କେଉଁ ଖେଳରେ ରହିଛି କେତେ ଟଙ୍କାର ପୁରସ୍କାର, କେତେ ନମ୍ବର ସ୍ଥାନରେ ଅଛି ବିଶ୍ବକପ୍ର ପୁରସ୍କାର ରାଶି ଜାଣନ୍ତୁ
16/07/2019 at 10:17 AM

ସମାନ ଦିନ, ସମାନ ବାର ସମାନ ତାରିଖରେ ଚାଲିଥିଲା ଦୁଇ ଦୁଇଟି ହାଇଭୋଲ୍ଟେଜ୍ ମ୍ୟାଚ୍ । କ୍ରିକେଟର ମକ୍କା ଲର୍ଡସରେ ଚାଲିଥିଲା ୨୦୧୯ କ୍ରିକେଟ ବିଶ୍ବକପ୍ । ଆଉ ସେପଟେ ଲଣ୍ଡନରେ ଚାଲିଥିଲା ଚଳିତ ବର୍ଷର ଗ୍ରାଣ୍ଡସ୍ଲାମ ଟେନିସ୍ ଚମ୍ପିଆନ୍ସିପ୍ ୱିମ୍ବଲଡନ୍ ।ଫେଡେରର୍ଙ୍କୁ ହରାଇ ଜୋକୋଭିକ୍ ଚମ୍ପିଆନ୍ ହୋଇ ଟାଇଟଲ ହାତେଇଛନ୍ତି। ଆଉ ସେପଟେ ବିଶ୍ବ ବିଜୟୀ ହୋଇଛି ଇଂଲଣ୍ଡ । ତେବେ ୱିମ୍ବଲଡନ୍ ସମୁଦାୟ ୩୪୧ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିବା ବେଳେ କ୍ରିକେଟ ବିଶ୍ବ କପ୍ରେ ଦିଆଯାଇଛି ମାତ୍ର ୬୯.୬ କୋଟି ଟଙ୍କାର ପୁରସ୍କାର । ତେବେ ଚାଲନ୍ତୁ ଦେଖିବା କେଉଁ ଖେଳରେ ରହିଛି କେତେ ଟଙ୍କାର ପୁରସ୍କାର ଆଉ କେତେ ନମ୍ବର ସ୍ଥାନରେ ଅଛି ବିଶ୍ବକପ୍ର ପୁରସ୍କାର ରାଶି…

ସମଗ୍ର ଏସିଆ ମହାଦେଶରେ ରାଜୁତି କରୁଛି କ୍ରିକେଟ । ୟୁରୋପ ମହାଦେଶରୁ ଇଂଲଣ୍ଡରୁ କ୍ରିକେଟ ଆରମ୍ଭ ହୋଇଥିଲେ ମଧ୍ୟ ଏସିଆରେ ରହିଛି କ୍ରିକେଟର ସ୍ବତନ୍ତ୍ର ଚାହିଦା। କ୍ରିକେଟ ଖେଳି ପ୍ଲେୟର କୋଟି କୋଟି ଟଙ୍କା ଆୟ କରୁଛନ୍ତି । କ୍ରିକେଟ ବିଶ୍ବକପ୍ର ପୁରସ୍କାର ରାଶି ଏତେ ନଗଣ୍ୟ ଯେ ଶୁଣିଲେ ବିଶ୍ବାସ ହେବ ନାହିଁ । ଫିଫା ବିଶ୍ବକପ୍ରେ ପୁରସ୍କାର ରାଶି ୨ ହଜାର ୭ ଶହ ୮୬ କୋଟି ଟଙ୍କା ଥିବା ବେଳେ କ୍ରିକେଟ ବିଶ୍ବକପ୍ ପୁରସ୍କାର ରାଶି ମାତ୍ର ୬୯.୬ କୋଟି ଟଙ୍କା । କ୍ରିକେଟ ଲୋକପ୍ରିୟତାକୁ ଦେଖିଲେ କିଏ ତ କହିବ ଧନୀ ଖେଳର ଏହା ଗରିବ ବିଶ୍ବକପ୍ ନୁହେଁ ତ ଆଉ କଣ ? ପୁରସ୍କାର ରାଶି ତାଲିକାକୁ ନଜର ପକାଇଲେ ଏହି ତାଲିକାର ଶୀର୍ଷରେ ରହିଛି ଫିଫା ବିଶ୍ବକପ୍ । କିନ୍ତୁ ତାଲିକାର ଶେଷରେ ରହିଛି କ୍ରିକେଟ ବିଶ୍ବକପ୍ ।

ତେବେ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ଫେଡେକ୍ସ କପ୍ । ଯାହାର ପୁରସ୍କାର ରାଶି ହେଉଛି ୪୮୭.୬ କୋଟି ଟଙ୍କା ।

ସେହିପରି ୩୬୯ କୋଟି ସହ ତାଲିକାରେ ତୃତୀୟ ସ୍ଥାନରେ ୟୁଏସ ଓପନ୍, ୩୪୧ କୋଟି ସହ ୱିମ୍ବଲଡନ୍ ଚତୁର୍ଥ ଓ ପଞ୍ଚମ ସ୍ଥାନରେପ୍ରେଞ୍ଚ ଓପନ ୩୩୪ କୋଟି ।

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତଯେ ଅନ୍ୟ ବିଶ୍ବକପ୍ ଅପେକ୍ଷା ଚଳିତ ଥର ବିଶ୍ବକପ୍ରେ ସବୁଠାରୁ ବେଶୀ ପୁରସ୍କାର ରାଶି ରହିଥିଲା । ଆଇସିସି ଦେଇଥିବା ୧୦ ମିଲିୟନ ଡଲାର ଅର୍ଥାତ ୬୯.୬ କୋଟି ଟଙ୍କାକୁ ବିଭିନ୍ନ ବିଜେତାଙ୍କୁ ପୁରସ୍କାର ଦିଆଯାଇଛି । ବିଜେତା ଦଳ ୪୦ ଲକ୍ଷ ଡଲାର, ଉପବିଜେତା ୨୦ ଲକ୍ଷ ଡଲାର, ସେମିଫାଇନାଲରେ ପରାଜିତ ଦଳ ୮ ଲକ୍ଷ ଡଲାର, ପ୍ରତ୍ୟେକ ଗ୍ରୁପ୍ ପର୍ଯ୍ୟାୟ ବିଜୟ ପାଇଁ ୪୦ ହଜାର ଏବଂ ଲିଗ୍ ପର୍ଯ୍ୟାୟ ଆଗକୁ ଯାଇ ପାରି ନଥିବା ଦଳ ୧ ଲକ୍ଷ ଡଲାର ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯାଇଛି ।

ଆମେରିକା ଓ ଚୀନକୁ ଛାଡ଼ିଦେଲେ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଦବ୍ଦବା ଜାରି ରଖିଛି କ୍ରିକେଟ । କିନ୍ତୁ କମ୍ ପୁରସ୍କାର ରାଶି ଥିଲେ ମଧ୍ୟ ବିଜ୍ଞାପନ, ମ୍ୟାଚ ଫି ଓ ଷ୍ଟାର କ୍ରେଜ୍ ପାଇଁ ହିଁ ବଢ଼ୁଛି କ୍ରିକେଟର ଚାହିଦା ।