ନୂଆ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଶଶୁର ଘର ଭାରତରେ, ଜାଣନ୍ତୁ କାହିଁକି ତାଙ୍କୁ ଜ୍ୱାଇଁ କହୁଛି ପାକିସ୍ତାନ
28/07/2019 at 3:44 PM

ଲଣ୍ଡନ: ଗ୍ରେଟ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ବୋରିସ୍ ଜନସନ୍ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ଓ ପାକ୍ ତାଙ୍କ ସହ ନିଜର ସମ୍ପର୍କ ଜୋଡିବାକୁ ଖୁବ୍ ଉଦ୍ୟମ କରୁଛନ୍ତି। ତେବେ ଜନସନ୍ ଜଣେ ପ୍ରବାସୀ ଭାରତୀୟ ମହିଳାଙ୍କ କନ୍ୟାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ସେ ପ୍ରଖ୍ୟାତ ଭାରତୀୟ ସ୍ତମ୍ବ ଲେଖକ ଖୁସବନ୍ତ ସିଂହଙ୍କ ପରିବାର ସହ ସମ୍ବଦ୍ଧିତ । ଏଣୁ ବ୍ରିଟେନ ପ୍ରାଇମିନିଷ୍ଟରଙ୍କ ସମ୍ପର୍କ ବଲିଉଡ ସହିତ ମଧ୍ୟ ସମ୍ପୃକ୍ତ। ଏଥିପାଇଁ ଜନସନ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଅନେକ ଥର ପରିବାର ସହ ଭାରତ ଭ୍ରମଣରେ ବି ଆସି ସାରିଛନ୍ତି।

ତେବେ ବୋରିସ ସଜନସନଙ୍କୁ ପାକିସ୍ତାନ ନିଜ ଦେଶର ଜ୍ୱାଇଁ ବୋଲି ମଧ୍ୟ ଦାବି କରୁଛି। ଭାରତ ବିଭାଜନ ପୂର୍ବରୁ ଖୁସୱନ୍ତ ସିଂହଙ୍କ ପରିବାର ଏବେକାର ପାକିସ୍ତାନର ମୂଳ ବାସିନ୍ଦା ଥିଲେ। ସେହି ଅନୁସାରେ ପାକିସ୍ତାନ ଗଣମାଧ୍ୟମମାନେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏବେ ଶତମୁଖ ହୋଇଉଠିଛନ୍ତି। ତେବେ ଜନସନଙ୍କ ସିଧା ପାରିବାରିକ ସମ୍ପର୍କ ଭାରତ ସହିତ ବହୁ ପୂର୍ବରୁ ରହି ଆସିଛି। ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ମାଁମୁ ହେଉଛନ୍ତି ଖୁସୱନ୍ତ ସିଂହ। ଏଣୁ ଅମୃତାଙ୍କ ଝିଅ ସାରା ଅଲ୍ଲୀଙ୍କ ସହ ଜନସନଙ୍କ ସମ୍ପର୍କ ଏବେବି ସୁଦୃଢ ରହିଛି।

ବ୍ରିଟେନର ଗତ ସାଧାରଣ ନିର୍ବାଚନରେ କଞ୍ଜଭେଟିଭ ପାର୍ଟିକୁ ବହୁମତ ମିଳିଥିଲା। ଏଣୁ ଦଳର ନେତା ନିର୍ବାଚନରେ ବୋରିସ ଜନସନ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେର୍ମି ହଣ୍ଟଙ୍କୁ ୪୫ ହଜାର ଭୋଟରେ ପରାସ୍ତ କରି ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଭାରତ ଓ ଭାରତୀୟଙ୍କ ପ୍ରତି ଥିବା ତାଙ୍କର ସ୍ନେହ ଯୋଗୁ ମନ୍ତ୍ରୀମଣ୍ଡଳରେ ମଧ୍ୟ ସେ ଭାରତୀୟଙ୍କୁ ଗୁରୁତ୍ୱ ଦେଇଛନ୍ତି । ଭାରତୀୟ ମୂଳ ରାଜନେତା ପ୍ରୀତି ପଟେଲଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ ଗୃହମନ୍ତ୍ରୀ ଦାୟିତ୍ୱ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଜନସନ। ସେହିପରି ମୂଳ ପାକିସ୍ତାନୀ ସାଜିଦ ଜାଭେଦ ମଧ୍ୟ ଜନସନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି।