Corona virus ଭୟରେ କରନ୍ତୁନି ଏପରି ଭୁଲ, ପଡିପାରେ ମହଙ୍ଗା
5/03/2020 at 7:02 PM

ଚୀନ ଉହାନରୁ ବ୍ୟାପୀଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ସଂକ୍ରମିତ କରିଛି। କରୋନା ଯୋଗୁ ଲୋକେ ଖୁବ୍ ଭୟଭୀତ ହୋଇପଡିଛନ୍ତି। ଏହା ଏକ ପ୍ରାଣ ଘାତକ ରୋଗ। ଏଣୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱଭାବିକ କଥା। ହେଲେ କିଛି ଲୋକଙ୍କ ଲାଗି ଏହା ଲାଭର ସମୟ। ତେବେ ଆସନ୍ତୁ ଜାଣିବା କରୋନାର ବାସ୍ତବିକତା।

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଏବେ ଲୋକେ ଇଣ୍ଟରନେଟ୍ରେ ଉପାୟ ଖୋଜୁଛନ୍ତି। ତେବେ ଏଥିଲାଗି ଏବେ ମିଳୁଥିବା ପରାମର୍ଶ ବିପଦମୁକ୍ତ ନୁହେଁ। ସୋସିଆଲ ମିଡିଆରେ ଏବେ ଫେସମାସ୍କ କରୋନା ସଂକ୍ରମଣରୁ ଲୋକଙ୍କୁ ମୁ୍କ୍ତ ରଖିପାରିବ ବୋଲି ପ୍ରସାରିତ ହେଉଛି। ହେଲେ କରୋନା ଲାଗି ଏପର୍ଯ୍ୟନ୍ତ ସପରି କୌଣସି ସ୍ୱତନ୍ତ୍ର ଫେସ ମାସ୍କ ବଜାରକୁ ଆସି ନାହିଁ ତାହା ନିଶ୍ଚିତ ହୋଇଯାଆନ୍ତୁ।

କରୋନା ଯାଞ୍ଚ ଲାଗି ଅନ-ଲାଇନରେ ଏବେ ଅନେକ ଟେଷ୍ଟ କିଟ୍ର ବିକ୍ରି ଆରମ୍ଭ ହୋଇଯାଇଛି। ତେବେ ଜାଣିରଖନ୍ତୁ ଏପର୍ଯ୍ୟନ୍ତ କରୋନା ଯାଞ୍ଚ ଲାଗି କୌଣସି ଅଧିକାରୀକ ଟେଷ୍ଟ କିଟ୍ ପ୍ରସ୍ତୁତ ହୋଇନି। ସେହିପରି କିଛି ଲୋକେ ଏବେ ଔଷଧ ଦୋକାନକୁ ଯାଇ ଭେକ୍ସିନ ଖୋଜୁଛନ୍ତି। ତେବେ ଏଭଳି ଭେକ୍ସିନର ଉଦଭାବନ ହୋଇନାହିଁ। ଏଣୁ କରୋନାର ରାମବାଣ ଉପାୟ କହି ଲୋକେ କେବଳ ଠକାମୀର ଶିକାର ହେଉଛନ୍ତି।

କେତେକ ଲୋକ ଉପୁଜିଥିବା ପରିସ୍ଥିତିରେ ଏନ-୯୫ ମାସ୍କକୁ ସବୁଠୁ ଭଲ ବୋଲି କହୁଛନ୍ତି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମାସ୍କ ଯୋଗୁ ଆପଣଙ୍କୁ କରୋନା ସଂକ୍ରମିତ ହେବନି ତାର କୌଣସି ଗ୍ୟାରେଣ୍ଟି ନାହିଁ। ତେବେ କରୋନାକୁ ନେଇ ଏତେମାତ୍ରାରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କହିଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟସରକାରମାନେ ଏବେ ମିଳିତ ଭାବେ କାର୍ଯ୍ୟ କରୁଥିବାର ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି।