କୋଲକାତାର ରିସର୍ଚ୍ଚ ସ୍କୋଲାରଙ୍କ ଯୁଗାନ୍ତକାରୀ ଆବିଷ୍କାର, ଏବେ ସମ୍ଭବ ହେବ ଟ୍ୟୁମରର ଚିକିତ୍ସା
5/07/2019 at 5:44 PM

ନ୍ୟୁୟର୍କ: କୋଲକାତାର ଜନୈକ ରିସର୍ଚ୍ଚ ସ୍କୋଲାର ଟ୍ୟୁମରର ମୁକାବିଲା କରିପାରୁଥିବା ବ୍ୟାକ୍ଟେରିଆର ଅନୁସନ୍ଧାନ କରିଛନ୍ତି। ଏହି ବ୍ୟାକ୍ଟେରିଆ ମାନବ ଶରୀରର ରୋଗ ପ୍ରତିଷେଧକ ପ୍ରଣାଳୀକୁ ମଜଭୁତ କରିବା ସହ ବଡ ଟ୍ୟୁମରର ମୁକାବିଲା କରିବାରେ ସହାୟକ ହୋଇଥାଏ। ଏହି ପିଏଚଡି ସ୍କୋଲାରଙ୍କ ନାମ ଶ୍ରେୟନ ଚୌଧୁରୀ। ସେ ନ୍ୟୁୟର୍କର କୋଲମ୍ବିଆ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଛନ୍ତି। ଚୌଧୁରୀ ଅନୁସନ୍ଧାନ କରିଥିବା ବ୍ୟାକ୍ଟେରିଆକୁ ଇ-କୋଲି ନାମ ଦେଇଛନ୍ତି। ଯାହାକୁ ଏବେ ଆଣ୍ଟି ଟ୍ୟୁମର କୁହାଯାଉଛି।
ଚୌଧୁରୀଙ୍କ ଗବେଷଣା ଏବେ ପ୍ରୟୋଗ ସ୍ତରରେ ରହିଛି। ତେବେ ଏହାର ପ୍ରୟୋଗରେ ଲିମ୍ଫୋ ନାମକ ଏକ ବେମାରୀର ସଫଳ ଚିକିତ୍ସା ହୋଇପାରିଥିବା ଜଣାପଡଛି। ଏହି ବ୍ୟାକ୍ଟେରିଆ ସମ୍ପର୍କରେ ନିକଟରେ ପ୍ରକାଶିତ କୋଲମ୍ବିଆ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲ ‘ନେଚର ମେଡିସିନ ’ରେ ସନ୍ଦର୍ଭ ମଧ୍ୟ ପ୍ରକାଶିତ ହୋଇଛି। ଶ୍ରେୟନ ଚୌଧୁରୀଙ୍କ ଅନୁସାରେ ପ୍ରାୟତଃ ଟ୍ୟୁମରର କାରଣ ଶରୀରର କୋଷିକାମାନଙ୍କରେ ଏକ ସ୍ୱତନ୍ତ୍ର ପ୍ରୋଟିନ ଯୋଗୁ ହୋଇଥାଏ। ଏହି ପ୍ରୋଟିନକୁ ସିଡି-୪୭ କୁହାଯାଏ। ଏହି ପ୍ରୋଟିନ ନ ଖାଇବା ଲାଗି ଆମ ଶରୀର କିଛି ସଂକେତ ମଧ୍ୟ ଦିଏ। ତେବେ ଆମେ ଏହାକୁ କେହି ବୁଝି ପାରନ୍ତି ନାହିଁ । ଏହି ପ୍ରୋଟିନ ସମ୍ପର୍କରେ ଏବେ ଗବେଷଣା କରୁଥିବା କହିଛନ୍ତି ଶ୍ରେୟନ।
ଭାରତର କୋଲକାତା ସହରରେ ଜନ୍ମିତ ଶ୍ରେୟନ ଆମେରିକାରେ ଗ୍ରାଜୁଏସନ କରିଥିଲେ। ପରେ ବାୟୋଲଜିକାଲ ଇଞ୍ଜିନିୟରିଂର ଆସିଷ୍ଟାଣ୍ଟ ପ୍ରଫେସର ଟାଲ ଡାନିନୋ ଓ କଲୋମ୍ବିଆ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଆର୍ଫିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବେ ପିଏଚଡି କରୁଛନ୍ତି। ବ୍ୟେକ୍ଟେରିଆ ଯୋଗୁ ବ୍ରେଷ୍ଟ ଓ ସ୍କିନ କ୍ୟାନସର ହୋଇଥାଏ। ତେବେ ଚିକିତ୍ସା ସତ୍ତ୍ୱେ ଏହି ବ୍ୟାକ୍ଟେରିଆଙ୍କର ପୁରା ସଫେଇ ହୋଇ ନଥାଏ। ସେମାନେ ପୁଣି ଆକ୍ରାନ୍ତ କରିବାର ସମ୍ଭାବନା ଥାଏ । ଏଣୁ ଶ୍ରେୟନଙ୍କ ଗବେଷଣା ପରେ ଏଭଳି ରୋଗରୁ ରୋଗୀ ଥରକରେ ରୋଗମୁକ୍ତ ହୋଇ ପାରିବେ।