ଆନନ୍ଦପୁର: ଫିଲ୍ମ ସୁଟିଂ ପାଇଁ ଆଦିବାସୀ ଇଲାକାରେ ଜଣେ ବ୍ୟକ୍ତିଙ୍କ ଘର ଦୀର୍ଘ ଦୁଇ ମାସ ଧରି ବ୍ୟବହାର କଲା ଫିଲ୍ମ ପ୍ରଯୋଜନା ସଂସ୍ଥା।କେବଳ ଘର ବ୍ୟବହାର କଲା ନାହିଁ ବରଂ ଘରର ସବୁ ଜିନିଷପତ୍ର ଏପରିକି ଗୃହପାଳିତ ପଶୁଙ୍କୁ ବି ବ୍ୟବହାର କରିଥିଲା ସୁଟିଂ ପାଇଁ।ହେଲେ ଘର ଭଡ଼ା ଦେବା ତ ଦୂରର କଥା ବ୍ୟବହାର ସମୟରେ ଘରର ଭାଙ୍ଗିଯାଇଥିବା ଜିନିଷପତ୍ର ବାବଦରେ କ୍ଷତିପୂରଣ ନଦେଇ ରାତି ଅଧିଆ ଲୁଚିକରି ପ୍ରଯୋଜନା ସଂସ୍ଥା ପଳାଇଥିବା ଅଭିଯୋଗ ହୋଇଛି।
Also read: ଜଳି ଜଳି ଜୀବନ ବଞ୍ଚାଇବାକୁ ଦୌଡି ଆସିଥିଲା ପୀଡିତା, ପ୍ରତ୍ୟେକ୍ଷଦର୍ଶୀ କହିଲେ ସାଂଘାତିକ କଥା
କୃଷ୍ଣଚନ୍ଦ୍ରଙ୍କୁ ଠକିଦେଲେ ‘ବୋଉ ବୁଟୁ ଭୁତ’।୨ ମାସ ଧରି ଘରେ ଫିଲ୍ମ ସୁଟିଂ କଲା ପ୍ରଯୋଜନା ସଂସ୍ଥା। ଘରର ସବୁ ଜିନିଷପତ୍ର ବ୍ୟବହାର କଲେ। ଏମିତିକି ସୁଟିଂ ବେଳେ ଘରର କବାଟ ଓ ଅନ୍ୟ କେତେକ ଜିନିଷ ମଧ୍ୟ ଭାଙ୍ଗିଗଲା।ଏଥିପାଇଁ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ କେତେବେଳେ ରୋଷେଇ ଘର ତ କେତେବେଳେ ଗୁହାଳ ଘରେ ରାତି କାଟିବାକୁ ପଡ଼ିଥିଲା।ହେଲେ ଶେଷରେ ପ୍ରଯୋଜନା ସଂସ୍ଥା ଦେଇଥିବା କଥା ମୁତାବକ ୨ ମାସର ଘର ଭଡ଼ା ନଦେଇ ଚାଲିଯାଇଥିବାର ଅଭିଯୋଗ କରିଛନ୍ତି ଘର ମାଲିକ।କେବଳ ସେତିକି ନୁହେଁ ଫିଲ୍ମ ସୁଟିଂ ବେଳେ ଘରର ବିଭିନ୍ନ ଜିନିଷପତ୍ର ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।ସେ ବାବଦ କ୍ଷତିପୂରଣ ମଧ୍ୟ ଦେଇନାହାନ୍ତି।ଏପରି ଅଭିଯୋଗ ଆସିଛି ନିକଟରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୁତ’ର ପ୍ରଯୋଜନା ସଂସ୍ଥା ବିରୋଧରେ।
ଚଳିତ ବର୍ଷ ଜାନୁଆରୀରେ ଓଡ଼ିଆ ହରର୍ ଫିଲ୍ମ ‘ବୋଉ ବୁଟୁ ଭୁତ’ର ଅଧିକାଂଶ ସିନ୍ କେନ୍ଦୁଝର ଆନନ୍ଦପୁର ଓ ମୟୂରଭଞ୍ଜରେ ସୁଟିଂ ହୋଇଥିଲା।ସୁଟିଂ ପାଇଁ ମୟୂରଭଞ୍ଜ ମହୁଲଡିହା ଲୁଣଖାଇ ଗାଁର କୃଷ୍ଣଚନ୍ଦ୍ର ପିଙ୍ଗୁଆଙ୍କ ଘରକୁ ଭଡ଼ାରେ ୨ ମାସ ଧରି ବ୍ୟବହାର କରିଥିଲା ପ୍ରଯୋଜନା ସଂସ୍ଥା। ଫିଲ୍ମର ଅଧିକାଂଶ ଦୃଶ୍ୟ ଏହି ଘରେ ରାତିରେ ସୁଟିଂ ହେଉଥିଲା।ସୁଟିଂ ସମୟରେ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ କେତେବେଳେ ନିଜ ରୋଷେଇ ଘରେ ଶୋଇବାକୁ ପଡୁଥିଲା ତ ଆଉ କେତେବେଳେ ଗୁହାଳ ଘରେ ରାତି କାଟିବାକୁ ପଡୁଥିଲା। ସୁଟିଂ ପାଇଁ ଗାଁକୁ ନାମିଦାମୀ ଷ୍ଟାର୍ ଆସୁଥିବାରୁ ଲୋକେ ମଧ୍ୟ ଥିଲେ ବେଶ୍ ଖୁସି।
ପ୍ରଯୋଜନା ସଂସ୍ଥା ପ୍ରଥମରୁ ଘର ଭଡ଼ା ସହ ଆସବାବପତ୍ର କ୍ଷତିପୂରଣ ଦେବେ ବୋଲି କହିଥିଲେ।ହେଲେ ଫିଲ୍ମ ସୁଟିଂ ପରେ ରାତିଅଧିଆ ଗାଁରୁ ପଳାଇଥିବା ଅଭିଯୋଗ ହୋଇଛି। କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଉପରେ ଫିଲ୍ମ ‘ବୋଉ ବୁଟୁ ଭୁତ’ର ପ୍ରଯୋଜନା ସଂସ୍ଥାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।ହେଲେ ପ୍ରଯୋଜନା ସଂସ୍ଥାକୁ ସାହାଯ୍ୟ କରି ଏବେ ପଶ୍ଚାତାପ କରୁଛନ୍ତି କୃଷ୍ଣଚନ୍ଦ୍ରଙ୍କ ପରିବାର।