ଫେବୃଆରୀରେ ଅଷ୍ଟ୍ରେଲିଆ ସିରିଜ୍, ଜାଣନ୍ତୁ ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଋଷଭ ପନ୍ତ
30/12/2022 at 5:05 PM

ନୂଆଦିଲ୍ଲୀ ୩୦।୧୨: ଋଷଭ ପନ୍ତଙ୍କ କାର ଦୁର୍ଘଟଣା ଭାରତୀୟ କ୍ରିକେଟ୍ ଟିମ୍ ଲାଗି ସମସ୍ୟା ସୃଷ୍ଟି କରିଛି। ଆଗାମୀ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ସହ ଟେଷ୍ଟ ସିରିଜ ଖେଳିବ ଭାରତ। ଯେଉଁଥିରେ ପନ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ ଏହି ସିରିଜରେ ପନ୍ତ ଭାଗ ନେବାର ସମ୍ଭାବନା ସମାପ୍ତ ହୋଇଯାଇଛି। ୨୦୨୩ରେ ଭାରତକୁ ୱାନଡେ ବିଶ୍ୱକପ୍ ମଧ୍ୟ ଖେଳିବାର ଅଛି। ତେବେ ସେତେବେଳକୁ ୱିକେଟ କିପର ପନ୍ତ ସୁସ୍ଥ ହୋଇଯାଆନ୍ତୁ ବୋଲି ଫ୍ୟାନସ୍ ପ୍ରାର୍ଥନା କରୁଛନ୍ତି।
ଏମ.ଏସ୍. ଧୋନୀ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଛାଡିବା ପରେ ଭାରତୀୟ କ୍ରିକେଟ୍ ଟିମ୍କୁ ତାଙ୍କ ଭଳି ଜଣେ ୱିକେଟ୍ କିପର ଓ ବ୍ୟାଟସ୍ମ୍ୟାନର ଆବଶ୍ୟକତା ଥିଲା। ଏଥିରେ ଋଷଭ ପନ୍ତ ହିଁ ଧୋନୀଙ୍କ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଉଥିଲା। ପନ୍ତ ତାଙ୍କ ପ୍ରଦର୍ଶନରେ ମଧ୍ୟ ଏହା ଅନେକବାର ପ୍ରମାଣିତ କରିଛନ୍ତି। ଟେଷ୍ଟ କ୍ରିକେଟ୍ରେ ପନ୍ତ ଯେପରି ବ୍ୟାଟିଂ କରନ୍ତି ଏଥିରୁ ଟିମରେ ଧୋନୀଙ୍କ ଅଭାବ ଅନୁଭୂତ ହେଉ ନଥିଲା।

ତେବେ ୱାନଡେ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ପନ୍ତ ଯଦିଓ ଏତେ ଦକ୍ଷତା ହାସଲ କରିପାରି ନାହାନ୍ତି ତେବେ ତାଙ୍କଠାରୁ ସମୟାନୁସାରେ ସଫଳତା କାମନା କରାଯାଉଥିଲା। ଋଷଭ ପନ୍ତଙ୍କୁ ଭବିଷ୍ୟତରେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ରୂପେ ଦେଖାଯାଉଛି। କାରଣ ତାଙ୍କ ବୟସ ଏବେ ମାତ୍ର ୨୫ ବର୍ଷ। ଖାସ କରି ରୋହିତ ଶର୍ମାଙ୍କ ପରେ ଟେଷ୍ଟ କ୍ରିକେଟ୍ରେ ଭାରତକୁ ଜଣେ ଅଧିନାୟକଙ୍କ ଖୋଜ ରହିବ ଓ ଏହି ଭୂମିକା ଲାଗି ପନ୍ତ ଫିଟ୍ ରହିବେ ବୋଲି କୁହାଯାଉଛି।
ୱାନଡେ ଓ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲା ନିଶ୍ଚିତ ଭାରି, ହେଲେ ଟେଷ୍ଟ କ୍ରିକେଟ୍ ଲାଗି ପନ୍ତ ପୁରା ଫିଟ୍ ମନେ ହୁଅନ୍ତି। ପନ୍ତ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ଥିଲେ। ତେବେ ବିସିସିଆଇ ପନ୍ତଙ୍କୁ ନେଇ ଯେଉଁ ଅପଡେଟ୍ ଦେଇଛନ୍ତି ସେଥିରେ କ୍ରିକେଟରଙ୍କ ମଥାରେ ୨ଟି କଟା ଚିହ୍ନ ରହିଛି ଓ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଏହା ଛଡା ପନ୍ତଙ୍କ ବୃଦ୍ଧାଙ୍ଗୁଳି, ଗୋଇଠି, ହାତର ମଣିବନ୍ଧ ଓ ପିଠିରେ ଆଘାତ ଲାଗିଛି। ସେହିପରି ଲିଗାମେଣ୍ଟ ମଧ୍ୟ ପ୍ରଭାବିତ ହୋଇଛି। ଯାହା ଠିକ୍ ହେବାକୁ ୩ରୁ ୬ ମାସ ଲାଗି ପାରେ। ଏଣୁ କ୍ରିକେଟକୁ ଋଷଭ ପନ୍ତଙ୍କ ସଠିକ ପ୍ରତ୍ୟାବର୍ତ୍ତନ ସମୟ ଆକଳନ କରାଯାଇ ପାରିନି।

ଋଷଭ ପନ୍ତ ଏପର୍ଯ୍ୟନ୍ତ ୬୬ଟି ଟି-୨୦ ଇଣ୍ଟରନ୍ୟାସନାଲରୁ ୨୨.୪୩ ରନ ହାରରେ ୯୮୭ ରନ ସଂଗ୍ରହ କରିଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୩ଟି ଅର୍ଦ୍ଧଶତକ କରିଛନ୍ତି ଓ ତାଙ୍କର ବେଷ୍ଟ ସ୍କୋର ନଟ୍ ଆଉଟ୍ ୬୫ ରନ୍ ରହିଛି। ସେହିପରି ୱାନଡେ ଇଣ୍ଟରନ୍ୟାସନାଲରେ ସେ ୩୦ଟି ମ୍ୟାଚ୍ ଖେଳି ୩୪.୬୦ ହାରରେ ୮୬୫ ରନ କରିଛନ୍ତି। ୩୩ଟି ଟେଷ୍ଟ ମ୍ୟାଚ୍ରୁ ୪୩.୬୭ ଆଭରେଜରେ ୨ହଜାର ୨୭୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ରହିଛି।