ଜେଲେନସ୍କିଙ୍କ ଆମେରିକା ଗସ୍ତ ଉପରେ କ୍ରେମଲିନର ବଡ ଅଭିଯୋଗ, ୱାଶିଂଟନ ଲଢୁଛି ଛଦ୍ମ ଯୁଦ୍ଧ
22/12/2022 at 10:41 PM

ନୂଆଦିଲ୍ଲୀ: ରୁଷ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ରାଷ୍ଟ୍ରପତି ପୁଟିନଙ୍କ ସାକ୍ଷାତ ଉପରେ ଗୁରୁବାର ବଡ଼ ବୟାନ ଦେଇଛନ୍ତି । ୟୁକ୍ରେନକୁ ପାଟରିୟଟ ମିସାଇଲ ପ୍ରଣାଳୀ ଯୋଗାଇବା ନେଇ ଆମେରିକା ଘୋଷଣା କିଭ୍ ଏବଂ ମସ୍କୋ ମଧ୍ୟର ଯୁଦ୍ଧକୁ ଶାନ୍ତ କରିବ ନାହିଁ ଏବଂ ରୁଷକୁ ନିଜ ଲକ୍ଷ୍ୟ ହାସଲ କରିବାରେ ଅଟକାଇ ପାରିବ ନାହିଁ ବୋଲି କ୍ରେମଲିନ କହିଛି । ଉଲ୍ଲେଖଯୋଗ୍ୟ ଯେ ପାଟରିୟଟ ଆମେରିକାର ସବୁଠୁ ଉନ୍ନତ ଧରଣର ଏୟାର ଡିଫେନ୍ସ ପ୍ରଣାଳୀ । ଏହା ବାଲିଷ୍ଟିକ୍ ଏବଂ ଏୟାରକ୍ରାଫ୍ଟ ମିସାଇଲ ବିପଦକୁ ଏଡାଇ ପାରିବାର କ୍ଷମତା ରଖିଛି ।
କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, ‘ଜେଲେନସ୍କିଙ୍କ ଆମେରିକା ଗସ୍ତ ସମୟରେ କୌଣସି ପ୍ରକାର ଶାନ୍ତି ଆଲୋଚନର ସଂକେତ ମିଳି ନାହିଁ । ଅନ୍ୟପଟେ ରୁଷ ସହ ଆମେରିକା ଛଦ୍ମ ଯୁଦ୍ଧ ଲଢୁଥିବା ପ୍ରମାଣ ମିଳୁଛି । ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଚିନ୍ତା ବିଷୟରେ ଶୁଣିବାକୁ ଅଚ୍ଛୁକ ନାହାନ୍ତି’ ।
କ୍ରେମଲିନ ମୁଖପାତ୍ର କହିଛନ୍ତି, ‘ଆମେ ଦୁଃଖର ସହ କରିବାକୁ ଚାହୁଁଛୁ ଯେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ବାଇଡେନ କିମ୍ୱା ରାଷ୍ଟ୍ରପତି ଜେଲେନସ୍କି କେହି ମଧ୍ୟ ରୁଷର ଚିନ୍ତାକୁ ଗୁରୁତ୍ୱର ସହ ଶୁଣିବା ଉପରେ କୌଣସି ଗୋଟିଏ ଶବ୍ବ ବି କହିନାହାନ୍ତି । ବରଂ ୟୁକ୍ରେନ ଜରିଆରେ ଆମେରିକା ରୁଷ ବିରୋଧରେ ଛଦ୍ମ ଯୁଦ୍ଧ ଲଢୁଥିବା ଏହା ସୂଚାଉଛି’ ।
ଜେଲେନସ୍କିଙ୍କ ଆମେରିକା ଗସ୍ତର କିଛି ଘଣ୍ଟା ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ ଦେଶର ସୈନ୍ୟ ଶକ୍ତିକୁ ବଢାଇବା ନେଇ ଘୋଷଣା କରିଥିଲେ। ଏହାସହ ଆସନ୍ତା ବର୍ଷ ଦେଶର ନ୍ୟୁକ୍ଲିୟର ଫୋର୍ସ ବଢାଇବା ନେଇ ମଧ୍ୟ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରୀ ୨୪ରେ ରୁଷ ଆକ୍ରମଣ ପରଠୁ ଜେଲେନସ୍କି ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ଯାତ୍ରାରେ ଆମେରିକା ପହଞ୍ଚିଛନ୍ତି।