ଡିସେମ୍ବର-୧୬ରେ ‘କୃଷକରତ୍ନ ସମ୍ମାନ ୨୦୨୩’: ପ୍ରତ୍ୟେକ ଜିଲ୍ଲାରୁ ଜଣେ ସଫଳ ଚାଷୀ ହେବେ ସମ୍ମାନିତ, ପ୍ରମେୟ, ନ୍ୟୁଜ୍‌୭, ‘ସୋଆ’ର ଅଭିନବ ପ୍ରୟାସ

Published By : Prameya-News7 Bureau | November 29, 2023 IST

ଭୁବନେଶ୍ୱର ୨୯।୧୧ : କୃଷିପ୍ରଧାନ ରାଜ୍ୟ ଓଡ଼ିଶାର ମେରୁଦଣ୍ଡ ହେଉଛନ୍ତି କୃଷକ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସହ ସଭିଙ୍କ ମୁହଁରେ ହସ ଫୁଟାଇଥାଏ । ତେଣୁ କୃଷକମାନେ ନିଶ୍ଚିତ ଭାବେ ସମ୍ମାନର ଅଧିକାରୀ । ଅନ୍ନଦାତାଙ୍କୁ ସମ୍ମାନ ଜଣାଇ ପ୍ରମେୟ, ନ୍ୟୁଜ୍‌୭ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଓ ପାରାଦୀପ ଫସଫେଟ୍‌ସ ଲିମିଟେଡ୍‌ ମିଳିତ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖରେ ହେବାକୁ ଯାଉଛି ‘କୃଷକରତ୍ନ ସମ୍ମାନ ୨୦୨୩’ ।

କୃଷକଙ୍କୁ ସମ୍ମାନ ଦେବାର ଏହା ଏକ ଅଭିନବ ପରିକଳ୍ପନା । ପ୍ରତ୍ୟେକ ଜିଲ୍ଲାରୁ ଜଣେ ଜଣେ ସଫଳ ଚାଷୀଙ୍କୁ ସମ୍ମାନିତ କରିବାର ପ୍ରୟାସ କରୁଛନ୍ତି ପ୍ରମେୟ, ନ୍ୟୁଜ୍‌୭ ଏବଂ ସୋଆ । ଇଚ୍ଛୁକ କୃଷକ ଭାଇମାନେ ପଞ୍ଜୀକରଣ ପ୍ରକ୍ରିୟା ମାଧ୍ୟମରେ ଏଥିରେ ସାମିଲ ହୋଇପାରିବେ । ପଞ୍ଜୀକରଣ କରିବା ପାଇଁ ଚାଷୀଙ୍କ ନାମ, ଠିକଣା, ମୋବାଇଲ ନମ୍ବର (ଆଧାର କାର୍ଡ ସହିତ), ଚାଷୀଙ୍କ ଫଟୋ, କ’ଣ ଚାଷ କରନ୍ତି, କେବେଠୁ ଚାଷ କାମ ଆରମ୍ଭ କରିଛନ୍ତି ଏବଂ କେତେ ପିଢ଼ି ଧରି କରି ଆସୁଛନ୍ତି, ଉତ୍ପାଦନ କ୍ଷମତା ଆଦି ବିବରଣୀ ଦେବାକୁ ପଡ଼ିବ । ବିବରଣୀ ପଠାଇବାର ଠିକଣା ପ୍ରମେୟ, ପ୍ଲଟ୍‌ ନମ୍ବର-୬୬୨, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର-୭୫୧୦୩୦ ରହିଛି । ଏଥିପାଇଁ ଶେଷ ତାରିଖ ଡିସେମ୍ବର ୧ ରହିଛି ।

ସମାଜର ବିକାଶ ଦିଗରେ ସୋଆ ସର୍ବଦା ଉଦ୍ୟମ କରିଆସିଛି । ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହା ପ୍ରତିବଦ୍ଧ । ସମାନ ନୀତି ଅନୁକରଣ କରି ଆସୁଛନ୍ତି ସମାଜର ଦୁଇ ଦାୟିତ୍ୱସମ୍ପନ୍ନ ମିଡିଆ ହାଉସ୍‌ ପ୍ରମେୟ ଏବଂ ନ୍ୟୁଜ୍‌୭ । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ପରିବର୍ତ୍ତନ ଲାଗି ଚେଷ୍ଟା କରି ଚାଲିଛନ୍ତି । ଉକ୍ତ କ୍ରମରେ ‘କୃଷକରତ୍ନ ସମ୍ମାନ ୨୦୨୩’ର ପରିକଳ୍ପନା କରାଯାଇଛି । ଅନ୍ୟ ପେସାଗୁଡ଼ିକ ଭଳି କୃଷି ମଧ୍ୟ ସମାନ ସମ୍ମାନର ହକ୍‌ଦାର । ତେଣୁ କୃଷିକୁ ଏକ ପେସା ଭାବେ ଗ୍ରହଣ କରିବା ଲାଗି ଯୁବପିଢ଼ିଙ୍କୁ ଉତ୍ସାହିତ କରାଇବା ନିମନ୍ତେ ଏହି ଅଭିଯାନକୁ ଅଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.