ଦାହ ସଂସ୍କାର ବେଳେ କାହିଁକି ଶବ ମୁଣ୍ଡକୁ ପିଟା ଯାଏ ଠେଙ୍ଗାରେ, ଜାଣନ୍ତୁ କାରଣ
13/07/2019 at 5:41 PM

ଜୀବନ ଭଳି ମୃତ୍ୟୁ ମଧ୍ୟ ଏକ ସତ୍ୟ। ଜିଏ ବି ଜନ୍ମ ହୁଏ ତାର ମୃତ୍ୟୁର ସମୟ ଓ ସ୍ଥାନ ନିଶ୍ଚିତ ଥାଏ, ସେହିଭଳି ଜନ୍ମ ମୃତ୍ୟୁ ଚକ୍ର ନିରନ୍ତର ଚାଲି ରହିଥାଏ। ଏଣୁ ପ୍ରତ୍ୟେକ ଜୀବ ଏହି ଚକ୍ର ମଧ୍ୟ ଦେଇ ଗତିକରିବାକୁ ବାଧ୍ୟ ହୋଇଥାଏ। ତେବେ ମନୁଷ୍ୟର ମୃତ୍ୟୁରେ ଦୁନିଆରୁ ବିଦାୟ ଦେବାର ପରମ୍ପରା ଧର୍ମ ଅନୁସାରେ ଭିନ୍ନ ଭିନ୍ନ। ହିନ୍ଦୁ ଧର୍ମରେ ମୃତକଙ୍କ ଶବକୁ ଜଳାଇ ଅନ୍ତ୍ୟେଷ୍ଟି କରାଯାଇଥାଏ। ଏଥିପାଇଁ ବିଭିନ୍ନ କ୍ରିୟା କର୍ମ କରାଯାଇଥାଏ, ଯେଉଁଥିରେ ଶବ ମୁଣ୍ଡକୁ ଠେଙ୍ଗାରେ ପିଟିବାର ନିୟମ ରହିଛି। ତେବେ କାହିଁକି ମୁଣ୍ଡକୁ ଠେଙ୍ଗାରେ ପିଟା ଯାଏ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମରେ ଶବକୁ ସତ୍କାର କରାଯିବା ବେଳେ ଜଳାଉଥିବା ଲୋକ ଏକ ଠେଙ୍ଗାରେ ଶବ ମୁଣ୍ଡକୁ ଶକ୍ତ ପାହାର ଦେଇଥାଏ। ତେବେ ଏହାର କାରଣ ଯାହାବି ହୋଇ ଥାଉ ନା କାହିଁକି ଶବ ସତ୍କାର ଏକ ତନ୍ତ୍ରିକ ପ୍ରକ୍ରିୟା। ଏଥିରେ ମୃତକ ହୁଏତ ଜୀବତାବସ୍ଥାରେ କିଛି ତନ୍ତ୍ରମନ୍ତ୍ର ସିଦ୍ଧି କରିଥାଇ ପାରନ୍ତି। ଏଣୁ ଅନ୍ୟ କୌଣସି ତାନ୍ତ୍ରିକ ଏହି ସିଦ୍ଧିର ଯେପରି ଅପବ୍ୟବହାର ନ କରେ ସେଥି ଲାଗି ଶବ ଜଳାଉଥିବା ଲୋକ ଏଭଳି କରିଥାଏ। ଜୁଇରେ ଜଳନ୍ତା ଶବର ମୁଣ୍ଡକୁ ଜୋର କରି ଆଘାତ ଦେଲେ ତାର ସମସ୍ତ ସିଦ୍ଧି ମଧ୍ୟ ତା ଶରୀର ଭଳି ନିଆଁରେ ପୋଡି ଭଷ୍ମ ହୋଇ ଯାଏ ବୋଲି ଧାରଣା ରହିଛି।

ତେବେ ଅନ୍ୟ ଦୃଷ୍ଟିରେ ଦେଖିଲେ ମନୁଷ୍ୟ ଶରୀରର ମୁଣ୍ଡ ସବୁଠୁ ଶକ୍ତ ଅବୟବ। ଏହା ସହଜରେ ନିଆଁରେ ଜଳେ ନାହିଁ। ଏଣୁ ଶରୀର ସହ ମୁଣ୍ଡକୁ ନଷ୍ଟ କରିବା ଲାଗି ଶବ ଦାହ କରୁଥିବା ବ୍ୟକ୍ତି ଶବ ଜଳା ଯିବା ପ୍ରକ୍ରିୟାରେ ଜୁଇରୁ ଉଠିବା ମାତ୍ରେ ତା ମୁଣ୍ଡକୁ ଠେଙ୍ଗାରେ ପିଟି ଫଟେଇ ଦିଏ। ଫଳରେ ଶରୀରର ଅନ୍ୟ ଅବୟବ ଭଳି ମୁଣ୍ଡ ମଧ୍ୟ ପୋଡିହୋଇଯାଏ। ଯାହା କେବଳ ପାଉଁସ ସହ କିଛି ଅସ୍ତିରେ ପରିଣତ ହୁଏ।