ଭାରତ ଲାଗି ଆଗାମୀ ସମୟ ଜଟିଳ, ଜାଣନ୍ତୁ କରୋନା ଚତୁର୍ଥ ଲହର ନେଇ IIT ପ୍ରଫେସରଙ୍କ ଆକଳନ କ’ଣ?
29/12/2022 at 2:16 PM

କାନପୁର ୨୯।୧୨: ବିଶ୍ୱରେ ପୁଣି କରୋନା ପ୍ରକୋପ ଦେଖାଯାଇଛି। ଚୀନ୍ରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ଆମେରିକା, ଜାପାନ, ବ୍ରିଟେନ ଓ ଦକ୍ଷିଣ କୋରିଆରେ ପୁଣି ଆରମ୍ଭ ହୋଇଯାଇଛି ସଂକ୍ରମଣ। କରୋନାର ଏପରି ବୃଦ୍ଧି ପାଉଥିବା ସଂକ୍ରମଣ ଏବେ ଭାରତକୁ ମଧ୍ୟ ଚିନ୍ତାରେ ପକାଇଛି। ଏଥିଯୋଗୁ ଭାରତରେ କରୋନାର ଚତୁର୍ଥ ଲହର ଆସିବ କି ? ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ। ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ଆଇଆଇଟି ପ୍ରଫେସର.. ।
ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସମ୍ପର୍କିତ ସୂତ୍ରଙ୍କ କହିବା କଥା ହେଲା ଭାରତରେ ଜାନୁୟାରୀରେ ସଂକ୍ରମଣ ବଢିପାରେ। ଏଣୁ ଦେଶ ନିମନ୍ତେ ଆଗାମି ୪୦-୪୫ ଦିନ ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞଙ୍କ କହିବା କଥା ହେଲା ଯେବେବି ଚୀନ୍ରେ କରୋନା ସଂକ୍ରମଣ ହୋଇଛି ଏହାର ୪୦ ଦିନ ପରେ ଭାରତରେ କୋଭିଡ ମାମଲାରେ ବୃଦ୍ଧି ଦେଖା ଦେଇଛି। ତେବେ ଆଇଆଇଟି କରୋନା ମଡେଲ କରୁଥିବା ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଭାରତରେ ନୂଆ କରୋନା ଲହର ପ୍ରଶ୍ନର ଜବାବରେ ପ୍ୟାନିକ୍ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ଆଇଆଇଟି କୋଭିଡ ସୂତ୍ର ପ୍ରସ୍ତୁତିରେ ପ୍ରଫେସର ଅଗ୍ରୱାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଚୀନ୍ରେ ଯେ ପର୍ଯ୍ୟନ୍ତ କରୋନା କେସ୍ ୯୦ ପ୍ରତିଶତକୁ ନ ପହଞ୍ଚିଛି ସେ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ଜାରି ରହିବ ବୋଲି ସେ କହିଛନ୍ତି। ଆଇଆଇଟି କାନପୁରରେ ସିନିୟର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୋଟ ଜନସଂଖ୍ୟାର ୫ ପ୍ରତିଶତଙ୍କ ଠାରେ ପ୍ରାକୃତିକ ଇମ୍ୟୁନିଟି ନଥିଲା। ଏଣୁ ଚୀନ୍ରେ ଯେବେ ଲୋକଙ୍କ ଠାରେ ପ୍ରାକୃତିକ ଇମ୍ୟୁନିଟି ବିକଶିତ ହୋଇଯିବ ସେବେ ଦେଶର ପରିସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଭାରତ ଓ ଅନ୍ୟ ଦେଶରେ ଓମିକ୍ରନ ଲହରର ବିସ୍ତାର ପୂର୍ବକ ବିଶ୍ଲେଷଣ କଲେ ଜଣାପଡୁଛି ଯେ ନ୍ୟାଚୁରାଲ ଇମ୍ୟୁନିଟି କୋଭିଡ଼-୧୯ରୁ ବର୍ତ୍ତିବାର ସବୁଠାରୁ ବଡ ଅସ୍ତ୍ର। ଏଣୁ ଯେଉଁ ପର୍ଯ୍ୟନ୍ତ ଲୋକଙ୍କଠାରେ ପ୍ରାକୃତିକ ସଂକ୍ରମଣ ଦ୍ୱାରା କୋଭିଡ ପ୍ରତିରୋଧକ କ୍ଷମତା ବୃଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ବଢିବ ବୋଲି ସେ କହିଛନ୍ତି। ଅଗ୍ରୱାଲଙ୍କ ଅନୁସାରେ ଚୀନ୍ ସରକାରଙ୍କ ଜିରୋ କୋଭିଡ ନୀତି ଯୋଗୁ ଦେଶରେ ନ୍ୟାଚୁରାଲ ଇମ୍ୟୁନିଟି ବଢି ପାରିନାହିଁ। ଗୋଟିଏ ପଟେ ଲୋକଙ୍କଠାରେ ଇମ୍ୟୁନିଟି ନଥିବା ବେଳେ ଏବେ ସରକାର ଦେଶରେ କୋଭିଡ କଟକଣା କୋହଳ କରିବା ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି।

ସେ କହିଛନ୍ତିଯେ ଯେଉଁ ପର୍ଯ୍ୟନ୍ତ ଚୀନ୍ରେ ୯୦ ପ୍ରତିଶତରୁ ଅଧିକ ଲୋକେ ସଂକ୍ରମିତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଚୀନ୍ରେ କରୋନା ସଂକ୍ରମଣ ଏପରି ବଢି ଚାଲିଥିବ। ତେବେ ଭାରତରେ ଚତୁର୍ଥ ଲହର ନେଇ ପ୍ରଶ୍ନ କରାଯିବାରେ ସେ ୯୮ ପ୍ରତିଶତରୁ ଅଧିକ ଲୋକେ ପ୍ରାକୃତିକ ଇମ୍ୟୁନିଟି ହାସଲ କରି ସାରିଥିବା କହିଛନ୍ତି। ଏଣୁ ଭାରତୀୟଙ୍କ ଲାଗି କରୋନା ଆଉ ଏବେ ଚିନ୍ତାର ବିଷୟ ହୋଇ ନାହିଁ ବୋଲି କହିଛନ୍ତି। ତେବେ ବିଶ୍ୱରେ କୋଭିଡ ଯେଉଁପରି ପ୍ରକୋପ କରୁଛି ସେଥିରୁ ଭାରତ ସରକାର ଏବେ ଆଲର୍ଟ ମୋଡକୁ ଆସିଯାଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅଧିକାରୀକ ସୂତ୍ର ଅନୁସାରେ ଜାନୁୟାରୀ ମାସ ଭାରତ ଲାଗି ଜଟିଳ ହୋଇପାରେ। କାରଣ ଯେବେବି ପୂର୍ବ ଏସିଆୟରେ କରୋନା ପ୍ରକୋପ କରିଛି ଏହାର ୩୦ରୁ ୩୫ ଦିନ ପରେ ଭାରତରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି। ଏଣୁ କରୋନାର ପିଛିଲା ଲହରକୁ ନଜରରେ ରଖି ସରକାର ଓ ମନ୍ତ୍ରାଳୟ ଏପରି ଆକଳନ କରୁଥିବା ପ୍ରଫେସର ଅଗ୍ରୱାଲ କହିଛନ୍ତି।