କଂଗ୍ରେସ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ସଗରିଆ ; ବର୍ଷିଲେ ନିରଞ୍ଜନଙ୍କ ଉପରେ, ଶ୍ରୀକାନ୍ତଙ୍କୁ କଲେ ପ୍ରଶଂସା

Published By : Prameya-News7 Bureau | October 01, 2018 IST

ଭୁବନେଶ୍ୱର ୧/୧୦ : କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଆଜି ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି | ୨ ଦିନ ତଳେ ତାଙ୍କୁ କଂଗ୍ରେସ ଏସଟି ଏସସି ସେଲର ଅଧ୍ୟକ୍ଷ ପଦରୁ ହଟା ଯାଇ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିଲା | ସେ ଯଦି କଂଗ୍ରେସ ଦଳିତ ସେଲର ଅଧ୍ୟକ୍ଷ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପାରିଲେ ନାହିଁ ତାହେଲେ ସାଧାରଣ ସମ୍ପାଦକ ପଦ କିଭଳି ସମ୍ଭାଳି ପାରିବେ ବୋଲି କ୍ଷୋଭର ସହିତ କହିଛନ୍ତି କୃଷ୍ଣ ଚନ୍ଦ୍ର | ଇସ୍ତଫା ପ୍ରଦାନ ପାଇଁ ଡ଼ାକିଥିବା ସାମ୍ବାଦିକ ସମ୍ମିଳନୀରେ କୃଷ୍ଣ ଚନ୍ଦ୍ର ସଗରିଆ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଥିବା ବେଳେ ବରିଷ୍ଠ ନେତା ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି | ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଏକ ଲିମିଟେଡ଼ କମ୍ପାନୀ ଭଳି ଚାଲିଛି ବୋଲି କୃଷ୍ଣ ଅଭିଯୋଗ କରିବା ସହ ଏ ସମସ୍ତ ବିଷୟରେ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟରେ ସେ ଫେରାଦ ହେବେ ବୋଲି କହିଛନ୍ତି | ଅପରପକ୍ଷରେ ସେ ବିଜେଡିକୁ ଯିବା ନେଇ ଚାଲିଥିବା ଚର୍ଚ୍ଚା ଭିତ୍ତିହୀନ ବୋଲି କହିଛନ୍ତି | ସେ କଂଗ୍ରେସ ଦଳରେ ରହିବେ, ଟିକେଟ ନମିଳିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି | କୁନ୍ଦୁଲି ପ୍ରସଙ୍ଗରେ ବିଜେଡିରୁ ବହିସ୍କୃତ ନେତା ଡାକ୍ତର ଦାମୋଦର ରାଉତ ଦେଇଥିବା ମନ୍ତବ୍ୟକୁ ସେ ସମର୍ଥନ କରିଛନ୍ତି | ଦଳିତ ଭୋଟ ମନକୁ ଆସେନି , ସେମାନଙ୍କ ପାଇଁ କାମ କରିବା ଆବଶ୍ୟକ ବୋଲି କୃଷ୍ଣ କହିଛନ୍ତି | ଜଣେ ଦଳିତ ବିଧାୟକ ହିସାବରେ ସେ କଂଗ୍ରେସ ଭିତରେ ଓ ବାହାରେ ଦଳିତମାନଙ୍କ ପାଇଁ କାମ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି | ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରିବା ସମ୍ଭବ ନୁହେଁ ବୋଲି କୃଷ୍ଣ ସିଧାସଳଖ କହିଛନ୍ତି | ତେବେ କଂଗ୍ରେସ ଯଦି କ୍ଷମତାକୁ ଆସେ ତାହେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦଳିତ ନେତା ହେବେ ବୋଲି ଶ୍ରୀକାନ୍ତ ଜେନା ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରି କୃଷ୍ଣ କହିଥିଲେ ଯେ, ଏ ରାଜ୍ୟକୁ କେବଳ ପଟ୍ଟନାୟକମାନେ ଶାସନ କରିବେ ସେମିତି କିଛି ନାହିଁ | ରାଜ୍ୟରେ ସଂଖ୍ୟାଧିକ ଦଳିତ ଅଛନ୍ତି | ତେଣୁ ଦଳିତ ନେତା ହିଁ ମୁଖ୍ୟମନ୍ତ୍ରୀ ହେବା କଥା | ସେହିଭଳି ଖଣି ଦୁର୍ନୀତି ରାଜ୍ୟର ଗୋଟିଏ ବଡ ପ୍ରସଙ୍ଗ ବୋଲି କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ କହିଛନ୍ତି | ନିରଞ୍ଜନ ପଟ୍ଟନାୟକଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରି ତାଙ୍କ ଦଳରେ ମଧ୍ୟ ଖଣି ଦୁର୍ନୀତିରେ ଲିପ୍ତ ଥିବା ନେତା ଅଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ କୃଷ୍ଣ କହିଥିଲେ ଯେ, ଦୁର୍ନୀତିର କୌଣସି ଦଳ ନଥାଏ | ଗତ କିଛି ଦିନ ହେଲା କୃଷ୍ଣ ଚନ୍ଦ୍ର ସଗରିଆ ଦଳ ମଧ୍ୟରେ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି | ଆଜି କୃଷ୍ଣ ଇସ୍ତଫା ଦେବା ପରେ ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ଏବଂ ଶ୍ରୀକାନ୍ତ ଜେନାଙ୍କୁ ପ୍ରଶଂସା କରିବା ପ୍ରସଙ୍ଗରୁ ପ୍ରଦେଶ କଂଗ୍ରେସରେ ଗୋଷ୍ଠୀ ବିବାଦ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି ବୋଲି ସଂକେତ ଦେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.