କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ଆରଜି କର ମେଡିକାଲ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତ ଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହାପରେ ରାଜ୍ୟରେ ରାଜନୈତିକ ଉଷ୍ମତା ମଧ୍ୟ ବଢିଯାଇଛି । ବିଜେପିର ଅଭିଯୋଗ ଯେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ହସ୍ପିଟାଲ୍ର ସେମିନାର ହଲ୍ରେ ମହିଳା ଡାକ୍ତରଙ୍କ ମୃତ ଦେହ ମିଳିଥିଲା । ‘ଗୁପ୍ତାଙ୍ଗ-ଆଖି ଏବଂ ମୁହଁରୁ ରକ୍ତ ବାହାରୁଥିଲା’
ପୋଲିସ ଏହି ମାମଲାରେ ଆତ୍ମହତ୍ୟାର ସମ୍ଭାବନାକୁ ମନା କରିଦେଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହା ନିଶ୍ଚିତ ରୂପେ ଆତ୍ମହତ୍ୟା ମାମଲା ନୁହେଁ । ସେ ଏହା ମଧ୍ୟ କହିଛନ୍ତି ଯେ ମହିଳା ଡାକ୍ତରଙ୍କ ଯୌନ ଉତ୍ପୀଡନ ପରେ ହତ୍ୟା କରାଯାଇଛି । ପୋଲିସ ପ୍ରାଥମିକ ରିପୋର୍ଟ ଅନୁସାରେ, ପୀଡିତାଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିଲା ଏବଂ ଶରୀରର ଅନ୍ୟ ସ୍ଥାନରେ ବି ଆଘାତର ଚିହ୍ନ ଥିଲା । ରିପୋର୍ଟରେ ଖୁଲାସା ହୋଇଛି, 'ପୀଡ଼ିତାଙ୍କ ଦୁଇ ଆଖି ଏବଂ ମୁହଁରୁ ମଧ୍ୟ ରକ୍ତ ବାହାରୁଥିଲା । ମୁହଁ ଏବଂ ନଖରେ ଆଘାତ ଚିହ୍ନ ରହିଛି । ପୀଡିତାଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତ ବାହାରୁ ଥିଲା । ତାଙ୍କର ପେଟ, ବାମ ଗୋଡ଼, ବେକ ଏବଂ ଡାହାଣ ହାତ ଏବଂ ଆଙ୍ଗୁଠିରେ ଆଘାତର ଚିହ୍ନ ରହିଥିଲା ।' କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଜଘନ୍ୟ ଅପରାଧ ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଘଟିଛି ।
Also Read: ଜୁନିୟର ଡାକ୍ତରଙ୍କୁ ହତ୍ୟା ଘଟଣା; ଆବାସିକ ଡାକ୍ତର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ମହିଳା ଡାକ୍ତରଙ୍କ ବେକର ହାଡ଼ ମଧ୍ୟ ଭାଙ୍ଗି ଯାଇଛି । ସେ କହିଛନ୍ତି, ‘ଏପରି ଅନୁଭବ ହେଉଛି ଯେ ପ୍ରଥମେ ମହିଳାଙ୍କ ଗଳାକୁ ଚିପା ଯାଇଥିଲା ।‘ ଏହି ମାମଲାର ତଦନ୍ତ ପାଇଁ କୋଲକାତା ପୋଲିସ ଏକ ଏସଆଇଟି ଗଠନ କରିଛି । ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ହସ୍ପିଟାଲ ସେମିନାର ହଲରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତ ଦେହ ମିଳିଥିଲା । କୁହାଯାଉଛି ଯେ ମୃତ ଡାକ୍ତର ଛାତି ରୋଗ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ଏବଂ ଗୁରୁବାର ରାତିରେ ଡ୍ୟୁଟିରେ ନିୟୋଜତ ଥିଲେ । ପୋଲିସ କହିବା ଅନୁସାରେ ମୃତ ଦେହର ଗାଲ, ନାକ, ଓଠ, ହାତ ଏବଂ ବେକରେ ଦାଗ ରହିଛି ।