କରୋନାର ନୂଆ ଭାରିଏଣ୍ଟ BF.7 ବିରୋଧରେ ଜାଣନ୍ତୁ କେତେ କାମିକା ପୁରୁଣା ଭାକ୍ସିନ, ଜଣାପଡିଲା ଅଧ୍ୟୟନରୁ

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ ୨୪।୧୨:  ଓମିକ୍ରନର ନୂଆ ଭାରିଏଣ୍ଟ ବିଏଫ.୭ ସାରା ବିଶ୍ୱରେ ଏବେ ତୀବ୍ର ସଂକ୍ରମିତ ହେଉଛି। ଚୀନ୍‌ ଓ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଏବେ ନୂଆ ଭାରିଏଣ୍ଟ ବିଏଫ.୭ ମାମଲା ଲଗାତାର ବଢିବାକୁ ଲାଗିଛି। ତେବେ ଭାରତରେ ଏପର୍ଯନ୍ତ ବିଏଫ.୭ର ମାତ୍ର ୪ଟି ମାମଲା ସାମ୍ନାକୁ ଆସିଛି। କରୋନାର ଏହି ନୂଆ ଭାରିଏଣ୍ଟରେ ଭାକ୍ସିନ କାମ ଦେବ କି ନା ତାହା ଏବେ ଅନେକଙ୍କୁ ଚିନ୍ତାରେ ପକାଇଛି। ତେବେ ଏ ନେଇ କରାଯାଇଥିବା ଅଧ୍ୟୟନରୁ କ’ଣ ଜଣାପଡିଛି ଆସନ୍ତୁ ଜାଣିବା।

ସେଲ ହୋଷ୍ଟ ଓ ମାଇକ୍ରୋବ ଜର୍ଣ୍ଣାଲର ଅଧ୍ୟୟନ ଅନୁସାରେ ବିଏଫ.୭ ଭାରିଏଣ୍ଟ ଭେକ୍ସିନରୁ ମିଳୁଥିବା ଆଣ୍ଟିବଡିକୁ ଚକମା ଦେବାର କ୍ଷମତା ରଖୁଛି।  ଏହି ଷ୍ଚଡି ଅନୁସାରେ ବିଏଫ.୭ ଭାରିଏଣ୍ଟରେ କରୋନା ଭାଇରସର ପୂର୍ବ ଭାରିଏଣ୍ଟ ତୁଳନାରେ ୪.୪ ଗୁଣା ଅଧିକ ପ୍ରତିରୋଧକ ଶକ୍ତି ରହିଛି। ଏଣୁ ଭାକ୍ସିନ ଯୋଗୁ ଯଦି ଶରୀରରେ ଆଣ୍ଟିବଡି ହୋଇଥାଏ ବି ଏହି ଭୂତାଣୁ ସଂକ୍ରମିତ କରିବ ବୋଲି ଜଣାପଡିଛି।

{"id":724961,"width":842,"height":561,"sizeSlug":"full","linkDestination":"none"}

କରୋନାର ସ୍ପାଇକ୍ ପ୍ରୋଟିନ୍ ରେ ‘R346T’ ମ୍ୟୁଟେସନରୁ ତିଆରି ଏହି ଭାରିଏଣ୍ଟ ଉପରେ ଆଣ୍ଟିବଡି ପ୍ରଭାବ ପକାଇ ପାରୁନି। ସେହିପରି ବିଏଫ.୭ର ‘ଆର’ ଭାଲ୍ୟୁ ୧୦ରୁ ୧୮ ମଧ୍ୟରେ ରହୁଛି। ଏହାର ଅର୍ଥ ବିଏଫ.୭ ଦ୍ୱାରା ସଂକ୍ରମିତ ବ୍ୟକ୍ତି ତାଙ୍କ ଆଖପାଖରେ ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ସ୍ୱୀକାର କରିଛନ୍ତି। ଏପର୍ଯ୍ୟନ୍ତ ବିଶ୍ୱରେ କରୋନାର ଯେତେବି ଭାରିଏଣ୍ଟ ଆସିଛନ୍ତି ଏଥିରେ ବିଏଫ.୭ର  ‘ଆର’ ଭାଲ୍ୟୁ ସବୁଠୁ ଅଧିକ ଓ ସର୍ବାଧିକ ଲୋକଙ୍କୁ ସଂକ୍ରମିତ କରିବ ବୋଲି କୁହାଯାଇଛି।

ଏହା ପୂର୍ବରୁ ସଂକ୍ରମିତ ହୋଇଥିବା କରୋନା ଭାଇରସର ଆଲଫା ଭାରିଏଣ୍ଟର ଆର ଭାଲ୍ୟୁ ୪ରୁ ୫ ଥିବା ବେଳେ ଡେଲ୍ଟା ଭାରିଏଣ୍ଟର ୬ରୁ ୭ ଥିଲା। ଏଣୁ ଏପରି ପରିସ୍ଥିତିରେ ଲୋକଙ୍କୁ କୋଭିଡର ନୂଆ ଭାରିଏଣ୍ଟରୁ ବର୍ତ୍ତି ରହିବା ପାଇଁ କୋଭିଡ ଅନୁରୂପ ବ୍ୟବହାର ସହ ଟିକାକରଣ କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି। ଏକ୍ସପର୍ଟଙ୍କ ଅନୁସାରେ ଗତ କିଛିମାସ ହେଲା ଏହି ଭାରିଏଣ୍ଟ ଭାରତରେ ରହିଛି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ବିଏଫ.୭ର ୪ଟି ନମୁନା ସାମ୍ନାକୁ ଆସିଛି। ଯେଉଁଥିରୁ ଏହାକୁ ଦେଶରେ ଡରିବାର ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସବୁ ପ୍ରକାର ପରିସ୍ଥିତି ଲାଗି ପ୍ରସ୍ତୁତ ରହିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.