କୋଲକାତା: ବୃଥା ହେଲା ରିୟାନ ପରାଗଙ୍କ ଲଢୁଆ ବିସ୍ଫୋରକ ଇନିଂସ। ଆଇପିଏଲ୍ ୨୦୨୫ର ୫୩ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା କୋଲକାତା ନାଇଟ୍ ରାଇଡର୍ସ। ପୂର୍ବରୁ ଚଳିତ ସିଜିନର ପ୍ଲେ ଅଫ୍ ଦୌଡ଼ରୁ ରାଜସ୍ଥାନ ବାଦ୍ ପଡ଼ି ସାରିଥିବା ବେଳେ ଏହି ମ୍ୟାଚ୍ ଜିତିବା କେକେଆର ପାଇଁ ଜରୁରୀ ଥିଲା। ଆଉ ମ୍ୟାଚ୍କୁ ମାତ୍ର ୧ ରନରେ ଜିତି ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରଖି ପାରିଛି କୋଲକାତା। ଆଜିର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୪ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲା। ଆନ୍ଦ୍ରେ ରସେଲ ୫୭ ରନ, ଅଙ୍ଗକୃଷ ରଘୁବଂଶୀ ୪୪ ରନର ଇନିଂସ ଖେଳିଥିଲେ। ଜବାବରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଛି। ରିୟାନ ପରାଗ ୯୫ ରନର ଲଢୁଆ ଇନିଂସ ଖେଳିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। ଜୟସ୍ଵାଲ ୩୪ ରନ କରିଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୨୨ ରନ ଦରକାର ଥିବା ବେଳେ ଦଳ ୨୦ ରନ କରି ପାରିଥିଲା।
୨୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ୮ ରନ ସ୍କୋରରେ ବୈଭବ(୪ ରନ) ଓ କୁନାଲ ସିଂ ରାଠୋର(୦) ଆଉଟ୍ ହୋଇଥିଲେ। ଏହା ପରେ ଯଶସ୍ଵୀ ଜୟସ୍ଵାଲ ଓ ରିୟାନ ପରାଗ ତୃତୀୟ ଓ୍ଵିକେଟ୍ରେ ୫୬ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ତେବେ ମଧ୍ୟକ୍ରମରେ ରିୟାନ ପରାଗଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ। ଧ୍ରୁବ ଜୁରେଲ ଓ ଓ୍ଵାନିନ୍ଦୁ ହସରଙ୍ଗା ଖାତା ଖୋଲି ପାରି ନ ଥିଲେ। ୭୧ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ରାଜସ୍ଥାନ।
ତେବେ ରିୟାନ ପରାଗ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ସେ ଏବଂ ସିମରନ ହେଟମାୟର ୯୨ ରନ ଯୋଡ଼ିଥିଲେ। ହେଟମାୟର ୨୯ ରନ କରି ପାଭିଲିୟନ ଫେରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ରିୟାନ ପରାଗ ୫ ରନ ଦୂରରେ ରହି ଯାଇଥିଲେ। ସେ ୪୫ ବଲରୁ ୬ ଚୌକା ଓ ୮ ଛକା ସହ ୯୫ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ସହ ରାଜସ୍ଥାନର ବିଜୟ ଆଶା ମଉଳିଥିଲା। କିନ୍ତୁ ଶେଷ ଓଭରରେ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ଶେଷ ଓଭରରେ ଜିତିବା ପାଇଁ ରାଜସ୍ଥାନକୁ ୨୨ ରନ ଦରକାର ଥିଲା। କିନ୍ତୁ ଦଳ ୨୦ ରନ କରି ପାରିଥିଲା। ଶେଷ ବଲରେ ୩ ରନ ଦରକାର ଥିଲେ ହେଁ ଦଳ କରି ପାରି ନ ଥିଲା। ଶୁଭମ ଦୁବେ ୨୫ ରନ କରି ଅପରାଜିତ ଥିଲେ। ରାଜସ୍ଥାନ ୮ ଓ୍ଵିକେଟ୍ ହରାଇ ୨୦୫ ରନ କରି ପାରିଥିଲା।