ରାତିରେ ଲାଇଟ୍-ଇଣ୍ଟରନେଟ୍ ବନ୍ଦ, ସେକ୍ସ ମନ୍ତ୍ରଣାଳୟ; ଜନସଂଖ୍ୟା ବଢାଇବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ପୁଟିନ ସରକାର

Published By : Prameya-News7 Bureau | November 12, 2024 IST

ନୂଆଦିଲ୍ଲୀ: ୟୁକ୍ରେନ ସହ ଜାରି ଯୁଦ୍ଧ ଭିତରେ ରୁଷ ସରକାର ପାଇଁ ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟା ଚିନ୍ତାର ଏକ ବଡ଼ କାରଣ ପାଲଟିଛି । ସ୍ଥିତିର ମୁକାବିଲା ପାଇଁ ରୁଷ ସରକାର ଲୋକଙ୍କୁ ସଚେତନ କରାଇବା ସହ ଅନେକ ଲୋଭାନୀୟ ଅଫର୍ ମଧ୍ୟ ଦେଇସାରିଛନ୍ତି । କିନ୍ତୁ ସବୁ ଉଦ୍ୟମ ଫେଲ୍ ମାରୁଛି । ରିପୋର୍ଟ ଅନୁସାରେ ପୁଟିନ ସରକାର ଏବେ ଜନ୍ମ ହାରକୁ ବଢାଇବା ପାଇଁ ନୂଆ ଯୋଜନା କରିଛନ୍ତି । ଏଥିରେ ପାଞ୍ଚଟି ପ୍ରସ୍ତାବକୁ ସାମିଲ କରିବା ପାଇଁ ବିଚାର କରାଯାଇଛି । ଯେଉଁଥିରେ ରାତି ୧୦ଟା ପରେ ଲାଇଟ୍-ଇଣ୍ଟରନେଟ୍ ବନ୍ଦ କରିବା, ମହିଳାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ, ସରକାରଙ୍କ ପକ୍ଷରୁ ଦମ୍ପତିଙ୍କ ପ୍ରଥମ ଡେଟ୍‌ର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ ଏବଂ ସେକ୍ସ ମନ୍ତ୍ରଣାଳୟ ସ୍ଥାପନା ସାମିଲ ରହିଛି ।

ରାଷ୍ଟ୍ରପତି ପୁଟିନଙ୍କ ଘନିଷ୍ଠ ଏବଂ ରୁଷ ସଂସଦରେ ପାରିବାରିକ ସୁରକ୍ଷା ସମିତିର ଅଧ୍ୟକ୍ଷ ନୀନା ଓସ୍ତାନିନା ସେକ୍ସ ମନ୍ତ୍ରଣାଳୟ ଗଠନ ପାଇଁ ଦାବି କରିଛନ୍ତି । ତାଙ୍କ ମତରେ ମନ୍ତ୍ରଣାଳୟ ଜନସଂଖ୍ୟା ବଢାଇବା ଲାଗି ବିଭିନ୍ନ ଉପାୟ ଖୋଜି ବାହାର କରିବ । ଏବଂ ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ସମସ୍ୟାରୁ ମୁକ୍ତି ଦେବ ।

ୟୁକ୍ରେନ ଯୁଦ୍ଧ ପରେ ରୁଷରେ ସ୍ଥିତି ଆହୁରି ସଙ୍ଗୀନ

ରୁଷର ହ୍ରାସ ପାଉଥିବା ଜନସଂଖ୍ୟାର ଏକ ପ୍ରମୁଖ କାରଣ ୟୁକ୍ରେନ ସହ ସଂଘର୍ଷ । ୨୦୨୦ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ସଂଖ୍ୟାରେ ରୁଷ ସୈନିକଙ୍କ ମୃତ୍ୟୁ ହୋଇଛି । ନିକଟରେ ବ୍ରିଟେନର ଜଣେ ଅଧିକାରୀ ଦାବି କରିଥିଲେ ଏହି ଯୁଦ୍ଧରେ ରୁଷର ପ୍ରାୟ ୭ ଲକ୍ଷ ସୈନିକ ପ୍ରାଣ ହରାଇଛନ୍ତି । ଅକ୍ଟୋବର ମାସରେ ପ୍ରତିଦିନ ହାରାହାରି ୧୫୦୦ ରୁଷ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଦେଶ ଭିତରେ ଯୁବକଙ୍କୁ ବି ରୁଷ ସେନା ଟ୍ରେନିଂ ଦେଇ ୟୁକ୍ରେନ ଯୁଦ୍ଧକୁ ପଠାଉଛି । ଦେଶର ଅଧିକାରୀ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ପୁଟିନଙ୍କ ଆହ୍ୱାନକୁ ପୂରା କରିବା ପାଇଁ ବିଚାର-ବିମର୍ଶ କରୁଛନ୍ତି ।

ଜନସଂଖ୍ୟା ବଢାଇବା ପାଇଁ ରୁଷର ପ୍ରସ୍ତାବ:

ଇଣ୍ଟରନେଟ୍ ଏବଂ ବିଜୁଳି ବନ୍ଦ

ରୁଷ ସରକାରଙ୍କ ସାମନାକୁ ଆସିଥିବା ପ୍ରସ୍ତାବ ମଧ୍ୟରେ ରାତି ୧୦ଟାରୁ ୨ ଯାଏ ଇଣ୍ଟରନେଟ୍ ଏବଂ ଲାଇଟ୍ ବନ୍ଦ କରାଯିବ ସାମିଲ ରହିଛି । ଏହାଦ୍ୱାରା ଦମ୍ପତିଙ୍କୁ ଅନ୍ତରଙ୍ଗ ଗତିବିଧିରେ ସାମିଲ କରିବା ପ୍ରୋତ୍ସାହିତ କରାପାରିବ ।

ମାଆଙ୍କ ପାଇଁ ପ୍ରୋତ୍ସାହନ ରାଶି

ରୁଷ ସରକାର ସନ୍ତାନ ଜନ୍ମ କରିଥିବା ମାଆଙ୍କୁ ପ୍ରୋତ୍ସାହନ ରାଶି ଦେବା ଉପରେ ବିଚାର କରୁଛି । ଘରେ ରହି ପିଲାଙ୍କ ଯତ୍ନ ଏବଂ ଘର କାମ କରୁଥିବା ମହିଳାଙ୍କୁ ପ୍ରତି ମାସରେ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ରୁଷ ପେନସନ ଗଣନାରେ ସାମିଲ କରିପାରେ । 

ପ୍ରଥମ ଡେଟ୍‌ର ପୂରା ଖର୍ଚ୍ଚ ବହନ

ଅନ୍ୟ ଏକ ପରାମର୍ଶରେ ସରକାର ଦମ୍ପତିଙ୍କୁ ସେମାନଙ୍କ ପ୍ରଥମ ଡେଟ୍ ପାଇଁ ଟଙ୍କା ପ୍ରଦାନ କରିବେ । ଏଥିପାଇଁ ଖର୍ଚ୍ଚ ସୀମା ୫ ରୁବେଲ ରଖାଯାଇଛି । ଏହାସହ ହୋଟେଲରେ ଆୟୋଜିତ ହେବାକୁ ଥିବା ବିବାହ ରାତିର ଖର୍ଚ୍ଚ ବହନ ଉପରେ ବିଚାର କରାଯାଉଛି । ଏଥିପାଇଁ ୨୬,୩୦୦ ରୁବଲ ପ୍ରଦାନ ପାଇଁ ଯୋଜନା ରହିଛି ।

ଅଫିସ୍ ଲଞ୍ଚ୍ ବ୍ରେକରେ ସେକ୍ସ ପାଇଁ ସୁପାରିଶ

ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ୟେବଗେନି ସେସ୍ତୋପାଲୋଭ କହିଛନ୍ତି ଯେ ରୁଷ ଲୋକ କାର୍ଯ୍ୟାଳୟ ଏବଂ କାରଖାନାରେ କଫି ଏବଂ ଅପରାହ୍ଣରେ ଭୋଜନ ବିରତି ବେଳେ ସେକ୍ସ କରିପାରିବେ । ମସ୍କୋରେ ମହିଳା କର୍ମଚାରୀଙ୍କୁ ସେକ୍ସ ଏବଂ ମାସିକ ଋତୁସ୍ରାବ ସହ ଜଡ଼ିତ ପ୍ରଶ୍ନର ଜବାବ ଦେବା ଜରୁରି, ଯଦି କିଏ ଜବାବ ଦେବାକୁ ମନା କେଲେ ତେବେ ତାଙ୍କୁ ଡାକ୍ତରଙ୍କ ନିକଟରୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.