କୋଝିକୋଡେ ବିମାନ ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ କରିଥିବା ୨୬ ସ୍ୱେଚ୍ଛାସେବୀ କୋଭିଡ ସଂକ୍ରମିତ, ୨୧ ସରକାରୀ ଅଧିକାରୀ ମଧ୍ୟ କରୋନା ପଜିଟିଭ୍

Published By : Prameya-News7 Bureau | August 20, 2020 IST

ଥିରୁଅନନ୍ତପୂରମ, ୨୦|୦୮:   କେରଳ କୋଝିକୋଡେରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ୨୬ ଜଣ ସ୍ୱେଚ୍ଛାସେବୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ୨୧ଜଣ ସରକାରୀ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହି ଉଦ୍ଧାରକାର୍ଯ୍ୟରେ ପ୍ରଶାସନିକ ଅଧିକାରୀ, ପୋଲିସ କର୍ମୀଙ୍କ ସହ ଅନେକ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ  ।

ଗତ ଅଗଷ୍ଟ ୭ ତାରିଖରେ କେରଳର କୋଝିକୋଡେରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ହୋଇଥିଲା । ବିମାନଟି କ୍ରାସ୍ ଲ୍ୟାଣ୍ଡି କରିଥିଲା । ଫଳରେ ପାଇଲଟ, କୋ-ପାଇଲଟଙ୍କ ସମେତ ୧୯ ଜଣ ପ୍ରାଣ ହରାଇଥିଲେ । ବିମାନରେ ମୋଟ୍ ୧୯୦ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ସମୟରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଜିଲ୍ଲାପାଳ କେ ଗୋପାଳକ୍ରିଷ୍ଣାନ, ଏସପି ୟୁ ଅବ୍ଦୁଲ କରିମ ଓ ୨୧ଜଣ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ପୋଲିସ କର୍ମୀ ଓ ଅଗ୍ନିଶମ ବାହିନୀର କିଛି କର୍ମଚାରୀ ମଧ୍ୟ ରହିଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ବିମାନ ବନ୍ଦର ନିକଟରେ ଥିବା କିଛି ଯୁବକ କରୋନା ଓ ବର୍ଷାକୁ ଖାତିର ନକରି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏହାସହ ଆହତଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.