ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୨୩୯ କୋଟି ଟଙ୍କା, ଜାଣନ୍ତୁ ମନମୋହନ ସିଂହଙ୍କ ଖର୍ଚ୍ଚ କେତେ?
10/12/2022 at 2:47 PM

ନୂଆଦିଲ୍ଲୀ ୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରା ପ୍ରାୟତଃ ଚର୍ଚ୍ଚାରେ ଥାଏ। ତାଙ୍କ ଯାତ୍ରା ଲାଗି କେତେ ଖର୍ଚ୍ଚ ହୁଏ ତା ଉପରେ ଥାଏ ସମସ୍ତଙ୍କ ନଜର। ଏଥିରେ କେନ୍ଦ୍ର ସରକାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାମାନଙ୍କରେ ହୋଇଥିବା ଖର୍ଚ୍ଚର ପୁରା ବିବରଣୀ ଦେଇଛନ୍ତି। ରାଜ୍ୟସଭାରେ ବିଦେଶ ରାଜ୍ୟମନ୍ତ୍ରୀ ଭି. ମୂରଲୀଧରନ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାର ବିବରଣୀ ପ୍ରଦାନ କରିଛନ୍ତି।

ଏଥିରେ ୫ ବର୍ଷରେ ମୋଦି ମୋଟ ୩୬ ବିଦେଶ ଯାତ୍ରା କରିଥିବା କହିଛନ୍ତି। ଏଥିରୁ ୩୧ଟି ଯାତ୍ରାରେ ୨୩୯.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି। ବାକି ୫ ଯାତ୍ରା ଲାଗି ଗୃହମନ୍ତ୍ରାଳୟ ବ୍ୟୟ ବହନ କରିଛନ୍ତି। ଏଥିରେ କେତେ ବ୍ୟୟ ହୋଇଛି ତାହା ଗୃହମନ୍ତ୍ରାଳୟ ସୂଚିତ କରିନଥିବା ବିଦେଶ ରାଜ୍ୟମନ୍ତ୍ରୀ କହିଛନ୍ତି। ମଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷରେ ବିଦେଶ ଯାତ୍ରା ତୁଳନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିଦେଶ ଗସ୍ତରେ ୩ ଗୁଣା ଅଧିକ ଖର୍ଚ୍ଚ ହୋଇଥିଲା।

ମନମୋହନ ସିଂହଙ୍କ ବିଦେଶ ଯାତ୍ରା ବର୍ଷ ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ମୋଟ ୬୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି କାଳରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୩୫ ବିଦେଶ ଯାତ୍ରା କରିଥିଲେ। ରାଜ୍ୟସଭାରେ ବିଦେଶ ରାଜ୍ୟମନ୍ତ୍ରୀ ଏକ ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷରେ ୩୬ ଥର ବିଦେଶ ଯାତ୍ରା କରିଥିବାର ଓ ୯ ଥର ୨ରୁ ଅଧିକ ଦେଶ ଯାତ୍ରା କରିଥିବା ସୂଚନା ଦେଇଛନ୍ତି। ଏଥିରେ ୨୦୨୨ ପ୍ରାରମ୍ଭରେ ମୋଦି ଇୟୁରୋପ ଗସ୍ତରେ ଯାଇଥିବା ବେଳେ ଏଥିଲାଗି ପାଖାପାଖି ୨୫ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିବାର କହିଛନ୍ତି।