ଦଶମ ପାସ୍ ନିର୍ମାଣ କଲେ ଇ-ବାଇକ, ଥରେ ଚାର୍ଜ ହେଲେ ଯାତ୍ରା କରିହେବ ୨୦୦ କିମି ଯିବ

Published By : Prameya-News7 Bureau | July 31, 2022 IST

ନୂଆଦିଲ୍ଲୀ ୩୧/୦୭: ମାତ୍ରାଧିକ ଜୈବ ଇନ୍ଧନ ବ୍ୟବହାର ପରିବେଶକୁ କ୍ଷତି ପହଞ୍ଚାଉଛି । ସେପଟେ ପେଟ୍ରାଲ ଓ ଡିଜେଲ ମୂଲ୍ୟ ବଢ଼ିଚାଲିଛି । ଏହି ସ୍ଥିତିରେ ଇଲେକ୍ଟ୍ରିକ୍‌ ଯାନ ପ୍ରମୁଖ ବିକଳ୍ପ ରୂପେ ଉଭା ହୋଇଛି । ଏହି କ୍ରମରେ ପଞ୍ଜାବର ଜଣେ ଯୁବକ ଏକ ଇ-ବାଇକ୍‌ ନିର୍ମାଣ କରିଛନ୍ତି । ଥରେ ଚାର୍ଜ ହେଲେ ଏହା ୨୦୦ କିମି ଯିବ ।

ଶ୍ରୀ ମୁକ୍ତସର ସାହିବ ଜିଲ୍ଲା ସ୍ଥିତ କୋଟଲି ଆବ୍‌ଲୁ ବାସିନ୍ଦା ସିମରଜିତ ସିଂହ ବ୍ରାର୍‌ ହେଉଛନ୍ତି ଏହି ଇ-ବାଇକ୍‌ର ନିର୍ମାତା । ବଜାରରେ ଉପଲବ୍ଧ ଇ-ବାଇକ୍‌ ଅପେକ୍ଷା ତାଙ୍କ ଯାନ ଶସ୍ତା । ସମରଜିତ ଜଣେ ଇଞ୍ଜିନିୟର ନୁହନ୍ତି । କେବଳ ୧୦ମ ପାସ୍‌ କରିଛନ୍ତି । ନିଜର ରୁଚି ଓ ପାସନ୍‌ ଯୋଗୁ ସେ ଏଭଳି ବାଇକ୍‌ ନିର୍ମାଣ କରିଛନ୍ତି ।

ପ୍ରଥମ ଇ-ବାଇକ୍‌ ନିର୍ମାଣ ପରେ ଲୋକେ ତାଙ୍କୁ ଅଧିକ ବାଇକ୍‌ ପାଇଁ ଅର୍ଡର୍‌ କଲେ । ଏବେ ସୁଦ୍ଧା ସେ ୪୬ଟି ବାଇକ୍‌ ନିର୍ମାଣ କରିସାରିଲେଣି । ଲୋକଙ୍କଠାରୁ ବାଇକ୍‌କୁ ନେଇ କୌଣସି ଅଭିଯୋଗ ପାଇନାହାନ୍ତି ବୋଲି ସମରଜିତ କହିଛନ୍ତି । ବାଇକ୍‌ ମରାମତି ପାଇଁ ମଧ୍ୟ ତାଙ୍କ ପାଖକୁ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି ।

ଆର୍ଥିକ ସମସ୍ୟା ଯୋଗୁ ସମରଜିତ ଅଧିକ ଅଧ୍ୟୟନ କରିପାରିଲେ ନାହିଁ । କେତେବେଳେ ସେ ପରିବା ବିକ୍ରି କଲେ, ଆଉ କେତେବେଳେ ଡେଲିଭରି ବଏ କାର୍ଯ୍ୟ କଲେ । ଏବେ କିନ୍ତୁ କଠିନ ପରିଶ୍ରମ ଓ ଦକ୍ଷତା ଦ୍ୱାରା ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ କହିଛନ୍ତି ‘ମୋ ବାପା ଜଣେ କୃଷକ ।

ଚାଷରେ ଲାଗୁଥିବା ଟ୍ରାକ୍ଟର ଖରାପ ହେଲେ ବାପା ଓ ଜେଜେବାପା ମିଶି ତାକୁ ମରାମତି କରନ୍ତି । ମୁଁ ସେମାନଙ୍କୁ ଦେଖି ବଡ଼ ହେଲି । ଏ କ୍ଷେତ୍ରରେ ମୋର ରୁଚି ବଢ଼ିଲା । ପିଲାଦିନେ ମୁଁ ବଜାରରେ ମିଳୁଥିବା ବୈଦ୍ୟୁତିକ ଖେଳଣା ପସନ୍ଦ କରୁନଥିଲି । ନିଜେ ପ୍ରସ୍ତୁତ କରୁଥିବା ଖେଳଣାରେ ଖେଳୁଥିଲି । ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମୁଁ ଇଞ୍ଜିନିୟରିଙ୍ଗ କରିପାରିଲି ନାହିଁ । ତେଣୁ ନିଜେ ନିଜେ ସବୁକିଛି ଶିଖିଲି ।

୧୪ ବର୍ଷ ବୟସରେ ସମରଜିତ କାମ କରିବା ଆରମ୍ଭ କଲେ । ଘର ଲୋକେ ଚାହୁଁଥିଲେ, ସେ ଡାକ୍ତର ହୁଅନ୍ତୁ । କିନ୍ତୁ ଘରର ସ୍ଥିତି ସେ ଭଲଭାବେ ବୁଝିଥିଲେ । ତେଣୁ ଛୋଟ ଛୋଟ କାମ କଲେ । କିନ୍ତୁ ସେଥିରେ ତାଙ୍କର ରୁଚି ନ ଥିଲା । ନିଜ କୌଶଳ ବଳରେ ଏକ ବୈଦ୍ୟୁତିକ ବାଇକ୍‌ ପ୍ରସ୍ତୁତ କରିବାକୁ ସେ ଚାହୁଁଥିଲେ । ଥରେ ଗାଁରେ ଏକ ଇଲେକ୍ଟ୍ରିକ୍‌ ସ୍କୁଟି ଦେଖିବା ପରେ ନିଜେ ଏକ ଇ-ବାଇକ୍‌ ନିର୍ମାଣ କରିବାକୁ ସେ ନିଷ୍ପତ୍ତି ନେଲେ ।

ୟୁଟ୍ୟୁବ୍‌ ଦେଖି ଏ ବିଷୟରେ ସମସ୍ତ ସୂଚନା ସଂଗ୍ରହ କଲେ । ପ୍ରଥମେ ନିଜର ପୁରୁଣା ବାଇକ୍‌କୁ ଇ-ବାଇକ୍‌ରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ଉପକରଣ କିଣିବାକୁ ଅର୍ଥ ସଂଗ୍ରହ କଲେ । ରାତିରେ ଇ-ବାଇକ୍‌ ବିଷୟରେ ସେ ଗବେଷଣା କରୁଥିଲେ ଏବଂ ଦିନରେ ଏହାର ନିର୍ମାଣରେ କଠିନ ପରିଶ୍ରମ କରୁଥିଲେ । ଶେଷରେ ପ୍ରଥମ ଇ-ବାଇକ୍‌ ସଫଳତାପୂର୍ବକ ସେ ନିର୍ମାଣ କଲେ । ତାହା ମାତ୍ର ୩୦ କିମି ଯାଇପାରିଲା ।

ପରେ ଏଥିରେ ଅନେକ ପରିବର୍ତ୍ତନ କଲେ, ଯାହା ଫଳରେ ବାଇକ୍‌ର ହାରାହାରି ବେଗ ୫୦ କିମି ବଢ଼ିଲା । ଏହି ବାଇକ୍‌ ନିର୍ମାଣ ଲାଗି ତାଙ୍କର ୫୦ ହଜାର ଟଙ୍କା ଖର୍ଚ୍ଚ ହେଲା । ପ୍ରଥମେ ତାଙ୍କୁ ଏଥିପାଇଁ ସମସ୍ତେ ପ୍ରତିବାଦ କଲେ । ଏହି ମୂଲ୍ୟରେ ଏକ ନୂଆ ବାଇକ୍‌ ଆସିଯିବ ବୋଲି ଘର ଲୋକେ କହିଲେ । ସମରଜିତ କିନ୍ତୁ କାହା କଥା ଶୁଣିଲେ ନାହିଁ । ଇ-ବାଇକ୍‌ ନିର୍ମାଣ ପରେ ତାକୁ ଧରି ଗାଁରେ ବୁଲିଲେ ।

ଜଣେ ବ୍ୟକ୍ତି ତାଙ୍କ ବିଚାରକୁ ପସନ୍ଦ କଲେ ଏବଂ ଏକ ବାଇକ୍‌ ନିର୍ମାଣ କରିବାକୁ ତାଙ୍କୁ କହିଲେ । ସମରଜିତ ପ୍ରଥମ ବାଇକ୍‌ଠାରୁ ଅଧିକ ଉନ୍ନତ ଓ ବେଗଯୁକ୍ତ ବାଇକ୍‌ ନିର୍ମାଣ କଲେ । ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଲୋକେ ତାଙ୍କ ପାଖକୁ ଆସିଲେ । ଗତ ୧ ବର୍ଷ ତଳୁ ସେ ଇ-ବାଇକ୍‌ ନିର୍ମାଣ କରୁଛନ୍ତି ।

ତାଙ୍କ ବାପା, ଦାଦା ବି ତାଙ୍କ ସହ ମିଶି କାମ କରୁଛନ୍ତି । ତାଙ୍କ ଇ-ବାଇକ୍‌ର ଘଣ୍ଟା ପ୍ରତି ବେଗ ୮୦ କିମି । ଥରେ ଚାର୍ଜ ହେଲେ ଏହା ସର୍ବାଧିକ ୨୦୦ କିମି ଯାଉଛି । ବାଇକ୍‌ ଚାର୍ଜ ହେବାକୁ ୩ ଘଣ୍ଟା ସମୟ ଲାଗୁଛି । ଆଗକୁ ସମରଜିତ ଇ-ଟ୍ରାକ୍ଟର୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏହା ଚାଷୀଙ୍କୁ ଖୁବ୍‌ ସାହାଯ୍ୟ କରିବ ଏବଂ ତାଙ୍କ ସ୍ୱପ୍ନ ମଧ୍ୟ ପୂରଣ ହେବ ବୋଲି ସେ କହନ୍ତି । ତେବେ ଏଥିପାଇଁ ସେ ନିବେଶକ ଖୋଜୁଛନ୍ତି ।

ଯୁବପିଢ଼ି ଚାକିରି କରିବାକୁ ବିଦେଶ ଯାଉଥିବାବେଳେ ନିଜ ଦେଶରେ ନିଜ ପରିଶ୍ରମରେ କାମ କରିବାକୁ ଚାହାନ୍ତି ସମରଜିତ । ଏକ ଇ-ଯାନ କମ୍ପାନି ଖୋଲିବା ତାଙ୍କ ଲକ୍ଷ୍ୟ, ଯାହା ଦ୍ୱାରା ଅଧିକ ଲୋକଙ୍କୁ ସେ ଚାକିରି ପ୍ରଦାନ କରିପାରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.