ନୂଆଦିଲ୍ଲୀ ୧।୫: କେନ୍ଦ୍ରୀୟ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ର ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ଅବଶିଷ୍ଟ ପରୀକ୍ଷା କିପରି ଏବଂ କେତେବେଳେ ହେବ, ଦଶମ ଅବଶିଷ୍ଟ ପରୀକ୍ଷା ହେବ କି ନାହିଁ, ଦ୍ବାଦଶର ପରୀକ୍ଷା ହେବ କି ନାହିଁ, କେଉଁଠାରେ ଏବଂ କିପରି ବହି ପାଇବେ । ଛାତ୍ର ଓ ଅଭିଭାବକଙ୍କ ମନରେ ଆସୁଥିବା ଏଭଳି ସମସ୍ତ ପ୍ରଶ୍ନ ନେଇ ଏକ ଗଣମାଧ୍ୟମର ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରତିକ୍ରିୟା ରଖିଛନ୍ତି ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ।
ଅବଶିଷ୍ଟ ବୋର୍ଡ ପରୀକ୍ଷା କେବେ ଏବଂ କିପରି ହେବ ସେ ସଂପର୍କରେ ଅନୁରାଗ ତ୍ରିପାଠୀ କହିଛନ୍ତି ଯେ, ଯେପରି ଆମେ ଅପ୍ରେଲ ୧ରେ ସର୍କୁଲାରରେ କହିଥିଲୁ ଯେ ଦଶମ ପାଇଁ କୌଣସି ପରୀକ୍ଷା ହେବ ନାହିଁ । ଅବଶିଷ୍ଟ ଥିବା ଗୋଟିଏ ଦୁଇଟି ପେପରରେ ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ଅନ୍ୟ ଗୋପନୀୟ ପଦ୍ଧତି ଆଧାରରେ ମାର୍କ ଦିଆଯିବ ।
ଯଦିଓ ଆମେ ଦଶମରେ ପାସ୍ କରିବୁ, ମାତ୍ର ଦ୍ବାଦଶର ଅବଶିଷ୍ଟ ମୁଖ୍ୟ ବିଷୟ ଗୁଡିକର ପରୀକ୍ଷା କରିବା ଆବଶ୍ୟକ । ଏହାର କାରଣ ହେଉଛି ଅନେକ ବିଶ୍ବବିଦ୍ୟାଳୟ ଯୋଗ୍ୟତା ଅନୁଯାୟୀ ଆଡମିଶନ ନିଅନ୍ତି । ଲକ୍ ଡାଉନ୍ ଖୋଲିବା ପରେ ଯଦି ଆମକୁ ୧୦ ରୁ ୧୨ ଦିନର ସୁଯୋଗ ଦିଆଯାଏ, ତେବେ ଆମେ ପରୀକ୍ଷା କରିବାକୁ ସମର୍ଥ ହେବୁ । ଯଦି ପରିସ୍ଥିତି ଠିକ୍ ନହୁଏ ତେବେ ଏଥିପାଇଁ ପରବର୍ତ୍ତୀ ରାସ୍ତା ମଧ୍ୟ ଦେଖାଯିବ ।
ଫଳାଫଳ କେବେ ଆସିବ ସେ ସଂପର୍କରେ କହିଛନ୍ତି ଉତ୍ତର ପୁସ୍ତକଗୁଡିକର ମୂଲ୍ୟାଙ୍କନ କରିବାକୁ ଯଦି ସରକାରଙ୍କଠାରୁ ଅନୁମତି ମିଳିଯାଏ ତେବେ ଅତି କମରେ ଦେଢ ମାସ ସମୟ ଲାଗିବ । ଏହିପରି ଆମେ ଦୁଇ ମାସ ମଧ୍ୟରେ ଫଳାଫଳ ଘୋଷଣା କରିପାରିବୁ । ଉତ୍ତର ପୁସ୍ତକଗୁଡିକର ମୂଲ୍ୟାଙ୍କନରେ ଆମେ ସାମାଜିକ ଦୂରତା ନିଶ୍ଚିତ ପାଳନ କରିବୁ ।
ଅନୁରାଗ ତ୍ରିପାଠୀ ଆହୁରି କହିଛନ୍ତି ଯେ, ଏହି ପରିସ୍ଥିତିରେ ଅଭିଭାବକଙ୍କୁ କୌଣସି ପ୍ରକାରେ ଭୟଭୀତ ହେବାକୁ ପଡିବ ନାହିଁ । ଏହା କେବଳ CBSE ର ସ୍ଥିତି ନୁହେଁ । ଦେଶରେ ସମସ୍ତ ବୋର୍ଡ ଏବଂ ସାରା ବିଶ୍ବରେ ଏଭଲି ସ୍ଥିତି ରହିଛି । ତେଣୁ ଏହା ଭାବନ୍ତୁ ଯେ କୌଣସି ଜଣଙ୍କ ସହ ଏହା ହେବନାହିଁ ଏହା ସମଗ୍ର ବିଶ୍ବ ସହିତ ହେବ । ଆମେ ଅବଶିଷ୍ଟ ପରୀକ୍ଷା ମଧ୍ୟ କରାଇବୁ, ଫଳାଫଳ ମଧ୍ୟ ପ୍ରକାଶ କରିବୁ । କେବଳ ଧର୍ଯ୍ୟ ଧରି ରୁହନ୍ତୁ ।
ପ୍ରତିଯୋଗୀତା ପରୀକ୍ଷା କେବେ ଅନୁଷ୍ଠିତ ହେବ ସେ ସଂପର୍କରେ ସିବିଏସ୍ଇ ସଚିବ କହିଛନ୍ତି ଯେ, ପୂର୍ବପରି ବୋର୍ଡ ପରୀକ୍ଷା ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ବର୍ତ୍ତମାନ ବାତିଲ ହୋଇଛି, ଏହି ସମସ୍ତ ପରୀକ୍ଷା କେବଳ ବୋର୍ଡର ଫଳାଫଳ ପରେ ଅନୁଷ୍ଠିତ ହେବ ।
ସେ କହିଛନ୍ତି ଯେ, ଅନ୍ୟ ବୋର୍ଡଗୁଡିକ ଯେପରି ଉତ୍ତର ପୁସ୍ତିକାଗୁଡିକୁ ମୂଲ୍ୟାଙ୍କନ କରିବା ଆରମ୍ଭ କରିଛନ୍ତି । ସେହିଭଳି ଆମେ ମଧ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ ଯେ ଆମକୁ ଏହା କରିବାକୁ ଅନୁମତି ଦିଆଯାଉ । ବାକି ବୋର୍ଡ ପ୍ରତ୍ୟେକ ପରିସ୍ଥିତି ଦେଇ ଗତି କରିବାକୁ ପ୍ରସ୍ତୁତ । ଆମେ ବୋର୍ଡ ପରୀକ୍ଷା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛୁ ।
ବହି ସୂଚନା ସମ୍ପର୍କରେ ସେ କହିଛନ୍ତି ଯେ, ଲକ୍ ଡାଉନ୍ ହେତୁ NCERT ସମସ୍ତ ଅନଲାଇନ୍ ବହିକୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛି । ପିଲାମାନେ ଅନଲାଇନରେ କିମ୍ବା ପ୍ରିଣ୍ଟ ଆଉଟ୍ ଡାଉନଲୋଡ୍ କରି ପଢିପାରିବେ । ଅନଲାଇନ୍ ଶିକ୍ଷା ବିଷୟରେ ମଧ୍ୟ ସେ କହିଛନ୍ତି ଯେ ଶିକ୍ଷକମାନଙ୍କର ଦାୟିତ୍ବ ପିଲାମାନଙ୍କ ସହ ଜଡିତ ରହିବା । ଆଇସୋଲେସନରେ ରହି ପିଲାମାନେ ପୂର୍ବରୁ ଚାପରେ ଅଛନ୍ତି, ପାଠପଢା ପାଇଁ ସେମାନଙ୍କ ଉପରେ ଅଧିକ ଚାପ ରହିବା ଉଚିତ୍ ନୁହେଁ ।