ମନି ଲଣ୍ଡରିଂ ମାମଲାରେ ଫସିଲେ ଅଭିନେତ୍ରୀ ତଥା ଟ୍ୟାକ୍ସ ଅଫିସର, ୨୩୬କୋଟି ସ୍କାମରେ ଆସିଲା ନାଁ
10/02/2023 at 12:01 PM

ମୁମ୍ବାଇ୧୦/୦୨: ମନି ଲଣ୍ଡରିଂ ମାମଲାରେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ନାଁ। ବିଗ୍ ବସ୍-୧୨’ ଏବଂ ‘ରୋଡିଜ୍’ ଭଳି ଟିଭି ଶୋ’ରେ ଅଂଶ ଗ୍ରହଣ କରିଥିବା ଅଭିନେତ୍ରୀ କ୍ରିତି ବର୍ମାଙ୍କ ନାଁରେ ଠକେଇ ଅଭିଯୋଗ। ସେ ବେଆଇନ୍ ଭାବେ ଟଙ୍କା ସଂଗ୍ରହ କରିବା ସହ ଆୟକର ବିଭାଗରୁ ଟ୍ୟାକ୍ସ ରିଫଣ୍ଡ୍ ଜାରି କରିବା ନାଁରେ ଠକେଇ କରିଥିବା ଲୋକଙ୍କ ସହ ତାଙ୍କର ରହିଛି ସଂପର୍କ। ଏହି କାରଣରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କ୍ରିତିକୁ ପ୍ରଶ୍ନ କରିଛି।
ଅଭିନେତ୍ରୀ କ୍ରିତି ବର୍ମାଙ୍କ ଉପରେ ୨୬୩କୋଟି ଟଙ୍କା ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ହେବା ପୂର୍ବରୁ କ୍ରିତି ଜଣେ ଇନକମ୍ ଟ୍ୟାକ୍ସ ଅଫିସର ଥିଲେ। ତାଙ୍କ ପଦର ଅପବ୍ୟବହାର କରି ସେ ଅଭିଯୁକ୍ତଙ୍କ ସହ ହାତ ମିଳାଇଥିଲେ।

ଚାକିରିର କିଛିଦିନ ପରେ ୨୦୧୮ ରେ ‘ରୋଡିଜ୍’ରେ ସିଲେକ୍ଟ ହୋଇଥିଲେ କ୍ରିତି। ଏହାପରେ ସେ ଚାକିରି ଛାଡିଦେଇଥିଲେ। ତାଙ୍କ ଜୀବନରେ ଟର୍ଣ୍ଣିଙ୍ଗ୍ ପଏଣ୍ଟ ସେତେବେଳେ ଆସିଥିଲା ଯେବେ ସେ ବିଗ୍ ବସ୍-୧୨ ସିଜନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। କ୍ରିତି ବିଗ୍ ବସ୍ ଟ୍ରଫି ଜିତି ପାରି ନଥିଲେ, କିନ୍ତୁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏହା ପରେ ସେ ଅନେକ ୱେବ୍ ସିରିଜ୍ ସହ ଏକ ଡ୍ୟାନ୍ସ ଶୋ’ ମଧ୍ୟ ଅଫର୍ ପାଇଥିଲେ। ଏହି ଡ୍ୟାନ୍ସ ଶୋ ସମୟରେ କ୍ରିତି ଭୂଷଣ ପାଟିଲ ନାମକ ଜଣେ ବ୍ୟବସାୟୀଙ୍କୁ ଭେଟିଥିଲେ। କିଛି ସମୟ ପରେ ଉଭୟ ରିଲେସନସିପ୍ରେ ଆସିଥିଲେ। ଭୂଷଣ ପାଟିଲ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।
ଗତ ବର୍ଷ ସିବିଆଇ ଆୟକର ସିନିୟର ଟ୍ୟାକ୍ସ ଆସିଷ୍ଟାଣ୍ଟ ତାନାଜୀ ମଣ୍ଡଲ ଏବଂ ପାନଭେଲ ବ୍ୟବସାୟୀ ଭୂଷଣ ଅନନ୍ତ ପାଟିଲଙ୍କ ବିରୋଧରେ ଟିକସ ଫେରସ୍ତ ଠକେଇ ମାମଲା ରୁଜୁ କରିଥିଲା। ସିବିଆଇ ଦିଲ୍ଲୀରେ ଏଫ୍ଆଇଆର୍ ପଞ୍ଜୀକରଣ କରିଥିଲା। ସେହି ଅନୁଯାୟୀ, 2007-08 ଏବଂ 2008-09 ମୂଲ୍ୟାଙ୍କନ ବର୍ଷରେ ନକଲି ରିଫଣ୍ଡ୍ ଜାରି କରିବାର ଅଭିଯୋଗ ହୋଇଥିଲା। ଏହା ପରେ, EDଙ୍କ FIR ଆଧାରରେ PMLA ଅଧୀନରେ ଆରମ୍ଭ ହୋଇଥିଲା ତଦନ୍ତ।