ଲଗାଣ ବର୍ଷା ପାଇଁ କୋବି ଫସଲରେ ପୋକ, ଚିନ୍ତାରେ ଚାଷୀ

Published By : Prameya-News7 Bureau | December 13, 2021 IST

ବାଙ୍କୀ,୧୩/୧୨:  ବାତ୍ୟା ଟଳିଲା । ହେଲେ ଚାଷୀଙ୍କ ଦୁର୍ଦ୍ଦଶା ବଢିଗଲା । ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଏବେ ବାଙ୍କୀ ଡମପଡା ବ୍ଲକରେ କୋବି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି  ।

ଡମପଡା ବ୍ଲକ୍ ଅନ୍ତର୍ଗତ ସିମିଳିପୁର, କରବର ,ଚାରିଘେରିଆ ମକୁନ୍ଦପୁର ଆଦି ଅଞ୍ଚଳର ଶତାଧିକ ଚାଷୀଙ୍କ ଶହଶହ ହେକ୍ଟର  ଫୁଲ ଓ ବନ୍ଧାକୋବି ଫସଲ  ସମ୍ପୂର୍ଣ୍ଣ ପଚି ସଢି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ  ।ଧାର କରଜ ସୁଝିବା ସହ ପରିବାର ଗୁଜୁରାଣ କିପରି ମେଣ୍ଟାଇବେ ତାକୁ ନେଇ ସେମାନେ ଚିନ୍ତାରେ ।

ଗୋଟିଏ ପରେ ଗୋଟିଏ ଦୈବ ଦୁର୍ବିପାକ ଚାଷୀର ଦୁଃଖକୁ ବଢ଼ାଇ ଦେଉଛି ।ସେପଟେ  ଏବେବି ପାଗ ମେଘୁଆ ରହିଛି । ଯେଉଁ କୋବି ଗଛ ରହିଛି ସେଥିରେ ପୋକ ଲାଗିଛି । ଔଷଧ କାମ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତ ଚାଷୀ । ଶୀତ ଦିନିଆ ପନିପରିବା ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବେ କିପରି ଚଳିବେ ତାକୁ ନେଇ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ପ୍ରଶାସନ ଆସି ବୁଲି ଯାଉଛନ୍ତି ଓ କେବଳ ଅଶ୍ୱସନା ଦେବା ସହ ସରକାରୀ ସ୍ତରରୁ ଯାହା ସୁବିଧା ସୁଯୋଗ ଆସିବ ତାହା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ।ପ୍ରଶାସନ ଆଗକୁ କି ପଦକ୍ଷେପ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେଉଛନ୍ତି ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.