ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର କାର୍ଯ୍ୟକାରୀ ବୋର୍ଡ ପୁଣିଥରେ କ୍ରିଷ୍ଟାଲିନା ଜର୍ଜିଭାକୁ ପରିଚାଳନା ନିର୍ଦ୍ଦେଶକ ଭାବେ ନିର୍ବାଚିତ କରିଛି। ଫଳରେ କ୍ରିଷ୍ଟାଲିନା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମ୍ୟାନେଜିଂ ଡାଇରେକ୍ଟର ରହିବେ ଆଇଏମ୍ଏଫ୍ର କାର୍ଯ୍ୟ ପରିଚାଳନା କରିବେ। ଏନେଇ ଆଇଏମ୍ଏଫ୍ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି।
ଜର୍ଜିଆଙ୍କ ଦ୍ୱିତୀୟ ପାଳି ଚଳିତ ବର୍ଷ ୧ ଅକ୍ଟୋବରରୁ ଆରମ୍ଭ ହେବ। ଏହା ପୂର୍ବରୁ ୨୦୧୯ ଅକ୍ଟୋବର ୧ ତାରିଖ ସେ ପ୍ରଥମ କରି ଆଇଏମ୍ଏଫ୍ ଏମ୍ଡି ନିର୍ବାଚିତ ହୋଇଥିଲେ। କରୋନା ମହାମାରୀ ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ଜର୍ଜିଆଙ୍କ ନେତୃତ୍ୱରେ ୯୭ଟି ଦେଶକୁ ୩୬୦ ବିଲିଅନ ଡଲାର ଅର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି।
ଏଥିସହିତ ଗରିବ, ସଦସ୍ୟ ରାଷ୍ଟ୍ରଙ୍କୁ ଋଣ ସେବା କୋହଳ ମଧ୍ୟ ପ୍ରଦାନ କରାଯାଇଛି। ସ୍ପେଶାଲ ଡ୍ରଇଁ ରାଇଟ୍ ଆଲୋକେସନ (SDR) ଆବଣ୍ଟନ ଅଧୀନରେ ସବୁଠାରୁ ଅସୁରକ୍ଷିତ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରାୟ ୬୫୦ ବିଲିୟନ ଡଲାର୍ ରାଶି ଆବଣ୍ଟନ କରାଯାଇଛି।