ଜାଣନ୍ତୁ ଶପଥ ଗ୍ରହଣରେ ପ୍ରଧାନମନ୍ତ୍ରୀ କହିଲେ କ’ଣ?

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ ୯।୭: ନରେନ୍ଦ୍ର ମୋଦି ରବିବାର ତାଙ୍କ ତୃତୀୟ କାର୍ଯ୍ୟକାଳ ନିମନ୍ତେ ପ୍ରଧାନମନ୍ତ୍ରୀ ରୂପେ ଶପଥ ପାଠ କରିଛନ୍ତି। ସେ ଶପଥ ଗ୍ରହଣରେ କହିଛନ୍ତି ‘ମୁଁ ନରେନ୍ଦ୍ର ଦାମୋଦର ଦାସ ମୋଦି ଈଶ୍ୱରଙ୍କୁ ଶପଥ ନେଉଛି କି ବିଧି ଦ୍ୱାରା ସ୍ଥାପିତ ଭାରତର ସମ୍ବିଧାନ ପ୍ରତି ସତ ଶ୍ରଦ୍ଧା ଓ ନିଷ୍ଠା ରଖିବି। ମୁଁ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ଅକ୍ଷୁର୍ଣ୍ଣ ରଖିବି, ମୁଁ ସଂଘର ପ୍ରଧାନମନ୍ତ୍ରୀ ରୂପେ ମୋ ନିଜ କର୍ତ୍ତବ୍ୟର ଶ୍ରଦ୍ଧାପୂର୍ବକ ଏବଂ ଶୁଦ୍ଧ ଅନ୍ତଃକରଣରେ ନିର୍ବହନ କରିବି ତଥା ମୁଁ ଭୟ ବା ପକ୍ଷପାତ, ଅନୁରାଗ ଅଥବା ଦ୍ୱେଷ ବିନା ସବୁ ପ୍ରକାର ଲୋକଙ୍କ ପ୍ରତି ସମ୍ବିଧାନ ଓ ଆଇନ ଅନୁସାରେ ନ୍ୟାୟ କରିବି’। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ ଓ ଜେ.ପି. ନଡ୍ଡା ମଧ୍ୟ ମନ୍ତ୍ରୀ ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ମନ୍ତ୍ରିମଣ୍ଡଳକୁ ଶପଥ ପାଠ କରାଇଛନ୍ତି। ଏଥର ମୋଦି ଯେତେବେଳେ ଶପଥ ନେଲେ ସେ ରୟାଲ ବ୍ଲୁ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ମୋଦି ପ୍ରାୟତଃ ଏପରି ଖାସ ପ୍ରକାରର ଜ୍ୟାକେଟ୍ ପିନ୍ଧନ୍ତି। ମୋଦିଙ୍କ ଏହି ଜ୍ୟାକେଟ୍ ତାଙ୍କ ଲାଗି ଅହମଦାବାଦରେ ସିଲାଇ ହୋଇ ଆସିଥାଏ। 


ଏଥର ପ୍ରଧାମନ୍ତ୍ରୀ ଭାବେ ଶପଥ ପାଠ କରିବା ପାଇଁ ସେ ରୟାଲ ବ୍ଲୁ ରଙ୍ଗକୁ ନିଜ ଲାଗି ବାଛିଥିଲେ। ତେବେ ମୋଦି ଯେବେ ୨୬ ମେ ୨୦୧୪ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ରୂପେ ଶପଥ ପାଠ କରିଥିଲେ ସେତେବେଳେ ସେ ଲାଇଟ୍ ବ୍ରାଉନ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ସେତେବେଳେ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ୨୦୧୯ ମସିହାରେ ସେ ତେବେଳେ ଦ୍ୱିତୀୟବାର ଶପଥ ପାଠ କରିଥିଲେ ସେତେବେଳେ ଲାଇଟ୍ ଗ୍ରେ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ସେଥର ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.