ରାଜଉଆସ ପରି ଘର...୧୯ଟି ଗଲ୍ଫ କୋର୍ସର ମାଲିକ, କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ?

Published By : Prameya-News7 Bureau | July 20, 2024 IST

ନୂଆଦିଲ୍ଲୀ ୨୦।୦୭: ଡୋନାଲ୍ଡ ଟ୍ରମ୍ପ । ନିକଟରେ ତାଙ୍କ ଉପରେ ହୋଇଛି ମାରଣାତ୍ମକ ଆକ୍ରମଣ । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି । ବର୍ତ୍ତମାନ ଟ୍ରମ୍ପଙ୍କ ଜୀବନ ବିପଦରେ । ତେବେ କେତେ ସମ୍ପତ୍ତିର ମାଲିକ ଅଟନ୍ତି ଡୋନାଲ୍ଡ ଟ୍ରମ୍ପ ? କେଉଁଠୁ ଅଧିକ ରୋଜଗାର କରନ୍ତି ପୂର୍ବତନ ରାଷ୍ଟ୍ରପତି ?  

ହ୍ବାଇଟ ହାଉସର ସବୁଠାରୁ ଧନୀ ନେତା ଟ୍ରମ୍ପ । ତାଙ୍କର କୋଟି କୋଟି ଡଲାରର ରହିଛି ସମ୍ପତ୍ତି । ଫୋର୍ବସ୍ ଅନୁଯାୟୀ, ୨୦୨୪ ମେ ୨ ସୁଦ୍ଧା ତାଙ୍କର ସମ୍ପତ୍ତି ୭.୫ ବିଲିୟନ ଡ଼ଲାରରୁ ଅଧିକ । ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୬୨ ହଜାର କୋଟିରୁ ଅଧିକ । ରିପୋର୍ଟ ଅନୁଯାୟୀ ୨୦୧୬ରେ ତାଙ୍କର ମୋଟ ସମ୍ପତ୍ତି ରହିଥିଲା ୪.୫ ବିଲିୟନ ଡ଼ଲାର୍ । 

କିନ୍ତୁ ସେତେବେଳେ ଟ୍ରମ୍ପ କହିଥିଲେ ତାଙ୍କର ମୋଟ ସମ୍ପତ୍ତି ୮.୭୩ ବିଲିୟନ ଡଲାର । ତେବେ ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତିରେ ହ୍ରାସ ହୋଇଥିଲା ।  ଫୋର୍ବସ୍ ତଥ୍ୟ ଅନୁଯାୟୀ, ୨୦୨୦ରେ ତାଙ୍କ ସମ୍ପତ୍ତି ୨.୧ ବିଲିୟନ ଡ଼ଲାରକୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୨ରେ ଏହା ପୁଣି ୩ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିଲା ।

ତେବେ ଗତ ୨ବର୍ଷ ମଧ୍ୟରେ ଖୁବ୍‌ ବଢିଛି ଟ୍ରମ୍ପଙ୍କ ସମ୍ପତ୍ତି । ଖବର ଅନୁଯାୟୀ, ଟ୍ରମ୍ପଙ୍କ ମୋଟ ସମ୍ପତ୍ତିର ସର୍ବାଧିକ ଅଂଶ ଟ୍ରମ୍ପ ମିଡିଆ ଟେକ୍ନୋଲୋଜି ଗ୍ରୁପ୍‌ରେ ଲାଗିଛି । ତେବେ ଦ୍ୱିତୀୟ ବୃହତ୍ତମ ଅଂଶ ତାଙ୍କ ଗଲ୍ଫ କ୍ଲବ, ରିସର୍ଟ ଏବଂ ବଙ୍ଗଳାରେ ରହିଛି । ଦୁନିଆର ଅନ୍ୟ ଧନୀ ବ୍ୟକ୍ତିଙ୍କ ପରି ଟ୍ରମ୍ପଙ୍କର ମଧ୍ୟ ଅନେକ ବିଳାସପୂର୍ଣ୍ଣ ସମ୍ପତ୍ତି ରହିଛି । ସେ ଫ୍ଲୋରିଡାର ପାମ୍‌ ବିଚ୍ କୂଳରେ ୧୦ ମିଲିୟନ୍ ଡଲାରର ଏକ ସୁନ୍ଦର ପ୍ୟାଲେସ୍ ହେଉ କିମ୍ବା ସେଣ୍ଟ ମାର୍ଟିନରେ ବିଳାସପୂର୍ଣ୍ଣ ସମ୍ପତ୍ତି । 

ହ୍ବାଇଟ୍‌ ହାଉସ ଛାଡିବା ପରେ ଟ୍ରମ୍ପ ରହୁଥିବା ଫ୍ଲୋରିଡା ପ୍ୟାଲେସର ନାଁ ହେଉଛି ମାର-ଏ-ଲାଗୋ। ଏହା ୧୯୨୭ରେ ନିର୍ମିତ ହୋଇଥିଲା ।  ଟ୍ରମ୍ପ ଏହାକୁ ୧୯୮୫ରେ କିଣିଥିଲେ । ସେତେବେଳେ ସେ ଏହାକୁ ୧ କୋଟି ଡଲାରରେ କିଣିଥିଲେ  । ଏହି ପ୍ୟାଲେସ୍‌ ୨୦ ଏକର ଅଞ୍ଚଳରେ ବ୍ୟାପିଛି । ଏଥିରେ ୫୮ଟି ବେଡରୁମ୍, ୩୩ ବାଥରୁମ୍, ୧୨ ଫାୟାରପ୍ଲେସ୍, ଗୋଟିଏ ସ୍ପା, ସୁଇମିଂ ପୁଲ୍, ଟେନିସ୍ କୋର୍ଟ ଏବଂ ଗଲ୍ଫ କୋର୍ସ ଅଛି । ରିପୋର୍ଟ ଅନୁଯାୟୀ, ୧୯୯୫ରେ ଟ୍ରମ୍ପ ଏହାକୁ ଏକ ମେମ୍ବରସିପ୍‌ କ୍ଲବରେ ପରିଣତ କରିଥିଲେ । କିନ୍ତୁ ଏହା ସତ୍ତ୍ବେ ନିଜ ପାଖରେ ଏକ ବଡ ଅଂଶ ରଖିଛନ୍ତି ଟ୍ରମ୍ପ ।  

ଫ୍ଲୋରିଡା ବ୍ୟତୀତ ଟ୍ରମ୍ପଙ୍କର ସେଣ୍ଟ ମାର୍ଟିନରେ ୧୦ ମିଲିୟନ ଡଲାରରୁ ଅଧିକ ଟଙ୍କାର ଏକ ବ୍ୟକ୍ତିଗତ ସମ୍ପତ୍ତି ରହିଛି । ଏହାବ୍ୟତୀତ ନ୍ୟୁ ଜର୍ସି, କନେକ୍ଟିକଟ, ହୱାଇ, ଇଲିନୋଇସ୍ ଏବଂ ନେବାଦା ବ୍ୟତୀତ ୟୁରୋପ, ଏସିଆ ଏବଂ ଦକ୍ଷିଣ ଆମେରିକାରେ ମଧ୍ୟ ତାଙ୍କର ମହଙ୍ଗା ଆବାସିକ ସମ୍ପତ୍ତି ରହିଛି । ଗଲ୍ଫ  ଶୌକିନ୍‌ ଟ୍ରମ୍ପଙ୍କ ପାଖରେ ୧୯ଟି ଗଲ୍ଫ କୋର୍ସ ମଧ୍ୟ ରହିଛି । ଟ୍ରମ୍ପଙ୍କ ଲଗଜୁରୀ ଲାଇଫ୍‌ ଷ୍ଟାଇଲ୍‌ ତାଙ୍କର ବିମାନ ଏବଂ କାର କଲେକ୍ସନ୍‌ରୁ ଜଣାପଡିଥାଏ । 

ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କର ୫ଟି ବିମାନ ରହିଛି । ରୋଲ୍ସ ରୋଏସ୍ ସିଲଭର କ୍ଲାଉଡ୍ ଠାରୁ ମର୍ସିଡିଜ୍ ବେଞ୍ଜ୍ ପର୍ଯ୍ୟନ୍ତ ଶହ ଶହ ଲଗଜୁରୀ ଗାଡି ରହିଛି । ରିଅଲ ଇଷ୍ଟେଟ୍ ବ୍ୟବସାୟର ଉତ୍ତରାଧିକାରୀ ଅଟନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପିତା ଫ୍ରେଡ ଟ୍ରମ୍ପ ନ୍ୟୁୟର୍କର ଜଣେ ସଫଳ ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଥିଲେ ।

୧୯୭୧ରେ ଟ୍ରମ୍ପ ପିତାଙ୍କ ବ୍ୟବସାୟକୁ ଗ୍ରହଣ କରିଥିଲେ । ଏହି କମ୍ପାନୀ ଅଧୀନରେ ଟ୍ରମ୍ପ ଅନେକ ବିଳାସପୂର୍ଣ୍ଣ କୋଠା ନିର୍ମାଣ କରିଥିଲେ । ଯେଉଁଥିରେ ଟ୍ରମ୍ପ ପ୍ୟାଲେସ, ଟ୍ରମ୍ପ ୱାର୍ଲ୍ଡ ଟାୱାର, ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଏବଂ ରିସର୍ଟ ସାମିଲ୍ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.