କଳାକାରଙ୍କୁ ସମାଲୋଚନା କଲେ KRK, କହିଲେ-ବଲିଉଡ୍‌ର ଶେଷ ଭରସା କାର୍ତ୍ତିକ

Published By : Prameya-News7 Bureau | December 26, 2022 IST

ବଲିଉଡ୍‌ ଏବେ ସମସ୍ୟା ଦେଇ ଗତି କରୁଛି । ନୂଆ ଫିଲ୍ମ ରିଲିଜ ହେଉଥିଲେ ବି ବକ୍ସ ଅଫିସ୍‌ରେ ସଂଘର୍ଷ କରୁଛି । ଅମୀର ଖାନ୍‌ଙ୍କ ଲାଲ୍‌ ସିଂ ଚଢ଼ା, ଭେଡିୟା ପରେ ଏବେ ରଣବୀର ସିଂଙ୍କ ଫିଲ୍ମ ସର୍କସ ମଧ୍ୟ ମୁକ୍ତିଲାଭ କରିଥିଲା। ପ୍ରଥମ ଦୁଇ ଦିନରେ ବକ୍ସ ଅଫିସ୍‌ରେ ଆଶାଠାରୁ ଢେର ପଛୁଆ ରହିଛି ।  ଏହା ଭିତରେ ଆତ୍ମଘୋଷିତ ସିନେ କ୍ରିଟିକ୍‌ କେ.ଆର.କେ ଏବେ ରଣବୀର ସିଂ, ବରୁଣ ଧୱନ, ବିକି କୌଶଲ, ଶାହାରୁଖ ଖାନ, ସଲମାନ ଖାନ୍‌, ଆମିର ଖାନ୍‌ ପ୍ରମୁଖଙ୍କ ସମେତ ଅନେକ କଳାକାରଙ୍କୁ ସମାଲୋଚନା କରିଛନ୍ତି । ଟୁଇଟ୍‌ କରି କେ.ଆର୍‌.କେ କହିଛନ୍ତି, ସବୁ ଷ୍ଟାର୍‌ଙ୍କ କ୍ୟାରିୟର ଶେଷ ହୋଇଗଲାଣି।

ଏବେ କେବଳ କାର୍ତ୍ତିକ ଆର୍ଯ୍ୟନ ହିଁ ବଲିଉଡ୍‌ର ଶେଷ ଭରସା । ବଲିଉଡ୍‌ ଏବେ ସମସ୍ୟାରେ ଫସିଛି । ବରୁଣ ଧୱନ ୱେବ୍‌ ସିରିଜ୍‌, ବିକି କୌଶଲ ଓଟିଟି ଆକ୍ଟର ହୋଇଗଲେଣି । ରଣବୀର ସିଂଙ୍କ କ୍ୟାରିୟର ବି ଶେଷ ହୋଇସାରିଛି । ଫ୍ଲପ୍‌ ଷ୍ଟାର ଶାହିଦ୍‌ କପୁର ୫୦ କୋଟି ଟଙ୍କା ପାଉଣା ନେଉଛନ୍ତି ।  ତେଣୁ ଏବେ କେବଳ କାର୍ତ୍ତିକ ଭରସା ବୋଲି ସେ କହିଛନ୍ତି । ତାଙ୍କ ଟୁଇଟ୍‌ରେ ଅନେକ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି । ଅନେକେ କେ.ଆର୍‌.କେଙ୍କ କଥାକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି।

କାର୍ତ୍ତିକ ଜଣେ ସଫଳ ଅଭିନେତା ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଭୁଲ୍‌ ଭୂଲେୟାଁ-୨’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି । ଆସନ୍ତା ବର୍ଷ ଶେହଜାଦା, କ୍ୟାପ୍ଟେନ୍‌ ଇଣ୍ଡିଆ, ଆଶିକି ୨, ସତ୍ୟପ୍ରେମ୍‌ କି କଥା ଆଦି ଫିଲ୍ମରେ କାର୍ତ୍ତିକ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.