ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ କୋଲକାତା, ୧୬୫ ରନରେ ଅଟକିଲା ଦଳର ସ୍କୋର
9/05/2022 at 9:30 PM

ମୁମ୍ବାଇ: ଲାଗୁଥିଲା କୋଲକାତା ନାଇଟ୍ ରାଇଡର୍ସର ସ୍କୋର ୧୮୦ ପାର କରିବ। ହେଲେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୬୫ ରନରେ ସୀମିତ ରହିଛି କୋଲକାତା ନାଇଟ୍ ରାଇଡର୍ସର ସ୍କୋର। ଏକଦା ୩ ଓ୍ଵିକେଟ୍ ହରାଇ ୧୨୩ ରନ କରିଥିବା କୋଲକାତା ଶେଷ ଆଡକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପକ୍ଷରୁ ଭେଙ୍କଟେଶ ଆୟର ୪୩ ଏବଂ ନୀତିଶ ରାଣା ୪୩ ରନ କରିଛନ୍ତି। ରିଙ୍କୁ ସିଂ ୨୩ ରନରେ ଅପରାଜିତ ଅଛନ୍ତି। ଯଶପ୍ରୀତ ବୁମରା ଆଇପିଏଲ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୧୦ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି।
ଓପନର ଭେଙ୍କଟେଶ ଆୟର ଏବଂ ଆଜିଙ୍କ୍ୟ ରାହାଣେ ଦଳକୁ ଭଲ ଆରମ୍ଭ ଦେଇଥିଲେ। ୫.୪ ଓଭରରେ ଦୁଇ ବ୍ୟାଟସମ୍ୟାନ ୬୦ ରନ ଯୋଡିଥିଲେ। ଆୟର ୨୪ ବଲରୁ ୩ଟି ଚୌକା ଏବଂ ୪ ଛକା ସହ ୪୩ ରନ କରିଥିଲେ। ରାହାଣେ ଧିମା ବ୍ୟାଟିଂ କରି ୨୫ ରନ କରି ପାଭିଲିୟନ ଫେରିଛନ୍ତି। ଏହା ପରେ ନୀତୀଶ ରାଣା ଏବଂ ଶ୍ରେୟସ ଆୟର ତୃତୀୟ ଓ୍ଵିକେଟରେ ୩୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୨୩ରେ ଅଧିନାୟକ ଆୟର(୬) ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ବୁମରାଙ୍କ ଘାତକ ବୋଲିଂ।
ବୁମରା ଝଡରେ ଭୁଶୁଡିଲା କୋଲକାତାର ବ୍ୟାଟିଂ କ୍ରମ। ଆନ୍ଦ୍ରେ ରସେଲ(୯)ଙ୍କୁ ଆଉଟ୍ କରି ବୁମରା କୋଲକାତାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନୀତୀଶ ରାଣା ୨୬ ବଲରୁ ୩ ଚୌକା ଏବଂ ୪ ଛକା ସହ ୪୩ ରନ କରି ଆଉଟ୍ ହୋଇଥିଲେ। ଜାକସନ(୫), ପାଟ କମିନ୍ସ(୦) ଓ ସୁନିଲ ନାରିନ(୦) ବୁମରାଙ୍କ ଶିକାର ହୋଇଥିଲେ। ରିଙ୍କ ସିଂ ଅପରାଜିତ ୨୩ ରନ କରିବାରୁ କୋଲକାତା ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିବାକୁ ସକ୍ଷମ ହୋଇଛି।