ଚାଷୀର ପୁଅ, ମମତାଙ୍କ ସହ ମତଭେଦ, ଜାଣନ୍ତୁ କିଏ ଏହି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ

Published By : Prameya-News7 Bureau | July 16, 2022 IST

ନୂଆଦିଲ୍ଲୀ: ଏନଡିଏ ସର୍ବସମ୍ମତି କ୍ରମେ ଦେଶର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଛି। ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ଘୋଷଣା କରିଛନ୍ତି। ଏହାକୁ ନେଇ ଅଦ୍ୟାବଧି ମମତା ବାନାର୍ଜୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। କାରଣ ଏହା କାହାକୁ ଅଛପା ନୁହେଁ ଯେ, କିଛି ସମୟ ପୂର୍ବେ ମମତା ବାନାର୍ଜୀ ଟୁଇଟରରେ ତାଙ୍କୁ ବ୍ଲକ୍ କରି ଦେଇଥିଲେ। ଆସନ୍ତୁ ଜାଣିବା ଜଗଦୀପ ଧନଖଡଙ୍କ ବିଷୟରେ…

ରାଜସ୍ଥାନର ଝୁଝୁନୁ ଜିଲ୍ଲାର କିଠାନା ଗାଁରେ କୃଷି ପରିବାରରେ ଜନ୍ମିତ ଜଗଦୀପ ଧନଖଡ ଗତ ତିନି ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। ୧୯୮୯ରେ ଜନତା ଦଳ ପାର୍ଟିରୁ ସେ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ସଂସଦୀୟ ରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିଛନ୍ତି। ୧୯୯୩ରେ ସେ ଆଜମେର ଜିଲ୍ଲାର କିଶନଗଡରୁ ରାଜସ୍ଥାନ ବିଧାନସଭା ପହଞ୍ଚିଥିଲେ। ୨୦୧୯ରୁ କେନ୍ଦ୍ର ସରକାର ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।

ଧନଖଡ ପୂର୍ବେ ପେଶାରେ ଜଣେ ସଫଳ ଆଇନଜୀବୀ ଥିଲେ। ରାଜସ୍ଥାନ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି ପଢିବା ପରେ ରାଜସ୍ଥାନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଓକିଲ ଭାବେ କାମ କରିଛନ୍ତି। ସେ ରାଜସ୍ଥାନ ହାଇକୋର୍ଟରେ ବାର ଆସୋସିଏସନର ଅଧ୍ୟକ୍ଷ ମଧ୍ୟ  ରହିଛନ୍ତି। ସେ ପିଲାବେଳେ ସୈନିକ ସ୍କୁଲରୁ ଶିକ୍ଷା ଗ୍ରହଣ କରିଛନ୍ତି।

ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ତାଙ୍କର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିବାଦ ରହି ଆସିଛି। ଅନେକ ପ୍ରସଙ୍ଗକୁ ନେଇ ମମତା ଏବଂ ଧନଖଡ ମୁହାଁମୁହିଁ ହୋଇ ସାରିଛନ୍ତି। ଥରୁଟିଏ ମମତା ଧନଖଡଙ୍କୁ ଟୁଇଟରରେ ବ୍ଲକ କରି ଦେଇଥିଲେ। ମମତା କହିଥିଲେ, ତାଙ୍କର ବାରମ୍ବାର ଟୁଇଟ୍‌ ମୋତେ ବହୁତ ହଇରାଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.