ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଜୁସ୍, ରକ୍ତ ଶର୍କରା ସ୍ତର ରହିବ ନିୟନ୍ତ୍ରଣରେ

Published By : Prameya-News7 Bureau | May 20, 2022 IST

ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାରର ସୁସ୍ଥ ଜିନିଷ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସେଥିମଧ୍ୟରୁ ଗହମ ଘାସ ଜୁସ୍ ଅନ୍ୟତମ । ଯାହା ଗହମ ଗଛର ତାଜା ଏବଂ ସବୁଜ ପତ୍ରରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ପିଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ । ଏହା ମଧୁମେହ ଭଳି ରୋଗରେ ଉପଶମ ଦେବା ସହ ଅନେକ ଉପାୟରେ ସ୍ବାସ୍ଥ୍ୟବର୍ଦ୍ଧର ହୋଇଥାଏ । ଏଥିରେ ପ୍ରୋଟିନ୍, ଫ୍ଲେଭୋନାଇଡ୍‌ସ, କ୍ଲୋରୋଫିଲ୍, ଭିଟାମିନ୍-ସି ଏବଂ ଭିଟାମିନ୍-ଇ, ମିନେରାଲ୍ସ, ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ପ୍ରଚୁର ପରିମାଣରେ ଥାଏ । ଯଦି ପ୍ରତିଦିନ ଏହାକୁ ସେବନ କରାଯାଏ ତେବେ ଶରୀରରେ ଥିବା ସମସ୍ତ ପୋଷକ ତତ୍ତ୍ବର ଅଭାବ ପୂରଣ ହୋଇଥାଏ । ତେବେ ଆସନ୍ତୁ ଗହମ ଘାସ ଜୁସ୍ ଉପକାରିତା ବିଷୟରେ ଜାଣିବା ।

ମଧୁମେହ ରୋଗୀଙ୍କୁ ଦେବ ଆଶ୍ବସ୍ତି :

ଗହମ ଘାସ ଜୁସ୍ ପିଇବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏହି କାରଣରୁ ମଧୁମେହ ରୋଗୀଙ୍କୁ ନିୟମିତ ଏହି ଜୁସ୍ ପିଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଯଦି ଶର୍କରା ସ୍ତର ନିୟନ୍ତ୍ରଣରେ ନରୁହେ ତେବେ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ :

ଗହମ ଘାସ ଜୁସ୍ ପିଇବା ଦ୍ବାରା ମୋଟାପଣ କମିବାକୁ ଲାଗିଥାଏ । କାରଣ ଏଥିରେ କ୍ୟାଲୋରୀ ଖୁବ୍ କମ୍ ଥାଏ ଏବଂ ଫାଇବର ଅଧିକ ମାତ୍ରାରେ ମିଳିଥାଏ । ଏହି ଜୁସ୍ ପିଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ପେଟ ପୁରା ଥିବା ଭଳି ମନେହୁଏ । ଏଥିପାଇଁ ଆପଣ ଅଧିକ ଖାଦ୍ୟ ଖାଆନ୍ତି ନାହିଁ । ଫଳରେ ଧୀରେ ଧୀରେ ଆପଣଙ୍କ ଓଜନ କମିବାକୁ ଲାଗିଥାଏ ।

ଉଚ୍ଚ କୋଲେଷ୍ଟ୍ରଲକୁ କମାଇଥାଏ :

ଗହମ ଘାସ ଜୁସ୍ ପିଇବା ଦ୍ବାରା ଖରାପ କୋଲେଷ୍ଟ୍ରଲ ସ୍ତର କମ୍ ହୋଇଥାଏ । ଯାହା ଫଳରେ ହୃଦରୋଗର ଆଶଙ୍କା ମଧ୍ୟ ବଢିନଥାଏ । ଯଦି ରକ୍ତ ନଳୀରେ ଚର୍ବି ଜମା ହୁଏ ତେବେ ଏହା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ । ଫଳରେ ହୃଦଘାତ ହୋଇପାରେ ।

ଶରୀରକୁ କରିବ ଡିଟକ୍ସ :

ଗହମ ଘାସ ଜୁସ୍‌ରେ କ୍ଲୋରୋଫିଲ ମିଳିଥାଏ । ଯାହା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଶରୀର ଡିଟକ୍ସ ହେବା ଯୋଗୁଁ ଲିଭର ଠିକ୍ ଭାବେ କାମ କରିଥାଏ । ହଜମ ମଧ୍ୟ ଠିକ୍‌ସେ ହୋଇଥାଏ । ଏହା ବ୍ୟତୀତ ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.