ମୃତ୍ୟୁର ସଜ୍ଜା ଶୁଣି ହସୁଥିଲେ ୧୮ ବର୍ଷର ଯୁବକ, ଜଜ୍‌ଙ୍କୁ କହିଥିଲେ କିଛି ସମୟ ଦିଅନ୍ତୁ ଆପଣଙ୍କୁ ମଧ୍ୟ ବମ୍‌ ପ୍ରସ୍ତୁତି କୌଶଳ ଶିଖେଇ ଦେବି...

Published By : Prameya-News7 Bureau | August 11, 2021 IST

ନୂଆଦିଲ୍ଲୀ, ୧୧/୦୮: ‘ସ୍ୱାଧୀନତା’ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏପରି ଏକ ଶବ୍ଦ ଯାହାର ଗାଥା ଶୁଣି ହୃଦୟରେ କମ୍ପନ ଆପେ ଆପେ ସୃଷ୍ଟି ହୋଇଯାଏ । କ୍ରୁର ଇଂରେଜ ସରକାର  ବିରୋଧରେ ଦୀର୍ଘ ଦିନର ଲଢ଼େଇର ଫଳ ସ୍ୱରୂପ
ଏହା ଏକ ଅମୂଲ୍ୟ ଭାବାବେଗ । ଏହି ସଂଗ୍ରାମରେ ଜାତି, ଧର୍ମ, ବର୍ଣ୍ଣ ଏବଂ ବୟସ ନିର୍ବିଶେଷରେ ସମସ୍ତଙ୍କର ଭାଗିଦାରୀ ରହିଛି । ବିଶେଷ କରି ଯୁବକମାନଙ୍କର ଭୂମିକା ଏହି ସଂଗ୍ରାମରେ ଅଧିକ କହିଲେ ଚଳେ ।

ଯୁବକମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ଏପରି ବହ୍ନି ପ୍ରଜ୍ଜ୍ୱଳିତ ହୋଇଥିଲା ଯେ, ଜୀବନକୁ ପଛରେ ପକାଇ ମୃତ୍ୟୁର ଅନଳ ଶିଖାରେ ଝାସ ଦେବାକୁ ସେମାନେ କୁଣ୍ଠାବୋଧ କରୁନଥିଲେ । ଏପରି ସଂଗ୍ରାମୀଙ୍କ ମଧ୍ୟରେ ଥିଲେ ଖୁଦୀରାମ ବୋଷ । ୧୧ ଅଗଷ୍ଟ ୧୯୦୮ ମସିହାରେ ୧୮ ବର୍ଷ ବୟସରେ ଖୁଦୀରାମଙ୍କୁ ଫାଶୀରେ ଚଢ଼ାଯାଇଥିଲା । ସେ ଦେଶ ମାତୃକାକୁ ଏପରି ଭଲ ପାଉଥିଲେ ଯେ, ଯେତେବେଳେ ଜଜ୍‌ ତାଙ୍କୁ ଫାଶୀର ସଜ୍ଜା ଶୁଣାଇଥିଲେ ସେତେବେଳେ କାଠଗଡ଼ା ଭିତରେ ଛିଡ଼ା ହୋଇ ସେ ହସୁଥିଲେ ।

୧୩ ଜୁଲାଇ ୧୯୦୮ରେ ତାଙ୍କୁ ଅଦାଲତରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ ଜଜ୍‌ । ଏହି ସମୟରେ ଜଜ୍‌ ତାଙ୍କୁ ପଚାରିଥିଲେ ସଜ୍ଜାର ମାନେ କଣ ବୁଝିଛ ତ ? ବୋଷ ସ୍ମିତ ହାସ୍ୟକରି କହିଲେ ହଁ, ମୁଁ ସବୁ ବୁଝିପାରୁଛି । ମୋ ଓକିଲ କୋର୍ଟରେ କହିଲେ ଯେ, ମୁଁ ବହୁତ ଛୋଟ । ତେଣୁ ବମ୍‌ ପ୍ରସ୍ତୁତ କରିବା ମତେ ଜଣାନାହିଁ । କିନ୍ତୁ ଆପଣ ମତେ କିଛି ସମୟ ଦିଅନ୍ତୁ ମୁଁ ଆପଣଙ୍କୁ ବମ୍‌ କେଉଁଭଳି ପ୍ରସ୍ତୁତ କରାଯାଏ ଶିଖାଇଦେବି । ବୋଷଙ୍କୁ ସଜ୍ଜା ଶୁଣାଯିବା ପରେ କୋଲକାତାର ଗଳି ଗଳିରେ ଆନ୍ଦୋଳନ ତୀବ୍ର ହେବା ଦେଖିବାକୁ ମିଳିଥିଲା ।

କହିରଖୁଛୁ ଯେ, ଖୁଦୀରାମ ବୋଷ ନାରାୟଣଗଡ଼ ରେଲ୍‌ୱେ ଷ୍ଟେସନରେ ହୋଇଥିବା ବିଷ୍ପୋରଣରେ ସାମିଲ୍‌ ଥିଲେ । ସେ ପ୍ରଫୁଲ୍ଲ ଚନ୍ଦ୍ର ଚାକିଙ୍କ ସହିତ ମିଶି କ୍ରୁର ଇଂରେଜ ଅଧିକାରୀ କିଙ୍ଗ୍‌ସ୍‌ଫୋର୍ଡକୁ ହତ୍ୟା କରିବାକୁ ଚାହୁଁଥିଲେ । ଦିନେ ସେମାନେ କିଙ୍ଗ୍‌ସ୍‌ଫୋର୍ଡଙ୍କ ବଗି ଉପରକୁ ବମ୍‌ ଫୋପାଡି ଦେଇଥିଲେ । ଏହାପରେ ଦୁଇଜଣ ଯାକ ବନ୍ଦେ ମାତାରମ ନାରା ଲଗାଇଥିଲେ । କିନ୍ତୁ ସେହି ବଗିରେ କିଙ୍ଗ୍‌ସ୍‌ଫୋର୍ଡ ନଥିଲେ । ଏହି ବିଷ୍ପୋରଣରେ ଇଂରେଜ ମାନଙ୍କର ଅନ୍ୟଜଣେ ଅଧିକାରୀଙ୍କ ପରିବାର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ପୋଲିସ୍‌ ତାଙ୍କୁ ଗିରଫ କରିନେଇଥିଲା ।

ଯେତେବେଳେ ପୋଲିସ୍‌ ଦୁଇ ସଂଗ୍ରାମୀଙ୍କୁ ଘେରି ନେଇଥିଲେ ସେତେବେଳେ ପ୍ରଫୁଲ୍ଲ ଚାକି ନିଜକୁ ଗୁଳି ମିରିଦେଇଥିଲେ ଏବଂ ଖୁଦୀରାମଙ୍କୁ ସେମାନେ ଗିରଫ କରିନେଇଥିଲେ । ପରେ ଖୁଦୀରାମ ଏଥି ପାଇଁ ନିଜ ଉପରକୁ ସମସ୍ତ ଦୋଷ ନେଇଯାଇଥିଲେ । ଫଳରେ ତାଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲେ ।

ଫାଶୀର ଫନ୍ଦା ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ଚେହେରା ମଳିନ ପଡ଼ିନଥିଲା । ଖୁସି ଖୁସିରେ ମୃତ୍ୟୁକୁ ସେ ଗଳାରେ ଲଗାଇ ଦେଇଥିଲେ । ଖୁଦୀରାମ ଦେଶ ପାଇଁ ସହିଦ ହୋଇଗଲେ ସିନା ହେଲେ ସବୁଦିନ ପାଇଁ ଅମର ହୋଇଗଲେ । କୁହାଯାଏ ଯେ ଫାଶୀ ପାଇବା ପର୍ଯ୍ୟନ୍ତ ତାଙ୍କ ପାଖରେ ଗୀତା ରହିଥିଲା ।                 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.