ମାଟିରେ ମିଶିବ କୋରାପୁଟ ନୂତନ ମଡେଲ ଡିଗ୍ରୀ କଲେଜ ! ଭାରତମାଳା ପରିଯୋଜନାରେ ଭାଙ୍ଗିବ ବିଲ୍ଡିଂ

Published By : Prameya-News7 Bureau | September 28, 2021 IST

କୋରାପୁଟ, ୨୮।୦୯ : ମାଟିରେ ମିଶିବ କୋରାପୁଟର ନୂତନ ମଡେଲ୍ ଡିଗ୍ରୀ କଲେଜ୍ ! ଶତ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି। ଆଉ ମାତ୍ର କିଛି ଦିନ ପରେ ଏହା ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥାନ୍ତା। କିନ୍ତୁ ଭାରତମାଳା ପରିଯୋଜନା ପାଇଁ ଭାଙ୍ଗିବ କୋରାପୁଟ ମଡେଲ୍ କଲେଜ।ପାଣିରେ ପଡିବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୦ କୋଟିରୁ ଅଧିକ ଟଙ୍କା। ଦୂରଦୃଷ୍ଟି ଅଭାବରୁ ୧୦ କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ ହେବ ।

ମାଟିରେ ମିଶିବ କି କୋରାପୁଟ ସେମିଳିଗୁଡାରେ ଥିବା ନୂତନ ମଡେଲ୍ ଡିଗ୍ରୀ କଲେଜ୍ ? ଭାରତମାଳା ପରିଯୋଜନା ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରିବା ପରେ କଲେଜର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରାୟପୁରରୁ ବିଶାଖାପାଟଣା ଯିବାକୁ ଥିବା ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ପରେ ଧୂଳିସାତ ହୋଇଯିବ ନବନିର୍ମିତ ମଡେଲ ଡିଗ୍ରୀ କଲେଜ। ଏହି ବିଶାଳ ଭବନକୁ ଧ୍ୱଂସ କରିଦିଆଯିବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ସତ୍ୟନାରାୟଣ ଖୁରା ସୂଚନା ଦେଇଛନ୍ତି । ଏହି ଭବନ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପରିବର୍ତିତ ସ୍ଥାନରେ ପୁଣି ଏକ ନୂତନ ଭବନ ନିର୍ମାଣ ପାଇଁ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି ।

ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୧୮ ମସିହାରେ କେନ୍ଦ୍ର ସରକାର କୋରାପୁଟ ସମେତ ୬ଟି ଜିଲ୍ଲାରେ ମଡେଲ କଲେଜ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ଏହି କଲେଜକୁ ପୂର୍ଣ୍ଣ ରୁପ ଦେବାକୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟସରକାର ୪୦ ପ୍ରତିଶତ ଅର୍ଥ ଭରଣା କରିସାରିଛନ୍ତି। ଅଧାରୁ ପାଠ ଛାଢୁଥିବା ଯୁବତୀଙ୍କୁ ଘର ନିକଟରେ ଶିକ୍ଷା ଦେବାକୁ ଏହି କଲେଜ ପ୍ରତିଷ୍ଠା ହୋଇଥିଲା। ଭାରତମାଳା ସଡକ ଏହି କଲେଜ ଦେଇ ଯାଉଥିବା ଜାଣିବା ପରେ ମଧ୍ୟ ଅସମ୍ପୂର୍ଣ୍ଣ ଭବନକୁ କାହିଁକି ସମ୍ପୂର୍ଣ କରାଗଲା ସେ ନେଇ କୋରାପୁଟର ପୂର୍ବତନ ସାଂସଦ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଏହି କଲେଜ ଭାଙ୍ଗିଲେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ଶିକ୍ଷାଦାନ ଆରମ୍ଭ ହେବାର ଲକ୍ଷ୍ୟ ରଖାଯାଇଛି । ହେଲେ କେମିତି ଶିକ୍ଷାଦାନ ଆରମ୍ଭ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.