କିଏ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ କାହା ପାଖରେ ରହିଛି ସବୁଠୁ କମ୍ ସମ୍ପତ୍ତି…
26/12/2022 at 7:17 PM

ନୂଆଦିଲ୍ଳୀ, ୨୬/୧୨: ଅନେକ ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ଉତ୍ସୁକତା ରହିଥାଏ। କେଉଁ ମୁଖ୍ୟମନ୍ତ୍ରୀ କେତେ ଧନୀ, ସେମାନେ କେତେ ସଂପତ୍ତିର ଅଧିକାରୀ ଏବଂ କେଉଁ ମୁଖ୍ୟମନ୍ତ୍ରୀଙ୍କ କମ ସଂପତ୍ତି ରହିଛି ? ତାହା ଜାଣିବା ଏକ ରୋଚକ ବିଷୟ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଧନୀ। ନିର୍ବାଚନୀ ସତ୍ୟପାଠ ଆଧାରରେ ଦେଶର ୩୦ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିଶ୍ଲେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଜଗନମୋହନ ରେଡ୍ହୀ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ସେହିଭଳି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ।
ରିପୋର୍ଟ ଅନୁଯାୟୀ, ଦେଶର ଦୁଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ ରହିଛି। ଜଗନମୋହନ ରେଡ୍ଡୀଙ୍କ ସମ୍ପତ୍ତି ୩୭୦ କୋଟି ରହିଛି, ଯାହା ସବୁଠୁ ଅଧିକ। ୧୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଅନ୍ୟଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଯିଏ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୧୩୨ କୋଟି ଟଙ୍କା ରହିଛି। ଆଠ ପୂର୍ବୋତ୍ତର ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତ୍ତି ୧୭୮.୮୫ କୋଟି ରହିଛି।
ନବୀନ ପଟ୍ଟନାୟକଙ୍କ ପାଖରେ ୬୪ କୋଟିର ସମ୍ପତ୍ତି:
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କ ପାଖରେ ୬୩ କୋଟି ୭୨ ଲକ୍ଷର ସମ୍ପତ୍ତି ରହିଛି। ସେହିଭଳି ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ ଦେଶର ଚତୁର୍ଥ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ସମୁଦାୟ ସମ୍ପତ୍ତି ମୂଲ୍ୟ ୩୭ କୋଟି ୨୪ ଲକ୍ଷ ରହିଛି। ଏହାପରେ ନାଗାଲାଣ୍ଡ୍ର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ ଦେଶର ପଞ୍ଚମ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ସମୁଦାୟ ସମ୍ପତ୍ତି ୨୮ କୋଟି ୧୪ ଲକ୍ଷ ଟଙ୍କା ରହିଛି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି ୧ କୋଟି ୫୬ ଲକ୍ଷ ରହିଛି। ଯେତେବେଳେକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି କେବଳ ୧୫ ଲକ୍ଷ ଟଙ୍କା ରହିଛି। ଯାହା ସବୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଠାରୁ କମ୍। ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପତ୍ତି ୫୬ ଲକ୍ଷ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ କୋଟିପତି। ତାଙ୍କ ପାଖରେ ୧ କୋଟି ୪ ଲକ୍ଷ ଟଙ୍କାର ସମ୍ପତ୍ତି। ଏହା ସହ ସେ ଦେଶର ସବୁଠୁ ଶିକ୍ଷିତ ମୁଖ୍ୟମନ୍ତ୍ରୀ।