୩୧ ଅକ୍ଟୋବର ନା ୧ ନଭେମ୍ବର ଜାଣନ୍ତୁ ଦୀପାବଳି କେବେ?

Published By : Prameya-News7 Bureau | October 19, 2024 IST

ନୂଆଦିଲ୍ଲୀ ୧୯।୧୦: ଚଳିତବର୍ଷ ଦୀପାବଳି କେବେ ସେ ନେଇ ଲୋକେ ଭ୍ରମରେ ଅଛନ୍ତି। କିଛି ଲୋକେ ୩୧ ଅକ୍ଟୋବରକୁ ଦୀପାବଳି ଦାବି କରୁଥିବା ବେଳେ କିଛି ଲୋକେ ୧ ନଭେମ୍ବରକୁ ପାଳନ କରିବେ ବୋଲି ଭାବୁଛନ୍ତି। ତେବେ ଦୀପାବଳି ତାରିଖକୁ ନେଇ କନଫ୍ୟୁଜନ ଏବେ ଦୂର ହୋଇଛି। ଧର୍ମାଚାର୍ଯ୍ୟ ଓ ବିଦ୍ୱାନମାନେ ଏକ ସଭା କରି ସଠିକ ତାରିଖ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଦୀପାବଳି ତାରିଖକୁ ନେଇ କାହିଁକି ଉପୁଜିଥିଲା ଭ୍ରମ?

ହିନ୍ଦୁ ପରମ୍ପରାରେ ଦୀପାବଳି କାର୍ତ୍ତିକମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଚଳିତବର୍ଷ କାର୍ତ୍ତିକ ଅମାବାସ୍ୟା ତିଥି ୩୧ ଅକ୍ଟୋବର ଅପରାହ୍ନ ୩ଟା ବାଜି ୫୨ ମିନିଟରେ ଆରମ୍ଭ ହେବଓ ୧ ନଭେମ୍ବର ସନ୍ଧ୍ୟା ୬ଟା ୧୬ ମିନିଟ୍‌ରେ ସମାପ୍ତ ହେବ। ଅମାବାସ୍ୟା ତିଥିର ଏହି ଅବଧି ସମସ୍ୟାର ମୂଳ କାରଣ ଥିଲା। ଏଣୁ ଗୋଟିଏ ପକ୍ଷ ଅମାବାସ୍ୟା ୩୧ ଅକ୍ଟୋବର ସନ୍ଧ୍ୟାରୁ ଆରମ୍ଭ ହେଉଥିବାରୁ ଦୀପାବଳି ଏହି ଦିନ ପାଳନ କରିବା ଉଚିତ ବୋଲି ଦାବି କରୁଛନ୍ତି। 

ଅନ୍ୟ ଗୋଷ୍ଠୀ ଉଦୟତିଥି   ନିୟମରେ ଦୀପାବଳି ୧ ନଭେମ୍ବରରେ ପାଳନ କରିବେ ବୋଲି କହୁଛନ୍ତି। ଏଣୁ ଏଥର ଦୀପାବଳି ତିଥିକୁ ନେଇ ଅସମଞ୍ଜସ୍ୟ ଉପୁଜିଥିଲା। ତେବେ ବିଦ୍ୱାନ ଓ ଧର୍ମସଭା ଦୀପାବଳି ୩୧ ଅକ୍ଟୋବର ୨୦୨୪ରେ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଏ ନେଇ ବିଦ୍ୱାନ ପରିଷଦ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ସମ୍ପୂର୍ଣ୍ଣ ଭାରତରେ ଦୀପାବଳି ମହାପର୍ବ ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ଅମାବାସ୍ୟା ତିଥିକୁ ଦେଖି ବିଦ୍ୱତ ଧର୍ମସଭାରେ ଜ୍ୟୋତିଷ, ବିଦ୍ୱାନ ଓ ଧର୍ମାଚାର୍ଯ୍ୟମାନେ ଏହି ନିଷ୍ପତ୍ତି ନେଇଛନ୍ତି। 

ଦୀପାବଳି ଏକ ଏପରି ପର୍ବ ଯାହା ରାତିରେ ପାଳିତ ହୁଏ। ଶାସ୍ତ୍ରରେ ଅମାବାସ୍ୟା ରାତ୍ରିରେ ପୂଜା କରିବାର ମହତ୍ୱ ରହିଛି। ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ଆରାଧନା ମଧ୍ୟ ରାତ୍ରିରେ କରାଯାଏ। ୩୧ ଅକ୍ଟୋବର ରାତିରେ ଅମାବାସ୍ୟା ତିଥି ରହିବ। ତେବେ ୧ ନଭେମ୍ବର ରାତି ଆସିବା ପୂର୍ବରୁ ତିଥି ସମାପ୍ତ ହୋଇଯିବ। ୧ ନଭେମ୍ବର ରାତିରେ ପ୍ରତିପଦା ତିଥି ହେବ। ଏଣୁ ଶାସ୍ତ୍ର ଅନୁସାରେ ୩୧ ଅକ୍ଟୋବର ରାତିରେ ଦୀପାବଳି ପାଳନ ହେବ। ଏମୁ ସମସ୍ତେ ଏହି ଦିନ ଦୀପାବଳି ପାଳନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.