ସନ୍ଦେଶଖାଲି ହିଂସା ମାମଲା: ଶାହଜହାଁ ଶେଖ୍‌କୁ CBI ହସ୍ତାନ୍ତର ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | March 05, 2024 IST

କୋଲକାତା ୫।୩: ସନ୍ଦେଶଖାଲି ହିଂସା ମାମଲାରେ ଶାହଜହାଁ ଶେଖକୁ ତୁରନ୍ତ ସିବିଆଇ ହାତରେ ନ୍ୟସ୍ତ କରିବାକୁ କୋଲକାତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।  କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାରେ ପଶ୍ଚିମବଙ୍ଗ ପୋଲିସର ତଦନ୍ତ ଉପରେ ରୋକ ଲଗାଇଛନ୍ତି ଓ ସମ୍ପୂର୍ଣ୍ଣ ପ୍ରକରଣର ସିବିଆଇ ଯାଞ୍ଚ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇଥିବା ଶାହଜାହଁ ଶେଖକୁ ମଙ୍ଗଳବାର ଅପରାହ୍ନ ସାଢେ ୪ଟା ସୁଦ୍ଧା ସିବିଆଇ ହାତରେ ନ୍ୟସ୍ତ କରିବାକୁ ନିର୍ଦ୍ଦେଶରେ କହିଛନ୍ତି।

କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଟି.ଏସ୍.ଶିବଗଣନମ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାର ତଦନ୍ତ ନିମନ୍ତେ ଗଠିତ ଏସଆଇଟିକୁ ମଧ୍ୟ ବରଖାସ୍ତ କରିଛନ୍ତି। କୋର୍ଟ ମୋଟ ୩ଟି ମାମଲାର ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ୍ୟସ୍ତ କରିଛନ୍ତି। ଏଥିରେ ନଜାତ ଓ ବନଗାଁବ ଥାନାରେ ରୁଜୁ ଏଫଆଇଆରର ତଦନ୍ତ ସିବିଆଇ କରିବ ବୋଲି କହିଛନ୍ତି। ଏହା ସହିତ ତଦନ୍ତ ସମ୍ପର୍କିତ ସମସ୍ତ ନଥିପତ୍ର ସିବିଆଇକୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଲକାତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ବିରୋଧ କରିଛନ୍ତି ଓ ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":917406,"width":839,"height":472,"sizeSlug":"full","linkDestination":"none"}

କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଟି.ଏସ. ଶିବଗଣନମଙ୍କ ନିଷ୍ପତ୍ତି ଉପରେ ସରକାର ଆପତ୍ତି କରିବା ସହିତ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ଜାନୁୟାରୀ ୫ ତାରିଖ ଦିନ ରେସନ ବିତରଣ ଭ୍ରଷ୍ଟାଚାର ମାମଲାର ତଦନ୍ତ ନିମନ୍ତେ ଇଡି ଟିମ୍‌ ଶେଖ ଶାହଜହାଁଙ୍କ ଘରେ ଚଢଉ କରିଥିଲେ। ଯେଉଁଠାରେ କେନ୍ଦ୍ରୀୟ ଏଜେନ୍ସୀ ଅଧିକାରୀଙ୍କ ଉପରେ ଲୋକେ ସାମୂହିକ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଶାହଜାହଁ ଫେରାର ହୋଇଯାଇଥିଲା।

ମାମଲାରେ ଶାହଜହାଁ ଶେଖକୁ କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟ ଅଭିଯୁକ୍ତ କରିଥିଲା ଓ ତା ନିର୍ଦ୍ଦେଶରେ ଲୋକେ କେନ୍ଦ୍ରୀୟ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗରେ ଦାବି  କରାଯାଇଥିଲା। ମାମଲାରେ କୋଲକାତା ହାଇକୋର୍ଟଙ୍କ କଡା ଆଭିମୁଖ୍ୟ ଯୋଗୁ କୋଲକାତା ପୋଲିସ ଦୀର୍ଘ ୫୫ ଦିନ ପରେ ଶାହଜାହଁକୁ ଗିରଫ କରିଥିଲା। ଏହି ମାମଲାର ଇଡି ହାଇକୋର୍ଟରେ ପାଟିସନ ଦାଖଲ କରି ସିବିଆଇ ତଦନ୍ତ ନିମନ୍ତେ ନିବେଦନ କରିଥିଲା। ହାଇକୋର୍ଟ ୪ ମାର୍ଚ୍ଚ ସୋମବାର ଏହି ପିଟିସନର ଶୁଣାଣି କରିଥିବା ବେଳେ ମାମଲାରେ ଇଡି, ରାଜ୍ୟ ସରକାର ଓ ସିବିଆଇର ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।

{"id":917407,"sizeSlug":"full","linkDestination":"none"}

ମୁଖ୍ୟ ସୋଲିସିଟର ଜେନେରାଲ ଏସ.ଭି. ରାଜୁ ମାମଲାରେ ରାଜ୍ୟ ପୋଲିସ ପକ୍ଷପାତିତା କରୁଥିବାର ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଯଦିଓ ଶେଖ ବିରୋଧରେ ୪୦ରୁ ଅଧିକ ମୋକଦ୍ଦମା ଦୀର୍ଘ ବର୍ଷରୁ ଲମ୍ବିତ ରହିଛି ପୋଲିସ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ନଥିଲା।ତେବେ ଶେଖ ଗିରଫ ହେବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ବସିରହାଟ ପୋଲିସ ହାତରୁ ନେଇ ଅପରାଧ ଯାଞ୍ଚ ବିଭାଗ (ସିଆଇଡି)କୁ ଦେଇଥିଲେ। ତେବେ ଏହା କେବଳ ଶେଖକୁ ସିବିଆଇ ହାତରୁ ମୁକ୍ତ ରଖିବାକୁ କରାଯାଇଥିଲା ବୋଲି ସୋଲିସିଟର ଜେନେରାଲ କହିଥିଲେ। ଏଥିରେ ସିବିଆଇ ଓକିଲ କହିଥିଲେ ଯେ ଯଦି କୋର୍ଟ ନିର୍ଦ୍ଦେଶ ଦେବେ ତେବେ ଏଜେନ୍ସୀ ମାମଲାର ଯାଞ୍ଚ କରିବାକୁ ପ୍ରସ୍ତୁତ। ସେହି ଅନୁସାରେ କୋର୍ଟ ମଙ୍ଗଳବାର ସିବିଆଇ ତଦନ୍ତ ଆଦେଶ ଗୃହୀତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.