ଚାର୍ଲସ୍ ତୃତୀୟ ହେଲେ ବ୍ରିଟେନର ନୂଆ ରାଜା, ବର୍ଷରେ ଦୁଇ ଥର ପାଳିବେ ଜନ୍ମଦିନ, ଆବଶ୍ୟକ ହେବନି ପାସପୋର୍ଟ କି ଡ୍ରାଇଭିଂ ଲାଇସେନ୍ସ
9/09/2022 at 4:12 PM

ନୂଆଦିଲ୍ଲୀ ୯।୯: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ ସହ ୭୩ ବର୍ଷ ବୟସ୍କ ପ୍ରିନ୍ସ ଚାର୍ଲସ୍ ରାଜସିଂହାସନ ସମ୍ଭାଳିଛନ୍ତି। ମହାରାଜା ଚାର୍ଲସ୍ ତୃତୀୟ ରୂପେ ତାଙ୍କୁ ଦେଶର ସିଂହାସନରେ ବସିବାର ଅବସର ମିଳିଛି। ବ୍ରିଟେନ ରାଜା ନିଯୁକ୍ତ ହେବା ପରେ କିଙ୍ଗ ଚାର୍ଲସ୍ ତୃତୀୟଙ୍କୁ ଅନେକ ରାଜକୀୟ ଅଧିକାର ମିଳିବ। ଯେଉଁଥିରେ ସେ ବିନା ପାସପୋର୍ଟରେ ବିଶ୍ୱର ଯେ କୌଣସି ଦେଶକୁ ଗସ୍ତ କରିପାରିବା ସହ ବିନା ଡ୍ରାଇଭିଂ ଲାଇସେନ୍ସରେ ବାହନ ଚଳାଇପାରିବେ।

ତେବେ ରାଜ ପରିବାରର ଅନ୍ୟ ସଦସ୍ୟମାନେ ପାସପୋର୍ଟ ସହିତ ଟ୍ରାଭେଲ କରୁଛନ୍ତି। ହେଲେ ଚାର୍ଲସଙ୍କ ଲାଗି ଏ ସବୁ କାଗଜପତ୍ର ଏବେ ଆଉ ଜରୁରି ନୁହେଁ। ଏଥିପାଇଁ ତାଙ୍କର ପାସପୋର୍ଟ ହେବନି କାରଣ ଏହା ତାଙ୍କରି ନାମରେ ହିଁ ଜାରି କରାଯିବ। ସହଜ ଭାଷାରେ ବୁଝିବାକୁ ହେଲେ କୌଣସି ଦେଶର ପ୍ରମୁଖଙ୍କ ନାମରେ ପାସପୋର୍ଟ ଜାରି ହୋଇଥାଏ। ଏଣୁ କିଙ୍ଗ ଚାର୍ଲସଙ୍କ ନାମରେ ବ୍ରିଟେନର ପାସପୋର୍ଟ ଏଣିକି ଜାରି ହେବାକୁ ଥିବାରୁ ତାଙ୍କର ଆଉ ପାସପୋର୍ଟର ଆବଶ୍ୟକତା ନାହିଁ।

ସେହିପରି ବ୍ରିଟେନରେ କିଙ୍ଗ ହିଁ ଏପରି ଏକମାତ୍ର ବ୍ୟକ୍ତି ଯିଏ ବିନା ଲାଇସେନ୍ସରେ ବାହନ ଚଳାଇପାରିବେ। ପୂର୍ବରୁ ଯେତେବେଳେ ଚାର୍ଲସଙ୍କ ମା ରାଣୀ ଏଲିଜାବେଥ ଦେଶର ସର୍ବେ ସର୍ବା ଥିଲେ ସେତେବେଳେ ବର୍ଷକୁ ଦୁଇ ଥର ତାଙ୍କର ଜନ୍ମ ଦିନ ପାଳିତ ହେଉଥିଲା। ରାଣୀ ଏଲିଜାବେଥ ୨୧ ଏପ୍ରିଲ ୧୯୨୬ରେ ଜନ୍ମ ହୋଇଥିଲେ। ଏହି ଦିନଟିକୁ ତାଙ୍କର ପ୍ରଥମ ଜନ୍ମଦିନ ଭାବେ ପାଳନ କରାଯାଉଥିବା ବେଳେ ତାଙ୍କ ଅଧିକାରୀକ ବା ଅଫିସିଆଲ ଜନ୍ମଦିନ ଜୁନ ଦ୍ୱିତୀୟ ମଙ୍ଗଳବାର ପାଳିତ ହୋଇଥାଏ। ସେହି ପରି ଚାର୍ଲସ ତୃତୀୟଙ୍କର ମଧ୍ୟ ବର୍ଷରେ ଏବେ ଦୁଇଥର ଜନ୍ମଦିନ ପାଳନ ହେବ।