କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ପାଇଁ ବୈଠକ –ଏହି ବିଷୟରେ ନିଆଗଲା ନିଷ୍ପତ୍ତି
1/03/2020 at 8:10 PM

ଭୁବନେଶ୍ୱର – କୋଣାର୍କ ମନ୍ଦିରରୁ ବାଲି କାଢ଼ିବା ନେଇ ଏବେ ଗତକାଲିଠାରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ନାନା ପ୍ରଶ୍ନ ମଧ୍ୟ ଯୋଡ଼ି ହୋଇଛି । କୋଣାର୍କରେ ହୋଇଥିବା ହୋଇଥିବା ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ରରେ ଏନେଇ ବିଶେଷଜ୍ଞମାନେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ଏହା ଯେପରି କୋଣାର୍କର ସ୍ଥାୟିତ୍ବ ଉପରେ କୋଣସି ଆଞ୍ଚ ନ ଆଣେ ସେଥିପ୍ରତି ସତର୍କ ରହିବା ଉପରେ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି କୋଣାର୍କ ସୁରକ୍ଷା ପାଇଁ ସ୍ଥାନୀୟ ସ୍ଥପତିଙ୍କ ମତାମତ କାହିଁକି ନିଆ ଯାଉନି ବୋଲି ମଧ୍ୟ ସମାଲୋଚନା ହେଉଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଯଦି ବାଲି କଢାଯାଏ, ତେବେ ସେଠାରେ କି ବ୍ୟବସ୍ଥା ଗ୍ରହଣ କରାଯିବ ? ବାଲି କଢାଗଲେ ଆଧାଭଙ୍ଗା ମୁଖଶାଳା ସମ୍ପୂର୍ଣ୍ଣ ଭୁଶୁଡ଼ି ଯିବନି ତ ? ବାଲି କାଢି ଷ୍ଟିଲ କିମ୍ବା ପଥର ଖୁମ୍ବ ବସାଇ ଭଗ୍ନ ମୁଖଶାଳାକୁ ସୁରକ୍ଷା ଦିଆଯାଇ ପାରିବ ତ ? କୋଣାର୍କ ମନ୍ଦିରର ସଂରକ୍ଷଣ ପାଇଁ ଭାରତୀୟ ପ୍ରତ୍ନତତ୍ବ ବିଭାଗ ବା ASI ପକ୍ଷରୁ ଫେବୃଆରୀ ୨୮ ଏବଂ ୨୯ରେ ଆୟୋଜିତ ହୋଇଥିବା ଜାତୀୟ କର୍ମଶାଳାରେ ଜଗମୋହନରୁ ବାଲି କାଢିବା ପାଇଁ ପରାମର୍ଶ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ବେଳେ ଏନେଇ ଉଦ୍ୟମ ହେବା ନେଇ ଆଶ୍ବାସନା ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଇଂରେଜ ଅମଳରେ ଜଗମୋହନର ସୁରକ୍ଷା ପାଇଁ ଜମା କରାଯାଇଥିବା ବାଲି ଇତିମଧ୍ୟରେ ୧୫ରୁ ୧୭ ମିଟର ଦବି ଗଲାଣି । ବର୍ଷା ହେଲେ ମନ୍ଦିର ଫାଟରେ ପାଣି ଗଳି ଜଗମୋହନ ଭିତରେ ଜମୁଛି । ସେଥିପାଇଁ ମନ୍ଦିର ପ୍ରତି ବିପଦ ବଢୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । କିନ୍ତୁ ବାଲି କାଢିବା ନେଇ ଚୁଡ଼ାନ୍ତ ନିଷ୍ପତ୍ତି ପାଇଁ ASI ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯିବ । ଲେଜର ସ୍କାନିଙ୍ଗ ଏବଂ ଅନ୍ୟାନ୍ୟ scientific investigation ରିପୋର୍ଟକୁ ଅନୁଧ୍ୟାନ କଲାପରେ ହିଁ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । କିନ୍ତୁ ଓଡ଼ିଶାର ଗର୍ବ ଗୌରବ କୋଣାର୍କର ରକ୍ଷଣାବେକ୍ଷଣ ପାଇଁ ଉଦ୍ୟମରେ ସ୍ଥାନୀୟ ସ୍ଥପତିଙ୍କ ମତ କାହିଁକି ନିଆଯାଉନି ବୋଲି ମଧ୍ୟ ସମାଲୋଚନା ହେଉଛି ।

– ବାଲି କଢାଯାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଗଲେ କୋଣାର୍କକୁ ପୁଣି ୫୦୦ରୁ ୭୦୦ ବର୍ଷ ସୁରକ୍ଷିତ ରଖା ଯାଇ ପାରିବ ବୋଲି ଏ.ଏସ.ଆଇ.ର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ କହିଛନ୍ତି । ସେପଟେ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରତି ୩ ମାସରେ ଥରେ କୋଣାର୍କର ସ୍ଥିତି ନେଇ ସମୀକ୍ଷା ରିପୋର୍ଟ ଦେବାକୁ ଦାୟିତ୍ବ ଦିଆଯାଇଛି । ଅବଶ୍ୟ କୋଣାର୍କର ସୁରକ୍ଷା ଦାୟିତ୍ବ କେନ୍ଦ୍ର ସରକାର ଏବଂ ପ୍ରତ୍ନତତ୍ବ ବିଭାଗର ବୋଲି ସେ କହିଛନ୍ତି ।

ପୂର୍ବରୁ କୋଣାର୍କ ମନ୍ଦିରର ସ୍ଥିତି ସମ୍ପର୍କରେ ରୁର୍କିର ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CBRI)ର ଯାଞ୍ଚ ରିପୋର୍ଟରେ ଜଗମୋହନ ସ୍ଥିତି ବିପଦଜନକ ଥିବା ଉଲ୍ଲେଖ କରାଯାଇଥିଲା । ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ଅଧିକ ବାଲି ଭର୍ତ୍ତି ପାଇଁ CBRI ପରାମର୍ଶ ଦେଇଥିଲା ତେବେ ମନ୍ଦିରର ସୁରକ୍ଷା ନେଇ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଉଚିତ୍ ପଦକ୍ଷେପ ନିଆ ନଯିବା ଉଦବେଗର ବିଷୟ ହୋଇଛି ।