କୋଇଲା ଚୋରି ରାକେଟର ପର୍ଦ୍ଦାଫାସ, ୬ ଗିରଫ

Published By : Prameya-News7 Bureau | December 11, 2020 IST

ଝାରସୁଗୁଡା, ୧୧/୧୨: ଏମସିଏଲରୁ କୋଇଲା ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ଝାରସୁଗୁଡା ଜିଲ୍ଲା ପୋଲିସ। କୋଇଲା ଖଣିରେ ନିୟୋଜିତ ନିରାପତ୍ତା କର୍ମଚାରୀ ଓ ପେଲୋଡର ଅପରେଟରଙ୍କ ସହାୟତାରେ ଚାଲିଥିଲା କୋଇଲା ଚୋରା କାରବାର। ଲଖନପୁର ପୋଲିସ ଏହି ଘଟଣାରେ ଦୁଇଟି କୋଇଲା ବୋଝେଇ ଟ୍ରକ ଜବତ କରିବା  ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ, ଗତ ୮ ତାରିଖ ଦିନ ସମସ୍ତ କାଗଜ ପତ୍ର କରାଇ ଟ୍ରକ ନଂ.OR23B-8634 ଓ OR09Q-9221  କୋଇଲା ଲୋଡ୍ କରି ଲଖନପୁର୍ ମାଇନ୍ସ୍ ରୁ ଯାଇ ଟ୍ରକ ମାଲିକ ଇଟ୍ଟାଭାଟି ମାନଙ୍କରେ କୋଇଲା ବିକ୍ରି କରିଛନ୍ତି ।ଏହାପରେ ପୁଣି ୦୯ ତାରିଖ ଅପରାହ୍ନରେ ଟ୍ରକ ଦ୍ବୟ କୋଇଲା ଖାଲି କରି ଫେରି ଆସି ପୁଣି ମାଇନ୍ସର ଗେଟ ପାଖକୁ ନେଇ ସିକ୍ୟୁରିଟି ଗାର୍ଡ  ମାନଙ୍କ ସହ କଥା ହୋଇ ଟ୍ରକ ଗୁଡିକୁ ରେଜିଷ୍ଟରରେ ଏଣ୍ଟ୍ରି ନ କରାଇ ୦୯.୧୨.୨୦୨୦ ସଂଧ୍ୟା ସମୟରେ ଖଣି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଲୋଡିଙ୍ଗ ଅପରେଟରଙ୍କ ସହ ମିଶି ସିକ୍ୟୁରିଟୀ ସ୍ଲିପ୍ ଜାଲିଆତି କରି କୋଇଲା ଲୋଡ୍ କରେଇଥିଲେ ।

କୋଇଲା ଲୋଡ୍ କରି ସାରିବା ପରେ କୋଇଲା ମାଫିଆମାନେ ଗେଟରେ ଥିବା ସିକ୍ୟୁରିଟି ଗାର୍ଡ ମହେଶ କୁମାର ଭୋଇ ସହ କଥା ହୋଇ ଟ୍ରକ ଦ୍ବୟକୁ ଗତ ୦୯.୧୨.୨୦୨୦ ରାତି ପ୍ରାୟ ୧୦ ଟା ସମୟରେ ଆଉଟ୍ ଗେଟ୍ ଦେଇ ବାହାରକୁ ବାହର କରିଥିଲେ । ତେବେ  ଗତ ୦୮.୧୨.୨୦୨୦ ରେ ତିଆରି କରିଥିବା କାଗଜ ପତ୍ର ଧରି ଦ୍ବିତୀୟ ଥର କୋଇଲା ଚାଲାଣ କରୁଥିବା ବେଳେ ସେମାନେ ଧରାପଡିଯାଇଛନ୍ତି । ରାତିରେ ପୋଲିସ ପାଟ୍ରୋଲିଂ ଚାଲୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକକୁ ସନ୍ଦେହ କରି ପିଛା କରିବାରୁ ଟ୍ରକ ଦୁଇଟି ଦ୍ରୁତବେଗରେ ପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡି ଦୁଇଟିକୁ ଗୋଡ଼ାଇ ଧରିବା ପରେ ଡ୍ରାଇଭର ଦ୍ୱୟଙ୍କୁ ଜେରା କରିବା ପରେ  ଏହି ସଂପୁର୍ଣ୍ଣ ଘଟଣାକୁ ମାଫିଆ ମାନେ ଦୀର୍ଘ ଦିନରୁ ପରିଚାଲିତ କରି ଆସୁଛନ୍ତି ବୋଲି ଜଣାପଡିଥିଲା।

ପୋଲିସ ପ୍ରାଥମିକ ଭାବେ ମିଳିଥିବା ତଥ୍ୟକୁ ଭିତ୍ତି କରି ଦୁଇଟି ଟ୍ରକର ଡ୍ରାଇଭର,ମାଲିକ,ନିରାପତ୍ତା କର୍ମଚାରୀ ଓ ପେ ଲୋଡର ଅପରେଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ମାମଲାରେ ଜଡିତ ଆହୁରି ଅଧିକ ବ୍ୟକ୍ତି ଙ୍କୁ ଜେରା କରାଯିବ ବୋଲି ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.