ସରକାରୀ ସମ୍ପତ୍ତି ବିକ୍ରିରୁ ମୋଦି ସରକାର ସଂଗ୍ରହ କରିବେ ୫୧ ହଜାର କୋଟି ଟଙ୍କା, ଜାଣନ୍ତୁ ବଜେଟ୍ରେ କେତେ ରହିଛି ଟାର୍ଗେଟ୍
1/02/2023 at 5:14 PM

ନୂଆଦିଲ୍ଲୀ ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ୨୦୨୩-୨୪ ବାର୍ଷିକ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ସରକାର ଆର୍ଥିକ ବର୍ଷରେ ତାଙ୍କ ଡିସଇନଭେଷ୍ଟମେଣ୍ଟ (ବିନିବେଶ) ଟାର୍ଗେଟ୍ ହ୍ରାସ କରିଛନ୍ତି। ସରକାର ୨୦୨୩ ଆର୍ଥିକ ବର୍ଷରେ ବିନିବେଶରୁ ୫୧ ହଜାର କୋଟି ଟଙ୍କା ହାସଲ କରିବା ଲାଗି ଟାର୍ଗେଟ୍ ପ୍ରାଇସ୍ ଧାର୍ଯ୍ୟ କରିଛନ୍ତି। ଯାହା ୨୦୨୨-୨୩ ବାର୍ଷିକ ବଜେଟ୍ରେ ଧାର୍ଯ୍ୟ ଲକ୍ଷଠାରୁ ଢେର କମ୍ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ସରକାର ବିନିବେଶ ଲକ୍ଷକୁ ୫୦ ହଜାର କୋଟି ଟଙ୍କା କରି ଦେଇଛନ୍ତି। ଯାହା ଗତବର୍ଷ ବଜେଟ୍ରେ ୬୫ ହଜାର କୋଟି ଟଙ୍କା ଥିଲା। ତେବେ ଟାର୍ଗେଟ୍ ହ୍ରାସ କରିବା ସରକାରଙ୍କ ବିନିବେଶ ପ୍ରକ୍ରିୟାରେ ନିବେଶକଙ୍କ ଋଚି ହ୍ରାସର ସଂକେତ ଦେଉଛି । ହେଲେ ସରକାରଙ୍କ ବିନିବେଶ ଟାର୍ଗେଟ୍ ହ୍ରାସ କରିବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ୨୦୨୨ ମସିହାରେ ସରକାର ବିନିବେଶ ଜରିଆରେ ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ ରଖିଥିଲେ। ତେବେ ପରେ ଏହାକୁ ହ୍ରାସ କରି ୭୮ ହଜାର କୋଟି ଟଙ୍କାରେ ସୀମିତ କରିଦେଇଥିଲେ। ତେବେ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ ଲକ୍ଷରୁ ମାତ୍ରା ୧୩,୬୨୭ କୋଟି ଟଙ୍କା ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ।
ସରକାର ଆଇଡିବିଆଇ ବ୍ୟାଙ୍କ, ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ, ବିଇଏମଏଲ ଓ କଣ୍ଟେନେଟର କର୍ପୋରେସନ ଅଫ ଇଣ୍ଡିଆରେ ସରକାର ତାଙ୍କର ଭାଗିଦାରୀ ହ୍ରାସ କରିପାରନ୍ତି। ଗତ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ଏଲଆଇସିର ଆଇପିଓ ଆଣିବେ ବୋଲି ଘୋଷଣା କରିଥିଲେ। ତେବେ ଏଥର ବଜେଟ୍ରେ ଅର୍ଥମନ୍ତ୍ରୀ ସେପରି କୌଣସି ବଡ ଘୋଷଣା କରି ନାହାନ୍ତି। ଇନଭେଷ୍ଟମେଣ୍ଟ ଓ ପବ୍ଲିକ୍ ଆସେଟ ମ୍ୟାନେଜମେଣ୍ଟଙ୍କ ଇନଭେଷ୍ଟମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧ ଫେବୃଆରୀ ପର୍ଯ୍ୟନ୍ତ ସରକାର ଡିସଇନଭେଷ୍ଟମେଣ୍ଟ ମାଧ୍ୟମରେ ୩୧,୧୦୬ କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି। ଏଥିରୁ ଅଧିକାଂଶ ଏଲଆଇସିରୁ ମିଳିଥିବା କୁହାଯାଇଛି। ଏଲଆଇସି ଆଇପିଓରୁ ସରକାରଙ୍କୁ ୨୦,୫୧୬ କୋଟି ଟଙ୍କା ଲାଭ ହୋଇଥିବା କୁହାଯାଇଛି।