ମହାଶିବରାତ୍ରି ୨୦୨୩: ଏହି ୫ଟି ସାମଗ୍ରୀ ଶିବଲିଙ୍ଗରେ ଚଢାଇଲେ ମିଳିଥାଏ ମହାଦେବଙ୍କ କୃପା
16/02/2023 at 2:28 PM

ହିନ୍ଦୁ ପର୍ବପର୍ବାଣୀରେ ମହାଶିବରାତ୍ରିର ବେଶ୍ ଗୁରୁତ୍ୱ ରହିଛି। ଫାଲଗୁନମାସ କୃଷ୍ଣପକ୍ଷ ତ୍ରୟୋଦଶୀରେ ପାଳିତ ହେଉଥିବା ଏହି ପର୍ବ ଚଳିତବର୍ଷ ୧୮ ଫେବୃଆରୀ ଶନିବାର ପଡୁଛି। କୁହାଯାଏ ଏହି ଦିନ ପ୍ରଭୁ ଭୋଳାନାଥଙ୍କ ବିଶେଷ ଉପଚାରରେ ପୂଜା କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେହିପରି ଜୀବନର ସବୁ କଷ୍ଟ ମଧ୍ୟ ଦୂର ହୋଇଥାଏ। ଏଣୁ ମହାଶିବରାତ୍ରି ଦିନ ଭକ୍ତ ଭୋଳାନାଥଙ୍କ ପ୍ରଶିଦ୍ଧ ମନ୍ଦିରମାନଙ୍କୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି ଓ ତାଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ଅର୍ପିତ କରିଥାନ୍ତି।
ତେବେ ଏପରି କିଛି ଆବଶ୍ୟକ ସାମଗ୍ରୀ ରହିଛି ଯାହା ଭୋଳା ଶଙ୍କରଙ୍କ ପୂଜା ପାଇଁ ନିତ୍ୟାନ୍ତ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ ଭୋଳାନାଥ ପୂଜା ପାଇଁ ୫ ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପର୍କରେ।

୧. ଭସ୍ମ
ଭୋଳାନାଥଙ୍କ ପୂଜାରେ ଭଷ୍ମର ବ୍ୟବହାର ବହୁତ ଶୁଭ ମନେ କରାଯାଏ। ମହାଶିବରାତ୍ରି ଅବସରରେ ବିଶେଷ କରି ଶିବଲିଙ୍ଗରେ ଭଷ୍ମ ଲେପନ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଶିବଙ୍କ ମୁଖ୍ୟ ବସ୍ତ୍ର ଭସ୍ମହିଁ ହୋଇଥାଏ। କାରଣ ତାଙ୍କର ସମ୍ପୂର୍ଣ୍ଣ ଶରୀର ଭସ୍ମରେ ଢାଙ୍କି ହୋଇ ରହିଥାଏ। ଏଣୁ ମହାଶିବରାତ୍ରିରେ ଶିବଙ୍କ ଠାରେ ଭସ୍ମ ଲାଗି ପାଇଁ ବ୍ୟବସ୍ଥା କରାଯାଇ ପାରିଲେ ଭକ୍ତଙ୍କ ମନୋରଥ ନିଶ୍ଚିତ ପୂରଣ ହେବ।

୨.ବିଲ୍ୱ
ମହାଶିବରାତ୍ରିରେ ଶିବଙ୍କ ଭୋଗ ଲାଗି ଅନ୍ୟ ଫଳ ମଧ୍ୟରେ ବେଲ ଭୋଗ କରିବା ମଧ୍ୟ ଶୁଭ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରିରେ ଶିବଙ୍କୁ ବେଲ ଅର୍ପଣ କଲେ ବାସ୍ତୁ ଦୋଷ ଦୂର ହେବା ସହ ଘରେ ସୁଖଶାନ୍ତି ବିରାଜମାନ କରିଥାଏ।

୩.ରୁଦ୍ରାକ୍ଷ
ଧାର୍ମିକ ମାନ୍ୟତା ଅନୁସାରେ ଶିବଙ୍କ ଅଶ୍ରୁରେ ନିର୍ମିତ ରୁଦ୍ରାକ୍ଷ ତାଙ୍କୁ ଅର୍ପଣ କଲେ ଶୁଭ ହୋଇଥାଏ। କୁହାଯାଏ ମହାଶିବରାତ୍ରିରେ ଶିବ ଲିଙ୍ଗକୁ ରୁଦ୍ରାକ୍ଷ ଚଢାଇଲେ ଶିବ ଖୁବ୍ ଶୀଘ୍ର ସନ୍ତୋଷ ହୋଇଥାନ୍ତି ଓ ଭକ୍ତଙ୍କ ଉପରେ କୃପା ବୃଷ୍ଟି କରିଥାନ୍ତି।

୪.ଖୀର
ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନରୁ ବାହାରିଥିବା ଗରଳ ଶିବ ପାନ କରିଥିଲେ। ଏଣୁ ବିଶ ଜ୍ୱାଳାରେ ତାଙ୍କ ଶରୀର ଜଳିବାକୁ ଲାଗିଥିଲା। ଏଣୁ ସେତେବେଳେ ସେଠାରେ ଉପସ୍ଥିତ ଦେବତାମାନେ ତାଙ୍କୁ ଦୁଗ୍ଧପାନ କରିବାକୁ ନିବେଦନ କରିଥିଲେ। ଫଳରେ ତାଙ୍କ ଶରୀରର ଜ୍ୱାଳା ଶାନ୍ତ ହୋଇଥିଲା। ଏଣୁ ଧାର୍ମିକ ମାନ୍ୟତା ଅନୁସାରେ ଶିବଙ୍କ ଉପରେ ଖୀର ଲାଗି କଲେ ଅତ୍ୟନ୍ତ ଶୁଭ ହୋଇଥାଏ।

୫.ଗଙ୍ଗା ଜଳ
କୁହାଯାଏ ମାତା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଅଣାଯିବା କାଳରେ ଶିବ ତାଙ୍କୁ ଜଟାରେ ଧାରଣ କରିଥିଲେ। ଏଣୁ ଗଙ୍ଗାଜଳ ଶିବଙ୍କର ଅତି ପ୍ରିୟ। ଏଣୁ ମହାଶିବରାତ୍ରି ପୂଜାରେ ଶିବଙ୍କୁ ନିଶ୍ଚିତ ଗଙ୍ଗାଜଳ ଲାଗି କରନ୍ତୁ।