କୋଲକାତା ୧୩।୯: ଆରଜି କର ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ନାର୍କୋ ଟେଷ୍ଟ ଲାଗି କୋର୍ଟଙ୍କ ଅନୁମତି ମିଳି ନାହିଁ। ସିବିଆଇ ସଞ୍ଜୟ ରାୟର ନାର୍କୋ ଆନାଲିସିସ୍ ଟେଷ୍ଟ କରାଇବାକୁ ଚାହୁଁଥିଲା। ଏଥି ପାଇଁ କେନ୍ଦ୍ରୀୟ ଏଜେନ୍ସୀ ସିଆଲଦା କୋର୍ଟଙ୍କୁ ନିବେଦନ କରିଥିଲା। ଏଥି ପାଇଁ ସଞ୍ଜୟ ରାୟକୁ ଶୁକ୍ରବାର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ସଞ୍ଜୟ ମାଜିଷ୍ଟ୍ରେଟଙ୍କ ଆଗରେ ନାର୍କୋ ଟେଷ୍ଟ ପାଇଁ ମନା କରିଦେଇଥିଲା। ଏହା ପରେ କୋର୍ଟ ସିବିଆଇର ଆବେଦନକୁ ଖାରଜ କରିଦେଇଛନ୍ତି।
ସିବିଆଇ ଅଧିକାରୀ କହିଛନ୍ତି ଯେ ନାର୍କୋ ଟେଷ୍ଟରେ ବ୍ୟକ୍ତିଙ୍କ ଶରୀରରେ ସୋଡିୟନ ପେଣ୍ଟୋଥଲ ନାମକ ଔଷଧ ଇଞ୍ଜେକ୍ସନରେ ଦିଆଯାଇଥାଏ, ଯାହା ଦ୍ୱାରା ବ୍ୟକ୍ତି ସମ୍ମୋହନ ଅବସ୍ଥାକୁ ଯାଇଥାନ୍ତି ଓ ତାଙ୍କର କଳ୍ପନାକୁ ପ୍ରଭାବହୀନ କରିଦିଏ। ଏହି ପରୀକ୍ଷଣରେ ଅଧିକାଂଶ ଅପରାଧୀ ସଠିକ ସୂଚନା ଦେଇଥାନ୍ତି। ତେବେ ଏହା ପୂର୍ବରୁ ସିବିଆଇ ପ୍ରେସିଡେନ୍ସି ସୁଧାର ଗୃହରେ ସଞ୍ଜୟ ରାୟର ପଲିଗ୍ରାଫ ଟେଷ୍ଟ କରିସାରିଛି।