ଆମେରିକାର ନୁହେଁ ବରଂ ଏହି ଦେଶର ଥିଲେ ମେଲାନିଆ, ୫ବର୍ଷ ଡେଟ୍ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ କରିଥିଲେ ବିବାହ
25/02/2020 at 3:07 PM

ନୂଆଦିଲ୍ଲୀ ୨୫।୨: ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ । ଡୋନାଲ୍ଡ ଟ୍ରମ୍ପଙ୍କ ସହ ମେଲାନିଆଙ୍କର ମଧ୍ୟ ଭାରତରେ ଚର୍ଚ୍ଚା ଜୋର । ଆମେରିକାର ପ୍ରଥମ ମହିଳା ହେବା ପୂର୍ବରୁ ମେଲାନିଆ ଟ୍ରମ୍ପ ଜଣେ ମଡେଲ ଭାବେ ଜଣାଶୁଣା ଥିଲେ ।

ସ୍ଲୋଭେନିଆ ନଭୋ ମେଷ୍ଟୋରେ ୧୯୭୦ ମସିହା ୨୬ ଅପ୍ରେଲରେ ଜନ୍ମଗ୍ରହଣ କରିଥିଲେ ମେଲାନିଆ । ତାଙ୍କ ବାପା ସ୍ଲୋଭେନିଆର ଜଣେ କାର୍ ବ୍ୟବସାୟୀ ଥିଲେ । ତାଙ୍କ ମା ପିଲାମାନଙ୍କ ପାଇଁ ପୋଷାକ ଡିଜାଇନ୍ କରୁଥିଲେ ।

ବାପା, ମା’ ଏବଂ ସାନ ଉଭଣୀଙ୍କ ସହ ରହୁଥିଲେ ମେଲାନିଆ । ମେଲାନିଆଙ୍କ ବାପାଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବା ମେଲାନିଆ ଜାଣିପାରିଥିଲେ । ସେହି ମହିଳାଙ୍କର ଗୋଟିଏ ପୁଅ ମଧ୍ୟ ଥିଲା ।

ମେଲାନିଆ ବଡ ହେବା ସହ ତାଙ୍କ ରୁଚି ମଡେଲିଂ ପ୍ରତି ବଢୁଥିଲା । ୧୬ବର୍ଷ ବୟସରେ ମେଲାନିଆ ତାଙ୍କ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ମିଲାନ ଏଜେନ୍ସୀରୁ ତାଙ୍କୁ ମଡେଲିଂ କରିବାକୁ ସୁଯୋଗ ମିଳିଥିଲା ।

ମଡେଲିଂ ସହ ତାଙ୍କର ପାଠ ପଢିବାରେ ମଧ୍ୟ ରୁଚି ଥିଲା । ଫଳରେ ସେ ସ୍ଲୋଭେନିଆର ଲୁବିୟାନା ବିଶ୍ବବିଦ୍ୟାଳୟରେ ଆଡମିଶନ କରିଥିଲେ । ମାତ୍ର ମଡେଲିଂ କ୍ୟାରିୟରର ବ୍ୟସ୍ତତା ଭିତରେ ବର୍ଷକ ମଧ୍ୟରେ ତାଙ୍କୁ ପାଠପଢା ଛାଡିବାକୁ ପଡିଥିଲା ।

ମିଲାନ ଓ ପ୍ୟାରିସରେ ମଡେଲ ଭାବେ କ୍ୟାରିୟର କରିଥିଲେ । ଏହାପରେ ୧୯୯୬ରେ ମେଲାନିଆ ନ୍ୟୁୟର୍କ ସହରକୁ ଯାଇଥିଲେ । ମେଲାନିଆଙ୍କ ମଡେଲିଂ କ୍ୟାରିଅର ଆଇରିନ ମେରୀ ମଡେଲ୍ ଓ ଟ୍ରମ୍ପ୍ ମଡେଲ୍ ମ୍ୟାନେଜମେଣ୍ଟ ସହ ଜଡିତ । ମଡେଲିଂ କ୍ୟାରିୟର ମେଲାନିଆଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପରିଚିତ କରାଇଥିଲା ।

୧୯୯୮ରେ ନ୍ୟୁୟର୍କରେ ଏକ ଫ୍ୟାଶନ ଓ୍ବିକ୍ ରର ପାର୍ଟିରେ ପ୍ରଥମ ଥର ମେଲାନିଆଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟ ହୋଇଥିଲା । ସେହି ସମୟରେ ଟ୍ରମ୍ପ ରାଜନୀତି କରୁନଥିଲେ । ପାର୍ଟିରେ ପ୍ରଥମ ଥର ମେଲାନିଆଙ୍କୁ ଭେଟିବା ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ ଟ୍ରମ୍ପ୍ ।

ଟ୍ରମ୍ପ୍ ଏବଂ ମେଲାନିଆ ୫ବର୍ଷ ଧରି ପରସ୍ପରକୁ ଡେଟ୍ କରିଥିଲେ । ତାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୦୪ରେ ଉଭୟ ନିର୍ବନ୍ଧ କରିଥିଲେ । ନିର୍ବନ୍ଧର ବର୍ଷେ ପରେ ଅର୍ଥାତ୍ ୨୦୦୫ରେ ଉଭୟ ବିବାହ କରିଥିଲେ । ୨୦୦୧ରେ ମେଲାନିଆ ଯୁକ୍ତ ରାଷ୍ଟ୍ର ଆମେରିକାରେ ସ୍ଥାୟୀ ଭାବେ ରହିବାକୁ ଆରମ୍ଭ କରିଥିବା ବେଳେ ୨୦୦୬ରେ ଆମେରିକାର ସିଟିଜେନସିପ୍ ଭାବେ ପରିଚୟ ହାସଲ କଲେ ।

ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିବା ପରେ ମେଲାନିଆ ମଡେଲିଂଠାରୁ ଦୂରେଇ ଯାଇଥିଲେ ।୨୦୦୬ରେ ମେଲାନିଆ ଏବଂ ଡୋନାଲ୍ଡ ଟ୍ରମ୍ପ୍ ଓ୍ବିଲିୟମ୍ ଟ୍ରମ୍ପ୍ ଙ୍କୁ ଜନ୍ମ ଦେଇଥିଲେ । ଓ୍ବିଲିୟମ୍ ଡୋନାଲ୍ଡ ଟ୍ରମ୍ପଙ୍କ ୫ମ ସନ୍ତାନ ଥିଲେ । ଏବେ ମଧ୍ୟ ନିଜର ଫ୍ୟାଶନେବଲ ଅନ୍ଦାଜ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ମେଲାନିଆ ।