ହେଟ୍ସ୍ପିଚ୍ ପ୍ରସଙ୍ଗ: ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍, ଏତଲା ନେଇ ହେବ ଶୁକ୍ରବାର ଶୁଣାଣି
4/03/2020 at 7:09 PM

ନୂଆଦିଲ୍ଲୀ ୪।୩: ହେଟ୍ ସ୍ପିଚ୍ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶୁକ୍ରବାର ଶୁଣାଣି ଲାଗି ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି ୪ ସପ୍ତାହ ପରେ କରିବାକୁ ଦିନ ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଏସ୍.ଏ.ବୋବଡେ ଏ ନେଇ ଦିଲ୍ଲୀ ହିଂସାପ୍ରଭାବିତ ୧୦ ପୀଡିତ ଓ ସାମାଜିକ କାର୍ଯ୍ୟକର୍ତ୍ତା ହର୍ଷ ମନ୍ଦେରଙ୍କ ନିବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ହିଂସା ପଛରେ ହେଟ୍ ସ୍ପିଚ୍ର ଭୂମିକା ଥିବାର ଅଭିଯୋଗ ହୋଇଥିଲା। ତେବେ ହିଂସାଗ୍ରସ୍ତ ଦିଲ୍ଲୀରେ ଏ ନେଇ ଏବେ କାର୍ଯ୍ୟାନୁଷ୍ଠାନର ମସୟ ନୁହେଁ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ଫେବୃଆରୀ ୨୯ ତାରିଖରେ ହାଇକୋର୍ଟଙ୍କୁ କହିଥିଲେ। ଏପରି କରାଗଲେ ରାଜଧାନୀରେ ହିଂସା ନିୟନ୍ତ୍ରଣ ଅସମ୍ଭବ ହୋଇପଡିବ ବୋଲି କୁହାଯାଇଥିଲା। ଏଣୁ କୋର୍ଟ ଏଭଳି ଏତଲା ପଞ୍ଜିକୃତ କରି ଏହାର ତଦନ୍ତ ଲାଗି ପୋଲିସକୁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନର ଶୁଣାଣିକୁ ୪ ସପ୍ତାହ ପରକୁ ନିର୍ଦ୍ଧାରିତ କରିଥିଲେ।

ତେବେ ସୁପ୍ରିମକୋର୍ଟରେ ବୁଧବାର ଆବେଦନର ଶୁଣାଣି ବେଳେ ସୋଲିସିଟର ଜେନେରାଲ ପେବୃଆରୀ ୨୯ ତାରିଖର ଯୁକ୍ତି ଦୋହରାଇଥିଲେ ହେଁ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଦିଲ୍ଲୀ ଦଙ୍ଗା ଭାଷଣ ଯୋଗୁ ବ୍ୟାପକ ରୂପ ଧାରଣ କରିଥିଲା। ଏଥିଲାଗି ଦୀର୍ଘ ସମୟ ଧରି ପ୍ରତିଯୋଗୀତା ଲାଗି ରହିଥିଲା। ଏଣୁ ଲୋକଙ୍କୁ ଉସକାଇଥିବା ଏଭଳି ଲୋକଙ୍କ ବିରୋଧରେ ପୋଲିସରେ ଏତଲା ହୋଇଥିବା ବେଳେ ସେତେବେଳେ ଏହାକୁ ଟାଳି ଦିଆଯାଇଥିଲା। ଏହା ବିରୋଧରେ ଲୋକେ ହାଇକୋର୍ଟ ଯିବାରୁ ସୋଲିସିଟର ଜେନେରାଲ ସାଂମ୍ପ୍ରତିକ ପରିସ୍ଥିତିର ଦ୍ୱାହି ଦେଇଥିଲେ।