ଅମ୍ବାନୀଙ୍କ ‘ଜିଓ’ କଥା କହୁ କହୁ କେନ୍ଦ୍ରର ନୂଆ କୃଷି ଆଇନ ସମ୍ପର୍କରେ ଏପରି କହିଗଲେ ଟିକୈତଙ୍କ ବୋହୂ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 31, 2021 IST

ଗାଜିପୁର ୩୧।୭:  କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ନେଇ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି। ଚାଷୀଙ୍କ ଦାବି ସରକାର ସ୍ୱୀକାର କରିବେ କି ନା ଏ ଯାଏଁ  କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେପଟେ ଆଇନକୁ ସଂଶୋଧନ କରି ଗ୍ରହଣ କରିବାକୁ ବି ଚାଷୀ ନାରାଜ। ତେବେ ଚାଷୀଙ୍କ ଏହି ଆନ୍ଦୋଳନରେ ସେମାନଙ୍କ ପରିବାର ମଧ୍ୟ ସାମିଲ ଥିବା ପ୍ରଥମ ଥର ଜଣାପଡିଛି। ମୋଦି ସରକାରଙ୍କ କୃଷି ଆଇନକୁ ଚାଷୀଙ୍କ  ପରିବାର ଲୋକେ କିପରି ବୁଝନ୍ତି ଭାରତୀୟ କିଷାନ ୟୁନିୟନ( ବିକେୟୁ) ନେତା ରାକେଶ ଟିକାୟତଙ୍କ ବୋହୂ ଓ ଝିଅଙ୍କ ମତାମତ ପ୍ରଥମ ଥର ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଆସନ୍ତୁ ଜାଣିବା ସେମାନେ କହିଛନ୍ତି କ’ଣ?

ରାକେଶ ଟିକାୟତଙ୍କ ବୋହୂ ନିକିତା ଓ ଝିଅ ବଂଶିକା ମଝିରେ ମଝିରେ ଗାଜିପୁର ବର୍ଡରରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଆସୁଛନ୍ତି। ସେମାନଙ୍କ ସହ ଘରର ବୟସ୍କ ମହିଳା ଓ ପୁରୁଷମାନେ ମଧ୍ୟ ଆସୁଛନ୍ତି । ଏଥିରେ ଶୁକ୍ରବାର ସେମାନେ ଗାଜିପୁର ବର୍ଡର ପହଞ୍ଚିଥିବା ବେଳେ ‘ନ୍ୟୁଜ୍ ୨୪’  କୃଷକ ଆନ୍ଦୋଳନ ନେଇ ନିକିତା ଓ ବଂଶିକାଙ୍କ ସହ ଆଲୋଚନା କରିଥିଲେ। କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ସେମାନେ କିପରି ବୁଝନ୍ତି ବୋଲି ସାମ୍ବାଦିକ ପ୍ରଶ୍ନ କରିଥିବା ବେଳେ ମୋଦି ସରକାରଙ୍କ କୃଷି ଆଇନକୁ ନିକିତା ଟେଲିକମ କମ୍ପାନୀ  ‘ଜିଓ’ର ସିମ୍‌ ଭଳି ବୁଝନ୍ତି ବୋଲି କହିଛନ୍ତି।

ନିକିତା କହିଛନ୍ତି ଯେ ଦେଶରେ ଯେତେବେଳେ ଜିଓ ଆରମ୍ଭ ହେଲା ଲୋକଙ୍କୁ ମାଗଣାରେ ସିମ୍‌ କାର୍ଡ ବଣ୍ଟା ଯାଇଥିଲା। ଲୋକେ ଦୀର୍ଘ କାଳ ଧରି ମାଗଣାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାର ଭରପୁର ଉପଲବ୍ଧ କରିଥିଲେ। ହେଲେ ଏବେ ୨୮ ଦିନ ଲାଗି ସବୁଠୁ ଛୋଟ ରିଚାର୍ଜ ଯାହା ପ୍ରଥମେ ୭୫ଟଙ୍କା ଥିଲା ତାହା ଏବେ ୧୪୯ ଟଙ୍କା ହୋଇସାରିଲାଣି। ସରକାରଙ୍କ କୃଷି ଆଇନ ମଧ୍ୟ ଠିକ୍‌ ଏହି ଟେଲିକମ କମ୍ପାନୀର ବ୍ୟବସାୟ ଭଳି ଯାହା ନୂଆ ନୂଆ ସମସ୍ତଙ୍କୁ ସୁହାଇଲେ ମଧ୍ୟ ପରବର୍ତ୍ତି ସମୟରେ ସମସ୍ୟାର କାରଣ ହେବ ବୋଲି କହିଛନ୍ତି, ଯାହାର କେହି ନିରାକରଣ କରିବେ ନାହିଁ।

{"id":488736,"width":837,"height":542,"sizeSlug":"full","linkDestination":"none"}

ଲୋକେ ଜିଓ ସିମ୍‌ କାର୍ଡକୁ ଆବଶ୍ୟକ ହେଲେ ମୋବାଇଲ ଫୋନରୁ କାଢି ଫିଙ୍ଗି ଦେଇପାରିବେ, ହେଲେ ଆଇନ ସିମ କାର୍ଡ ନୁହେଁ କି ଚାଷୀ ଏପରି ଆଇନ ଲାଗି ଦେଶ ଛାଡି ଯାଇପାରିବେନି ବୋଲି କହିଛନ୍ତି। ଏଣୁ ଚାଷୀ ଯଦି ଆନ୍ଦୋଳନରୁ ଓହରି ଯିବେ ତେବେ ମୋଦି ସରକାର ଆଣିଥିବା ୩ କୃଷି ଆଇନ ଯୋଗୁ ଭବିଷ୍ୟତରେ ଚାଷୀଙ୍କୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ନିକିତା କହିଛନ୍ତି।

 ସେହିପରି ସରକାର ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି କାହିଁକି ବୋଲି ବଂଶିକାଙ୍କୁ ପଚରା ଯାଇଥିଲା ।  ଯାହାର ଜବାବରେ ସରକାର ଏ ସମ୍ପର୍କରେ ବିଚାର କରିବା କଥା ବୋଲି କହିଛନ୍ତି। ହେଲେ ସରକାର ଶୁଣୁ ନାହାନ୍ତି  ଅର୍ଥାତ ଏହା ଏବେ ସରକାରଙ୍କ ଆତ୍ମ ସମ୍ମାନର ପ୍ରସଙ୍ଗ ହୋଇସାରିଲାଣି ବୋଲି ବୁଝା ଯାଇପାରେ ବୋଲି କହିଛନ୍ତି। ତେବେ ସରକାରଙ୍କର ମଧ୍ୟ ବୁଝିବା ଦରକାର ଯେ ଯେତେବେଳେ ଲୋକଙ୍କ ହକ୍‌ର କଥା ଆସେ ସେମାନେ ନିଶ୍ଚିତ ଏହାକୁ ବିରୋଧ କରିବେ। ଏବେ ସେଇଆ ହିଁ ହୋଇଛି ଚାଷୀ ତା ହକ୍‌ ଲାଗି ଛିଡା ହୋଇଥିବା ବେଳେ ସରକାର ନିଜ ଇଗୋରେ ଅଡି ଯାଇଛନ୍ତି ବୋଲି ବଂଶିକା କହିଛନ୍ତି।  

ଏଥିରୁ ଦିଲ୍ଲୀ ସୀମା ମାନଙ୍କରେ ଆନ୍ଦୋଳନରତ ଚାଷୀଙ୍କ ପରିବାର ମଧ୍ୟ ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ସ୍ପଷ୍ଟ ହୋଇଯାଇଛି। ଏଣୁ ସରକାର ଯେଉଁ ପର୍ଯ୍ୟନ୍ତ ଚାହିଁବେ ସେ ପର୍ଯ୍ୟନ୍ତ  ଚାଷୀ ତାଙ୍କ ଆନ୍ଦୋଳନ ଜାରି ରଖିବେ। ପ୍ରସଙ୍ଗରେ ସରକାର ନରମ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆଣ୍ଟ ମଧ୍ୟ ଭାଙ୍ଗିବନି। ଅତୀତରେ ରାକେଶ ଟିକାୟତ ମଧ୍ୟ ଏହା ସରକାରଙ୍କ ବିରୋଧରେ ହୁଏତ ଦେଶର ସବୁଠୁ ଦୀର୍ଘତମ ଆନ୍ଦୋଳନ ହୋଇପାରେ ବୋଲି ଘୋଷଣା କରିଥିଲେ। କାରଣ ଚାଷୀଙ୍କ ପଛରେ ସେମାନଙ୍କ ପରିବାର ଛିଡା ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.