଚନ୍ଦ୍ର ସଗରିଆଙ୍କ ପ୍ରେସମିଟ: କହିଲେ " ରାସ୍ତାରେ ପକୁଡି ଵିକିଵି ପଛେ ବିଜେଡିରେ ଯୋଗଦେବି ନାହିଁ "

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : ଗତକାଲି ରାତିରେ କଂଗ୍ରେସରୁ ବହିସ୍କୃତ ହୋଇଥିଲେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ | କଂଗ୍ରେସରୁ ବହିଷ୍କାର ପରେ କୃଷ୍ଣଚନ୍ଦ୍ର ସଗରିଆ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ | ସାମ୍ବାଦିକ ସମ୍ମିଳନୀରେ ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, କଂଗ୍ରେସ ତାଙ୍କ ପ୍ରତି ଅନ୍ୟାୟ କରିଛି | ସେ ଦଳରେ ଥାଇ କେବେ ଦଳ ଵିରୋଧୀ କାମ କରିନାହାନ୍ତି, ତଥାପି ଦଳ ତାଙ୍କୁ ରାତି ଅଧିଆ ଦଳରୁ ବହିଷ୍କାର କରିଛି ବୋଲି ସେ କହିଛନ୍ତି | ଦଳରେ ଥାଇ ସେ ସର୍ବଦା ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି | ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷିଛନ୍ତି ସଗରିଆ | ବିଧାନସଭାରେ ନରସିଂହଙ୍କ କାର୍ଯ୍ୟକଳାପକୁ ନେଇ ଏଆଇସିସିକୁ ଚିଠି ଲେଖିଥିଲେ ସଗରିଆ | ସରକାରଙ୍କ ସହ ନରସିଂହଙ୍କର ଭଲ ସମ୍ପର୍କ ରହିଛି | ନରସିଂହ ନିଜ ବଡପୁଅକୁ ବିଜେଡିରେ ଥଇଥାନ ପାଇଁ ଉଦ୍ୟମ କରୁଛନ୍ତି |


ବର୍ତ୍ତମାନ ଦୁଇ ଦଳ କଂଗ୍ରେସ ଏବଂ ବିଜେଡି ଖଣି ମାଫିଆ ଚଳାଇଛନ୍ତି | ନିରଞ୍ଜନ ପରୋକ୍ଷରେ ବିଜେଡିକୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ସଗରିଆ | ଗତକାଲି ରାତିରେ ଉଭୟ ଶ୍ରୀକାନ୍ତ ଏବଂ ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଥିବ ନେଇ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଥିଲେ | ତେବେ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ବୋଲି ଅନନ୍ତ କହିଥିଲେ | କାରଣ ଶ୍ରୀକାନ୍ତ ଏବଂ ସଗରିଆ ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ଓ ପ୍ରଦେଶ କଂଗ୍ରେସର ପଦାଧିକାରୀଙ୍କ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଥିଲେ | ତେବେ ଅନନ୍ତ ସେଠୀ ମିଛ କହିଛନ୍ତି ବୋଲି ସଗରିଆ କହିଛନ୍ତି | ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇନଥିଲା ବୋଲି ସେ କହିଛନ୍ତି |


ତେବେ ଦଳରୁ ବହିସ୍କୃତ ପରେ ସେ କେଉଁ ଦଳରେ ଯୋଗ ଦେବେ ବୋଲି ପଚାର ଯାଇଥିଲା | ଜବାବରେ ସେ କହିଥିଲେ ଯେ, ସେ ବିଜେଡିରେ ଯୋଗଦେବାର ପ୍ରଶ୍ନ ଉଠୁନି | ରାସ୍ତାରେ ପକୁଡି ବିକିବେ ପଛେ ବିଜେଡିରେ ସାମିଲ ହେବେନାହିଁ | ତେବେ ଯେଉଁ ଦଳ ଲୋକଙ୍କ ପାଇଁ , ସାଧାରଣ ଜନତାଙ୍କ ପାଇଁ କାମ କରିବ, ଗରିବଙ୍କ କଥା ବୁଝିବ, ସେହି ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି ସଗରିଆ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.