ଏପ୍ରିଲ ମାସ ଲାଗି IMDଙ୍କ ପୂର୍ବାନୁମାନ, ଜାଣନ୍ତୁ କିପରି ରହିବ ପାଗ
1/04/2023 at 3:58 PM

ନୂଆଦିଲ୍ଲୀ ୧।୪: ସାରା ଦେଶ ଲାଗି ମାର୍ଚ୍ଚ ମାସଟି ପାଗ ଦୃଷ୍ଟିରୁ ବେଶ୍ ଭଲ ଥିଲା। ଗତମାସରେ ଅଦିନିଆ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ହୋଇଛି। ତେବେ ଚାଷୀଙ୍କୁ ଏଥି ଲାଗି ବେଶ୍ ମୂଲ୍ୟ ଦେବାକୁ ପଡିଛି। ମାର୍ଚ୍ଚମାସର ଆରମ୍ଭ ବର୍ଷାରେ ହୋଇଥିଲା ଓ ଶେଷ ଝଡ଼ତୋଫାନ ସହ ବର୍ଷା ଏବଂ କୁଆପଥର ବୃଷ୍ଟିରେ ହୋଇଛି। ଏଥିଯୋଗୁ ତାପମାତ୍ରା ମାସ ତମାମ ନିୟନ୍ତ୍ରିତ ଥିଲା। ଶନିବାର ଏପ୍ରିଲମାସ ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମାସଟି ବେଶ୍ ଆଶ୍ୱସ୍ତକର ହେବ ବୋଲି ପୂର୍ବାନୁମାନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏପ୍ରିଲରେ କେମିତି ରହିବ ଦେଶର ପାଣିପାଗ।

ଆଇଏମଡିଙ୍କ ଅନୁସାରେ ଏପ୍ରିଲରେ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତର ପ୍ରାୟ ରାଜ୍ୟରେ ହିଟ୍ ୱେଭ୍ ସମ୍ଭାବନା କମ୍। ତେବେ ମେ ଓ ଜୁନ ମାସରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବା ସହିତ ହିଟ୍ ୱେଭ ଦିନ ସଂଖ୍ୟା ବର୍ଷର ହାରାହାରି ଦିନଠାରୁ ଅଧିକ ହୋଇପାରେ। ଅର୍ଥାତ ଏପ୍ରିଲ ମାସଟି ଆଶ୍ୱସ୍ତିଭରା ରହିବ। ପାଣିପାଗ ବିଭାଗଙ୍କ ଅନୁସାରେ ୧୫ ଏପ୍ରିଲ ପର୍ଯ୍ୟନ୍ତ ହିଟୱେଭ ଦେଖିବାକୁ ମିଳିବନି। ତେବେ ୧୫ ଏପ୍ରିଲ ପରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ରେକର୍ଡ ହେବ। ଖାସ କରି ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜ ଉପକୂଳ ଅଞ୍ଚଳରେ ୧୫ ଏପ୍ରିଲ ପରେ ହିଟୱେଭ ଆରମ୍ଭ ହୋଇପାରେ।

ସେହିପରି ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଛତିଶଗଡ଼, ପଶ୍ଚିମ ମହାରାଷ୍ଟ୍ର, ଗୁଜରାଟ ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳ ସମେତ ପଞ୍ଜାବ ଓ ହରିୟାଣାରେ ଏପ୍ରିଲ ମାସରେ ସ୍ୱଭାବିକରୁ ଅଧିକ ହିଟୱେଭ ଚାଲିପାରେ। ଏପ୍ରିଲ ୨୦୨୩ରେ ସାରା ଦେଶରେ ହାରାହାରି ବର୍ଷା ସ୍ୱଭାବିକ( ୮୮-୧୧୨%ଏଲପିଏ) ରହିବ। ଏଥିରେ ଉତ୍ତର-ପଶ୍ଚିମ, ମଧ୍ୟ ଓ ପ୍ରାୟୋଦ୍ୱିପୀୟ ଭାରତର ଅଧିକାଂଶ ଅଞ୍ଚଳରେ ସ୍ୱଭାବିକରୁ ଅଧିକ ବର୍ଷା ହେବ। ତେବେ ଏହି ସମୟରେ ପୂର୍ବ ଓ ଉତ୍ତର-ପୂର୍ବ ଭାରତ, ପଶ୍ଚିମ ଉପକୂଳର କେତେକ ଅଞ୍ଚଳ ସ୍ୱଭାବିକରୁ କମ୍ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।